ରକ୍ତ, ବୀର୍ଯ୍ୟର ଦାଗ ଓ ଫରେନ୍ସିକ୍‌ ସାଇନ୍ସ

ସହଦେବ ସାହୁ

 

ଦେୱାନୀ ମକଦ୍ଦମାର ଆରମ୍ଭ ହୁଏ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଜମିବାଡି ବା ସମ୍ପତ୍ତି ଉପରେ କଳିରୁ, ତେଣୁ ସରକାର ମକଦ୍ଦମା-ପରିଚାଳନା ଦାୟିତ୍ୱ ନିଅନ୍ତି ନାହିଁ। ସମାଜରେ ଯେଉଁମାନେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରନ୍ତି ସେମାନଙ୍କୁ ଜବତ କରିବା ସରକାରଙ୍କ କର୍ତ୍ତବ୍ୟ ବୋଲି ଆଗକାଳର ସରକାର ଫୌଜ ଲଗାଇ, ଏବକାର ସରକାର ପୋଲିସ୍‌ ଲଗାଇ ବନ୍ଦୀ (ଆଇନ ଭାଷାରେ ଗିରଫ) କରି ରଖନ୍ତି, ତା’ ବିରୁଦ୍ଧରେ ଯେଉଁ ମକଦ୍ଦମା ରୁଜୁ କରନ୍ତି ତାହାକୁ ଏହି କାରଣରୁ ଫୌଜଦାରି ମକଦ୍ଦମା କୁହାଯାଏ। ଯେଯାଏ ବିଚାର ସରିନାହିଁ ଅଭିଯୁକ୍ତଟି ବିଚାରାଧୀନ (ଅଣ୍ଡରଟ୍ରାୟାଲ୍‌ ପ୍ରିଜ୍‌ନର୍‌) ଏବଂ ପୋଲିସର ଜିମା ବା କଷ୍ଟୋଡିରେ ଥାଏ। ପ୍ରମାଣ ଆଦାୟ କରିବାକୁ ଯାଇ ତା’ ଉପରେ ବଳ ପ୍ରୟୋଗ କାରଣରୁ କେବେ କେବେ ବିଚାରାଧୀନ କଏଦୀର ମୃତ୍ୟୁ ହୁଏ ତ ତାକୁ କଷ୍ଟୋଡିଆଲ୍‌ ଡେଥ୍‌ କହନ୍ତି। କଷ୍ଟୋଡି ମାନେ ତ ଯତ୍ନ ନେବା! ତେଣୁ କଷ୍ଟୋଡିଆଲ୍‌ ଡେଥ୍‌ ଏକ ଦୋଷ। ଏପରି ନ କରି ସହଜରେ ପ୍ରମାଣ ପାଇବା ପାଇଁ ପୋଲିସ୍‌ ନ୍ୟାୟିକ ବିଜ୍ଞାନ ବା ଫରେନ୍ସିକ୍‌ ସାଇନ୍ସର ସାହାଯ୍ୟ ନିଏ । ଗତ ୩୦-୪୦ ବର୍ଷ ହେଲା ଯୁକ୍ତରାଷ୍ଟ୍ର ଆମେରିକାରେ ଡିଏନ୍‌ଏ (ବଂଶଗୁଣ) ପରୀକ୍ଷା ଫରେନ୍ସିକ୍‌ ସାଇନ୍ସର ଅନ୍ତର୍ଭୁକ୍ତ ହୋଇଛି । ଆମ ଦେଶରେ ନ୍ୟାୟାଳୟମାନେ ଏବେ ଡିଏନ୍‌ଏ ପରୀକ୍ଷା ଫଳକୁ ପ୍ରମାଣ ରୂପେ ଗ୍ରହଣ କଲେଣି। ଅଭିଯୁକ୍ତର ଲୁଗାପଟା ଓ ତାହାର ଅସ୍ତ୍ରଶସ୍ତ୍ରରେ ଲାଗିଥିବା ଅଙ୍ଗୁଳିର ଛାପରୁ ନିଅନ୍ତି ଅବା ଛେପ, କେଶ, ରକ୍ତ, ବୀର୍ଯ୍ୟ ଭଳି ଦାଗରୁ ଡିଏନ୍‌ଏ ବାହାର କରି ତାକୁ ଅଭିଯୁକ୍ତଠାରୁ ନିଆଯାଇଥିବା ରକ୍ତର ଡିଏନ୍‌ଏ ସହ ତୁଳନା କରାନ୍ତି। ବିଜ୍ଞାନ ଲାବରେଟୋରୀରୁ ମିଳିଥିବା ଫଳ ଉପରେ କୋର୍ଟ ବିଚାର କରେ।
ମନେରଖିବା କଥା ଯେ ଯେତେ ସଫା କଲେ ବି ଲୁଗାରୁ ରକ୍ତର ବା ବୀର୍ଯ୍ୟର ଦାଗ ସହଜେ ଲିଭେନାହିଁ, ଡିଏନ୍‌ଏ କ୍ୱାଲିଟି କିଛି କିଛି ଖରାପ ହୋଇପାରେ । ଯଦି ଗବେଷଣାଗାରରେ ଦାଗ-ନମୁନାରୁ କିଛି ଫଳ ନ ମିଳିଲା ତେବେ ଫରେନ୍ସିକ୍‌ ପ୍ରମାଣ ନାହିଁ ବୋଲି କୁହାଯାଏ। ନୟାଗଡର ‘ପରୀ’ ମାମଲାରେ ସ୍ପେଶିଆଲ୍‌ ଇନ୍‌ଭେଷ୍ଟିଗେଟିଭ୍‌ ଟିମ୍‌ (ଏସ୍‌ଆଇଟି) ଫେଲ୍‌ ମାରିବାର କାରଣ ଏମିତି କିଛି ହୋଇଥିବ । ମନେରଖିବା କଥା ଯେ, ରକ୍ତ ବା ବୀର୍ଯ୍ୟ ଶୁଖିଗଲେ ଯେଉଁ ଦାଗ ପଡିଯାଏ, ତାହା ଗରମ ପାଣିରେ ପଡିଲେ ତହିଁରେ ଥିବା ପ୍ରୋଟିନ୍‌ ସକ୍ରିୟ ହୋଇଯାଏ, ସବୁଦିନିଆ ଦାଗ ରହିଯାଏ। ଦାଗକୁ ଲିଭାଇବା ପାଇଁ ଚାଲାକ୍‌ ଆସାମୀ ଅପରାଧ କରିବା ସାଙ୍ଗେ ସାଙ୍ଗେ ଲୁଗାକୁ ଓ ଅସ୍ତ୍ରଶସ୍ତ୍ରକୁ ଭଲ କରି ଡିଟର୍ଜେଣ୍ଟରେ ଧୋଇପକାଇଥାଏ।
ଆଉ ଗୋଟିଏ କଥା, ଦୋଷ ସ୍ବୀକାର କରିବା ଲାଗି ସରକାରୀ ପ୍ରସିକ୍ୟୁଟର୍‌ (ମାମଲା ଆରମ୍ଭ କରିଥିବା ପୋଲିସ୍‌ ଓ ତାଙ୍କ ଓକିଲ) ଅଭିଯୁକ୍ତକୁ ପ୍ରଲୋଭନ ଦେଖାଇବାର ଏକ ଅନୁମୋଦିତ ପନ୍ଥା ବ୍ୟବସ୍ଥା ବି ଅଛି। ‘ମାନି ଯା ତୋତେ କୋହଳ ଦଣ୍ଡ ମିଳିବ’ ଓ ଆମେ ତାହାର ବନ୍ଦୋବସ୍ତ କରିବୁ ବୋଲି ପୋଲିସ୍‌ କହିଥାଏ। ଯଦି ପୋଲିସ୍‌ ଗିରଫ ହୋଇଥିବା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମାନିଯାଏ ସରକାରୀ ପକ୍ଷ ତାକୁ ନାବାଳକ ଦେଖାଇ ନାବାଳିକାକୁ ବଳାକତ୍ାର ଓ ହତ୍ୟା ପାଇଁ ଥିବା ମୃତ୍ୟୁଦଣ୍ଡକୁ କୋହଳ କରି ‘କେବଳ ଜେଲ୍‌’ ଦଣ୍ଡ କରାଇଦେବେ। ଏ ପ୍ରକାର ସ୍ବୀକାରୋକ୍ତିକୁ ପ୍ଲି ବାର୍ଗେନିଂ ଅଥବା ପ୍ଲିଡିଙ୍ଗ ଗିଲ୍ଟି କହନ୍ତି। ଆମେରିକାରେ ବିଚାର ପ୍ରକ୍ରିୟା ସଂକ୍ଷେପରେ ସାରିବା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରିନିଆଯାଏ। ବିଚାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରସିକ୍ୟୁସନ (ସରକାରୀ ପକ୍ଷ) ଆସାମୀ ସାଙ୍ଗରେ ଦଣ୍ଡ-ପରିମାଣ ସମ୍ବନ୍ଧୀୟ ଯେଉଁ ବିଚାର-ପୂର୍ବ ମୂଲଚାଲ କରେ ତା’ ଫଳରେ ପ୍ରସିକ୍ୟୁସନ ଫାଶୀ ବା ମୃତ୍ୟୁଦଣ୍ଡ ଉପରେ ଜୋର୍‌ ଦିଏ ନାହିଁ, ‘ରେଆରେଷ୍ଟ ଅଫ୍‌ ରେଆର୍‌’ କେସ୍‌ ବୋଲି ଦାବିକରେ ନାହିଁ ଏବଂ ସେଭଳି ରାଜି ହୋଇ ଆସାମୀ ଲିଖିତ ଭାବରେ ବା ତାହାର ଓକିଲ ଜରିଆରେ ଅପରାଧ କରିଛି ବୋଲି ଜଣାଇଦିଏ।
ଯଦି ଅଭିଯୁକ୍ତ ସହିତ ଆଉ କେତେ ଜଣ ହତ୍ୟାକାଣ୍ଡରେ ଲିପ୍ତ ଥାଆନ୍ତି ସେ କ୍ଷେତ୍ରରେ ଆଉ ଗୋଟିଏ ବ୍ୟବସ୍ଥା ଅଛି: ସହାୟତା କରିଥିବା ଅଭିଯୁକ୍ତମାନଙ୍କ ଭିତରୁ ଜଣକୁ ଲୋଭ ଦେଖାଯାଏ, ଯଦି ସେ ସରକାରୀ ସାକ୍ଷୀ ବା ଆପ୍ରୁଭର୍‌ (ମୁଖ୍ୟ ଅପରାଧୀକୁ ଧରାଇଦେବାର ପ୍ରତ୍ୟକ୍ଷ ସାକ୍ଷ୍ୟ ଦେବାର ଲୋକ) ହୋଇଯାଏ କୋର୍ଟର ସମ୍ମତି ନେଇ ତାକୁ ରାଜସାକ୍ଷୀରୂପେ ଧରାଯାଏ, ତେଣୁ ନିରୀହ ବ୍ୟକ୍ତି ରୂପେ ଗଣାଯାଏ ।
ପ୍ଲି ବାର୍ଗେନିଂ ହେଉ ବା ଆପ୍ରୁଭର ବ୍ୟବସ୍ଥା ହେଉ ତା’ ଯୋଗୁ ପ୍ରକୃତ ମୁଦାଲା ଧରାପଡେ ନାହିଁ; ମାମଲାଟା ସରକାରୀଭାବେ ବନ୍ଦ ହୋଇଯାଏ।
ଏଭଳି ଦଣ୍ଡ ପାଇଯାଇଥିବା ଲୋକଟି ପରେ ସେହି ଡିଏନ୍‌ଏ ତାହାର ନୁହେଁ ବୋଲି ଅପିଲ୍‌ କୋର୍ଟକୁ ଯାଇପାରେ। ଡିଏନ୍‌ଏ ପ୍ରୋଫାଇଲ୍‌ ତାହାର ବୋଲି ପ୍ରମାଣିତ ନ ହେଲେ ସେ ନିରୀହ ବୋଲି କୋର୍ଟ ଦ୍ୱାରା ଘୋଷିତ ହୋଇପାରେ ଏବଂ ସମାଜରେ ମର୍ଡରର ବୋଲି ଅଭିହିତ ହୋଇ ତା’ର ହଜିଯାଇଥିବା ମର୍ଯ୍ୟାଦା ଫେରିପାଇପାରେ। ଆମେରିକାର ବଲ୍ଟିମୋରରେ ଗୋଟିଏ ମାମଲାରେ ଦଣ୍ଡ ପାଇଥିବା ଦୁଇଜଣ ୨୦ ବର୍ଷ ପରେ ଡିଏନ୍‌ଏ ଟେଷ୍ଟରେ ନିର୍ଦ୍ଦୋଷ ବୋଲି ଖଲାସ ହୋଇଥିଲେ। ଜଣେ ଜେମ୍ସ ଓୟେନ୍‌ସ (ଏବେ ୫୨) ୧୯୮୮ରେ ଆଜୀବନ ଜେଲ ଯାଇଥିଲେ, ଜଣେ ୨୪ ବର୍ଷୀୟା ଛାତ୍ରୀକୁ ତା’ ଘରେ ବଳାତ୍କାର କରି ଛୁରା ଭୁସି ହତ୍ୟା କରିଥିବା ଅଭିଯୋଗରେ। କିନ୍ତୁ ସେ କହିଆସୁଥିଲେ ଯେ ଅତ୍ୟାଚାରିତା ଶରୀରରେ ମିଳିଥିବା ଶୁକ୍ରାଣୁ ତାହାର ନୁହେଁ, ତେଣୁ ପୁନର୍ବିଚାର ହେଉ। ୨୦୦୬ରେ ମେରୀଲାଣ୍ଡର ଏକ କୋର୍ଟ ହଁ କଲେ, ରାଜ୍ୟ ପ୍ରସିକ୍ୟୁଟର ରାଜି ନ ହେଉଥିଲେ ବି। ବରଂ ରାଜ୍ୟ ପ୍ରସିକ୍ୟୁଟରମାନେ ପ୍ରଲୋଭନ ଦେଖାଇଲେ ଯେ ଯଦି ସେ ଦୋଷ ସ୍ବୀକାର କରନ୍ତି ତାଙ୍କୁ ଜେଲରୁ ମୁକୁଳାଇ ଦିଆଯିବ। ଏ ପ୍ରକାରର ବେପାରକୁ (ଯାହାକୁ ଆଲ୍‌ଫର୍ଡ ପ୍ଲି କୁହାଯାଏ) ସେତେବେଳର ୪୩ ବର୍ଷୀୟ ଜେମସ୍‌ ଓୟେନ୍‌ସ ମନା କରିଦେଲେ, କାରଣ ଜେଲରୁ ମୁକୁଳିଥିଲେ ବି ଲୋକଙ୍କ ଏବଂ ଆଇନର ଆଖିରେ ତଥା କାଗଜପତ୍ରରେ ସେ ରହିଯିବେ ମର୍ଡରର୍‌। ସେ ପୁନର୍ବିଚାର ଚାହାନ୍ତି ମାମଲାଟା ଯେତେ ଦିନ ଯାଉ ପଛେ। ସେ ଦୋଷ ସ୍ବୀକାର କରି ଜେଲରୁ ମୁକୁଳିଲା ମାନେ ତ ସେ ମୁଣ୍ଡ ଟେକି ଗାଁଦାଣ୍ଡରେ ଚାଲିପାରିବ ନାହିଁ, ତାଙ୍କୁ ଲୋକେ ହତ୍ୟାକାରୀ ବୋଲି କହୁଥିବେ। ଏମିତିକା ତେଢ଼ା ନିଷ୍ପତ୍ତି ଫଳରେ ଓୟେନ୍ସ ଆଉ ୧୬ ମାସ ଜେଲରେ ରହିଲେ। ୨୦୦୮ରେ ବିଚାରର ପୁନର୍ବାର ଶୁଣାଣି ଆରମ୍ଭ ହେଲା ବେଳକୁ ପ୍ରସିକ୍ୟୁଟର ଛିଡ଼ା ହୋଇ ବିଚାରପତିଙ୍କୁ କହିଲେ, ସେ ଅଭିଯୋଗକୁ ଆଗେଇନେବାକୁ ଚାହୁଁ ନାହାନ୍ତି। କୋର୍ଟ ଓୟେନ୍ସଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ଏବଂ ରାୟ ଦେଲେ ଯେ, ସେ ଷ୍ଟେଟ୍‌ ନାଁରେ ନାଲିସ୍‌ କରିପାରିବେ – ୨୧ ବର୍ଷ କାଳ ସେ ଅନ୍ୟାୟରେ ଜେଲଦଣ୍ଡ ଭୋଗିଛନ୍ତି ତାହାର କ୍ଷତିପୂରଣ ପାଇଁ ା ଡିଏନ୍‌ଏ ଯୋଗୁ ବଲ୍ଟିମୋରର ଆଉ ଜଣେ ଲୋକ ଜେମସ୍‌ ଥମ୍ପସନ୍‌ ମଧ୍ୟ ପୁନର୍ବିଚାର ଚାହିଁଲେ, କିନ୍ତୁ ଆଲଫ୍ରେଡ୍‌ ପ୍ଲି ନେଇ ଜେଲରୁ ମୁକୁଳିଗଲେ ସତ, କିନ୍ତୁ ଦଣ୍ଡିତ ମର୍ଡରର୍‌ ଭାବେ ଲୋକମୁଖରେ ରହିଲେ।
ଫୌଜଦାରି ମାମଲାରେ ଡିଏନ୍‌ଏ ଟେଷ୍ଟ ନୂଆ ଯୁଗ ଆଣିଦେଇଛି। ଏ ନିଷ୍ଠୁର ସତ୍ୟ ପୋଲିସର ଖାମଖିଆଲପଣିଆ ଉପରେ ଯେତେ ଆଲୋକପାତ କରୁଛି; ଫ୍ରିଡମ୍‌ ପ୍ଲି ବା ପ୍ଲିଡିଙ୍ଗ ଗିଲ୍ଟି ଭଳି ବ୍ୟବସ୍ଥାରେ କମ୍‌ ଦଣ୍ଡ ଭଳି କଦଳୀ ଝୁଲାଇ ମୁଦେଇ-ପକ୍ଷ-ଓକିଲ କେତେ ଯେ ନିରୀହ ଲୋକଙ୍କୁ ଜେଲ୍‌ ପଠାଉଛନ୍ତି ତାହାର ହିସାବ କରିହେବ ନାହିଁ । ମନସ୍ତତ୍ତ୍ୱବିତ୍‌ମାନେ କହନ୍ତି, ମୃତ୍ୟୁ ଦଣ୍ଡ ପାଇଥିବା ଲୋକ ପ୍ରାୟ ଗରିବ। ଅଧିକାଂଶ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର କମ୍‌ ଶିକ୍ଷିତ, ନିର୍ବୁଦ୍ଧିଆ; ଖୁବ୍‌ କମ୍‌ ଏଭିଡେନ୍ସରେ ବା ତ୍ରୁଟିପୂର୍ଣ୍ଣ ଫରେନ୍ସିକ୍‌ ପ୍ରମାଣ ଉପରେ ନିର୍ଭର କରି ଦଣ୍ଡିତ ହୋଇଥାନ୍ତି। ଆମେରିକାର ଜଣେ ଲ’ ପ୍ରଫେସର୍‌ ବାର୍‌ବରା ଓ’ବ୍ରାଏନ୍‌ ପୋଲିସ୍‌ର ସାଇକୋଲଜି ବିଷୟରେ କହନ୍ତି, ”କୌଣସି ନା କୌଣସିଠାରେ କ’ଣ ଘଟିଛି ଭାବିବାଠାରୁ ସିଧା ଚାଲିଯାଆନ୍ତି ପ୍ରମାଣ କରିବାକୁ – ନିଜେ ଭାବିଥିବା ଅନୁସାରେ କିପରି ଏହା ଘଟିଲା।“ ନିରୀହ ଗରିବ ଲୋକେ ମକଦ୍ଦମା ଲଢିବା ପାଇଁ ବା ଅପିଲରେ ଯିବା ପଇସା କେଉଁଠୁ ପାଇବେ? ଅନ୍ୟାୟରେ ଦଣ୍ଡିତ କରିବା ତ ଖରାପ କଥା, କିନ୍ତୁ ଯେତେବେଳେ ଜଣାପଡିଯାଏ ଯେ ବ୍ୟକ୍ତିଟି ନିରୀହ ଅଥଚ ସରକାର ତାହା ସ୍ବୀକାର କରେନାହିଁ, କଥାଟା ମାରାତ୍ମକ ହୋଇଯାଏ। ସେମାନଙ୍କ ପାଇଁ ସ୍ବର ଉତ୍ତୋଳନ କରିବାକୁ କେହି ବାହାରନ୍ତି ନାହିଁ। ଲୋକଙ୍କ ଧାରଣା ବଢିଯାଏ ଯେ ପୋଲିସ୍‌ ଧରିଛି ମାନେ କେସ୍‌ଟା କଡ଼ା ଅଛି। କିନ୍ତୁ ପୋଲିସ୍‌ ବା ପ୍ରସିକ୍ୟୁଟର ସବୁବେଳେ ଠିକ୍‌ ନୁହେଁ।
sahadevas@yahoo.mail


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri