ତିହିଡ଼ି,୧୩।୬ (କାଳନ୍ଦୀ ବେହେରା): ଧୂଷୁରୀ ଥାନା ଅଧୀନ ବମକୁରା ପଞ୍ଚାୟତରେ ସରକାରୀ ରାସ୍ତା ମରାମତି କାମକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ରାସ୍ତା ମରାମତି କାର୍ଯ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଗଙ୍ଗାଧର ତରାଇଙ୍କୁ ପ୍ରଫୁଲ୍ଲ କୁମାର ମହାନ୍ତି ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ଗଙ୍ଗାଧର ତରାଇଙ୍କୁ ପ୍ରଥମେ ଧୂଷୁରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ, ସେଠାରୁ କଟକ ସ୍ଥିତ ସରକାରୀ ମେଡିକାଲ ଏବଂ ପରବର୍ତ୍ତୀ ସମୟରେ ଏକ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ଗୁରୁତର ଛୁରା ଆଘାତ ଲାଗିଥିବାରୁ ସେ ଏବେ ମଧ୍ୟ ଚିକିତ୍ସାଧୀନ ଅଛନ୍ତି।
ଘଟଣା ପରେ ଗଙ୍ଗାଧରଙ୍କ ପରିବାର ଲୋକେ ଚିନ୍ତାରେ ଥିବାବେଳେ ଅଭିଯୁକ୍ତ ପ୍ରଫୁଲ୍ଲ କୁମାର ମହାନ୍ତି ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ଏନେଇ ଧୂଷୁରୀ ଥାନାରେ କେସ ନଂ 260/26ରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ସରକାରୀ କାମକୁ କେନ୍ଦ୍ର କରି ଘଟିଥିବା ଏହି ହିଂସାତ୍ମକ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କ ଶୀଘ୍ର ଗିରଫ ଦାବି କରିଛନ୍ତି।
Odisha’s No.1 Odia Daily

