ହାଟଡିହୀ,୧୧।୧(ଶୁଭକାନ୍ତ ନାୟକ): ଗତ ଦୁଇ ଦିନ ପୂର୍ବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଜଣେ ଯନ୍ତ୍ରୀ ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠିଙ୍କୁ ତୀର ମାରିବା ଘଟଣାକୁ ନେଇ ବ୍ଲକ ପରିସରରେ ତୁମୁଳ କାଣ୍ଡ ଦେଖିବାକୁ ମିଳିଛି । ବିଧାୟକ ଅଭିମନ୍ୟୁ ସେଠି ନିଜ ଦଳୀୟକର୍ମୀଙ୍କ ସହ ବ୍ଲକ ପରିସରରେ ହୋ ହାଲ୍ଲା କରି ବିଡ଼ିଓଙ୍କ ଉପରେ ଉତ୍ୟକ୍ତ ହୋଇଥିଲେ । କିନ୍ତୁ ଏହି ଘଟଣାର ସତ୍ୟତା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଏ ବାବଦରେ କୌଣସି ପ୍ରମାଣ ଅଦ୍ୟାବଧି ମିଳି ପାରିନି ।
ଘଟଣା ସମ୍ପର୍କରେ ବିଡ଼ିଓ ରଞ୍ଜନ ପରିଡା କହିଛନ୍ତି ଯେ ବିଧାୟକ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ । କାରଣ ଅଭିଯୋଗ ବାବଦରେ କୌଣସି ପ୍ରମାଣ ନାହିଁ । ସମ୍ପୃକ୍ତ ଯନ୍ତ୍ରୀ ମଧ୍ୟ ବିଧାୟକଙ୍କ ଅଭିଯୋଗକୁ ଅସ୍ବୀକାର କରିଛନ୍ତି । କିନ୍ତୁ ସମ୍ପୃକ୍ତ ଘଟଣାକୁ ନେଇ ବିଧାୟକଙ୍କ ପତ୍ନୀ ତଥା ବ୍ଲକ ଅଧକ୍ଷା ସାବିତ୍ରୀ ସେଠି ମୋ ଅଫିସ ଚାମ୍ବରକୁ ଆସି ଅଙ୍ଗୁଳି ଦେଖାଇ ଅତି କଦର୍ଯ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କଲେ, ଯାହାକି ନିନ୍ଦନୀୟ, ଦୁଃଖଦାୟକ ଏବଂ ଅଗ୍ରଣୀୟ ।
ଏହି ସମୟରେ ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ । ଏ ନେଇ ଜିଲାପାଳଙ୍କୁ ଜଣାଇଛି, ଜିଲାପାଳ ବ୍ଲକ ଆସି ଘଟଣା ସମ୍ପର୍କ ରେ ବୁଝିବେ ବୋଲି କହିଛନ୍ତି ବିଡିଓ । ବିଜେଡି ବିଧାୟକ ଅଭିମନ୍ୟୁ ସେଠି କହିଛନ୍ତି ଯେ ଆମ ଦଳର କର୍ମୀ ପାଖରୁ ଘଟଣା ବାବଦରେ ଶୁଣିଥିଲି । ଏହାର ପ୍ରମାଣ କର୍ମୀଙ୍କ ନିକଟରେ ଥିବ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆନନ୍ଦପୁର ଭାଜପା ବିଧାୟକ ପ୍ରାର୍ଥୀ ଆଲୋକ ସେଠି ଏବଂ ସାଂସଦ ପ୍ରତିନିଧି ସୁନୀଲ ନାୟକ କହିଛନ୍ତି ଯେ ବିଜେଡି ବିଧାୟକ ନିଜ କର୍ମୀଙ୍କ ଜରିଆରେ ସରକାରୀ ଅନୁଦାନକୁ ଲୁଟ କରିବା ଉଦ୍ୟମରେ ବିଫଳ ହେବା ଏବଂ ଦଳର ସ୍ଥିତି ଧୀରେ ଧୀରେ ଦୁର୍ବଳ ହେବା କାରଣରୁ ଏପରି ନାଟକ ରଚନା କରାଯାଇ ସରକାରୀ କର୍ମଚାରୀଙ୍କୁ ହଇରାଣ କରାଯାଉଛି ।
ବିଧାୟକଙ୍କ ସ୍ତ୍ରୀ ବ୍ଲକ ଅଧକ୍ଷା ଥିବାରୁ ବିଡ଼ିଓଙ୍କୁ ଯେଉଁ ଦୁର୍ବ୍ୟବହାର କଲେ ତାହା ବରଦାସ୍ତ କରାଯିବନି । ତୁରନ୍ତ ପ୍ରଶାସନ ବ୍ଲକ ଅଧକ୍ଷା ଏବଂ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ଅଟେ । ସୂଚନା ଯୋଗ୍ୟ, ବ୍ଲକ ଅଧକ୍ଷା କରିଥିବା ଦୁର୍ବ୍ୟବହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କିନ୍ତୁ ବ୍ଲକ ଅଧକ୍ଷା ସାବିତ୍ରୀ ସେଠି ଦୁର୍ବ୍ୟବହାର ପ୍ରସଙ୍ଗକୁ ଅସ୍ବୀକାର କରିଛନ୍ତି ।


