ଚିଲିକାରେ ବୁଡ଼ିଲା ଡଙ୍ଗା: ୨ ମୃତ

ବ୍ରହ୍ମଗିରି,୫ା୯(ଡି.ଏନ୍‌.ଏ.):ଚିଲିକାରେ ରବିବାର ସନ୍ଧ୍ୟାରେ ଏକ ଡ଼ଙ୍ଗା ବୁଡ଼ିଯାଇଛି। ଏହି ଡଙ୍ଗାରେ ଥିବା ୯ଜଣ ଯୁବକଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ପୁରୀ ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ମୁତାବକ, ପୂର୍ବାହ୍ନରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମର ୫ ଯୁବକ ଓ ସେମାନଙ୍କ ସମ୍ପର୍କୀୟ ପୁରୀ ଅଞ୍ଚଳର ୪ ଜଣ ଯୁବକ ସାଥିହୋଇ ଚିଲିକାର କାଳିଯାଈ କୁଦାକୁ ଭୋଜି କରିବାକୁ ଯାଇଥିଲେ। ଭୋଜି ସାରି ସନ୍ଧ୍ୟାରେ ଡଙ୍ଗାରେ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ହଠାତ୍‌ ଜୋରରେ ପବନ ଓ ବର୍ଷା ହୋଇଥିଲା। ଫଳରେ ନାଉରିଆ ଭାରସାମ୍ୟ ହରାଇବାରୁ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗାରେ ଥିବା ଗମ୍ଭାରୀ ଗ୍ରାମର ୫ଜଣ ଯୁବକ ପହଁରି କୂଳକୁ ପଳାଇ ଆସିଥିଲେ। ଖବରପାଇ କେତେଜଣ ଗ୍ରାମବାସୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ସମ୍ପୃକ୍ତ ଯୁବକମାନଙ୍କ ସହ ଥିବା ଉଗ୍ରସେନ ଦାସ ପହଁରି ଏକ କୁଦାରେ ଲାଗିଥିବା ବେଳେ ଅନ୍ୟଜଣେ ସମ୍ପର୍କୀୟ ଧନଞ୍ଜୟ ପଲାଇଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ତେବେ ଅନ୍ୟ ୨ଜଣ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ଦୁଇ ଯୁବକଙ୍କ ମୃତଦେହ ମିଳିଥିଲା।