ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର (କୁବେର) ଛନ୍ଦ (୪୯)ଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଚୂଡ଼ାବତୀ ଛନ୍ଦ ଗୁରୁତର ହୋଇ ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
କୁବେର ଛନ୍ଦ ସ୍ତ୍ରୀ ଚୂଡ଼ାବତୀ ଓ ଝିଅ ଧରିତ୍ରୀ (୧୦) ଙ୍କ ସହ ଏକ ବାଇକ୍ରେ ଖଇରପାଲି ଗ୍ରାମକୁ ବାହାଘରରେ ଯୋଗ ଦେବାକୁ ଯାଉଥିଲେ। ଗୋଡ଼ଭଗା ସମଲେଶ୍ୱରୀ ମନ୍ଦିର ପାର ହେବାପରେ ଧର୍ମଶାଳା ପାଖାପାଖି ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ (ଓଡ଼ି ୧୫ ୬୪୩୯) ପଛପଟୁ ସେମାନଙ୍କୁ ଧକ୍କା ଦେଇ ପ୍ରାୟ କିଛି ଦୂରକୁ ଘୋଷାଡ଼ି ନେଇଥିଲା।
ଝିଅ ଧରିତ୍ରୀ ଦୂରକୁ ଛିଟିକି ହୋଇ ପଡିଯାଇଥିବାରୁ ସେ ଅଳ୍ପକେ ବର୍ତ୍ତିଯାଇଥିଲେ। ଗ୍ରାମବାସୀ ଓ ପଥଚାରୀଙ୍କ ସହାୟତାରେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ସଦଳବଳ ପହଞ୍ଚତ୍ ଗୁରୁତର ଦମ୍ପତିଙ୍କୁ ଉଦ୍ଧାର କରି ବୁର୍ଲା ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୁବେରଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀ ଚୂଡ଼ାବତୀଙ୍କ ବାମ ହାତ ଚୁରମାର ହୋଇଯାଇଥିବାରୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ସେପଟେ ବୋଲେରୋ ଧକ୍କା ଦେଲାପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ଶନିବାର ସକାଳେ ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ସ୍ମଶାନ ଘାଟଠାରେ ଅନ୍ତିମ ସଂସ୍କାର କରାଯାଇଥିଲା।

