Categories: ଖେଳ

ବୋସଫୋରସ୍‌ ବକ୍ସିଂ: ବିପର୍ଯ୍ୟୟ ଘଟାଇଲେ ଜରିନ୍‌

ନୂଆଦିଲ୍ଳୀ,୧୯।୩(ପି.ଟି.): ତୁର୍କୀର ଇସ୍ତାନବୁଲ୍‌ଠାରେ ଚାଲିଥିବା ବୋସଫୋରସ୍‌ ବକ୍ସିଂ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ବକ୍ସର ନିଖାତ ଜରିନ୍‌ ଏକ ବଡ଼ ବିପର୍ଯ୍ୟୟ ଘଟାଇଛନ୍ତି। ମହିଳା ୫୧ କେ.ଜି. ବର୍ଗ ଇଭେଣ୍ଟରେ ସେ ବିଶ୍ୱ ଚାମ୍ପିୟନ ପଲ୍ଟସେଭା ଏକାଟରିନାଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଏସିଆନ ଚାମ୍ପିୟନଶିପ୍‌ ବ୍ରୋଞ୍ଜ୍‌ ପଦକ ବିଜେତା ଜରିନ୍‌ ଟୁର୍ନାମେଣ୍ଟରେ ଦ୍ୱିତୀୟ ଦିନରେ ରୁଷିଆର ଏକାଟେରିନାଙ୍କୁ ୫-୦ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଏବେ କ୍ୱାର୍ଟରରେ ସେ ଦୁଇଥର ବିଶ୍ୱଚାମ୍ପିୟନଶିପ୍‌ ହାସଲ କରିଥିବା କାଜାଖସ୍ତାନର କିଜାଇବେ ନାଜିମଙ୍କୁ ଭେଟିବେ। ସେହିପରି ୨୦୧୩ ଏସିଆନ ଚାମ୍ପିୟନ ଶିବ ଥାପ୍ପା, ସୋନିଆ ଲାଥର ଓ ପରବିନ ସେମାନଙ୍କ ବର୍ଗରେ ବିଜୟ ହାସଲ କରି କ୍ୱାର୍ଟରକୁ ଉଠିଛନ୍ତି। ପୁରୁଷ ୬୩ କେ.ଜି. ବର୍ଗରେ ଶିବ ୩-୨ରେ କାଜାଖସ୍ତାନର ସ୍ମାଗୁଲୋଭ ବାଗଟିୟୋଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଲାଥର ୫୭ କେ.ଜି.ରେ ଲୋକାଲ ଫେଭରାଇଟ ସୁରମେନେଲି ତୁଗସେନାଜଙ୍କୁ ୫-୦ରେ ହରାଇଛନ୍ତି। ସେହିପରି ୬୦ କେ.ଜି.ରେ ପରବୀନ ସ୍ଥାନୀୟ ଖେଳାଳି ଓଜିଓଲ ଇସ୍‌ରାଙ୍କୁ ୫-୦ରେ ହରାଇ ଅଗ୍ରଗତି କରିଛନ୍ତି। ଅନ୍ୟ ଭାରତୀୟ ବକ୍ସର ଦୁର୍ଯ୍ୟୋଧନ ନେଗି (୬୯ କେ.ଜି.), ବ୍ରିଜେଶ ଯାଦବ (୮୧ କେ.ଜି.) ଓ କ୍ରିଷ୍ଣନ ଶର୍ମା (+ ୯୧ କେ.ଜି.) ସେମାନଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ଏବେ ମହିଳା ବର୍ଗରେ ଲାଥର, ଜରିନ୍‌, ପରବୀନ ଓ ଜ୍ୟୋତି (୬୯ କେ.ଜି.) ମୁକାବିଲା କରିବେ। ସେହିପରି ମହିଳା ବର୍ଗରେ ଥାପା ଓ ଗୌରବ ସୋଲାଙ୍କି ୫୭ କେ.ଜି. ବର୍ଗରେ କ୍ୱାର୍ଟର ଫାଇନାଲ ମୁକାବିଲାରେ ଅବତୀର୍ଣ୍ଣ ହେବେ।

Share