କଳା ଗୋରା

ଆଫ୍ରିକୀୟ-ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ହତ୍ୟାକାରୀ ଆମେରିକା ମିନିଆପଲିସ୍‌ର ପୂର୍ବତନ ପୋଲିସ ଅଫିସର ଡେରେକ୍‌ ଚଉଭିନ୍‌ଙ୍କୁ ୨୬ ଜୁନ୍‌ରେ ମିନେସୋଟା କୋର୍ଟ ୨୨ ବର୍ଷ ୫ ମାସ ଜେଲ ଦଣ୍ଡାଦେଶ ଦେଇଛନ୍ତି। ରାୟ ପ୍ରକାଶ ପାଇବା ପରେ କୃଷ୍ଣକାୟମାନେ ଆଶ୍ୱସ୍ତି ଲାଭ କରିଛନ୍ତି। ଫ୍ଲଏଡ୍‌ଙ୍କ ମୃତ୍ୟୁ ପରେ ଯଦିଓ ଆହୁରି ଅନେକ କୃଷ୍ଣକାୟଙ୍କୁ ପୋଲିସ ଦ୍ୱାରା ହତ୍ୟା କରାଯାଇଛି, ତଥାପି ଚଉଭିନ୍‌ଙ୍କୁ ଯେଭଳି ଦଣ୍ଡିତ କରାଗଲା ନିଶ୍ଚିତ ଭାବେ ଏହା ଏକ ଦୃଷ୍ଟାନ୍ତ ସୃଷ୍ଟି କରିଦେଲା। କୁହାଯାଉଛି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସମୟରେ ଏହା ସମ୍ଭବ ହୋଇପାରିଲା। ଅନ୍ୟପକ୍ଷରେ ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନରେ ଫ୍ଲଏଡ୍‌ଙ୍କ ଭଳି ଅନେକ କୃଷ୍ଣକାୟଙ୍କୁ ବାରମ୍ବାର ହତ୍ୟା କରାଯାଇଛି। ହେଲେ ହତ୍ୟାକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଚଉଭିନ୍‌ଙ୍କୁ ଦୀର୍ଘବର୍ଷ ଦଣ୍ଡିତ କରିବା ପଛରେ ଯେଉଁ ଅଭିଯାନର ସର୍ବାଧିକ ଅବଦାନ ରହିଥିଲା, ତାହା ହେଉଛି-‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ବା କଳାମାନଙ୍କ ଜୀବନ ମୂଲ୍ୟରଖେ। ଫ୍ଲଏଡ୍‌ଙ୍କ ବେକକୁ ଚଉଭିନ୍‌ ପାଖାପାଖି ୧୦ ମିନିଟ୍‌ ଆଣ୍ଠୁରେ ଚାପି ରଖି ଯେଭଳି ଭାବେ ହତ୍ୟା କଲେ ତାହା ସଭ୍ୟ ସମାଜର ଯେକୌଣସି ବ୍ୟକ୍ତିଙ୍କୁ ବ୍ୟଥିତ କରିବା ସ୍ବାଭାବିକ। ସେହି ସମୟର ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଶ୍ୱେତାଙ୍ଗମାନେ ମଧ୍ୟ ତାହାକୁ ବିରୋଧ କରିଥିଲେ। ଭାରତରେ ଏହିଭଳି ପୋଲିସ ବିରୋଧୀ ରାୟ ଆଶା କରିବା ବୃଥା। ତତ୍‌ସହିତ ଏକବର୍ଷ ପୂରୁଣୁ ଏଭଳି ଘଟଣାରେ ରାୟ ପ୍ରକାଶ ପାଇବା ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରୁଥିବ। ଚଉଭିନ୍‌ଙ୍କୁ ଯେଭଳି ଦଣ୍ଡିତ କରାଯାଇଛି, ତାହା କୃଷ୍ଣକାୟଙ୍କ ପ୍ରତି ଥିବା ଆକ୍ରମଣକୁ ପ୍ରଶମିତ କରିବାରେ ସହାୟକ ହୋଇପାରେ ବୋଲି କୁହାଯାଇପାରେ। ଏଥିସହିତ ଏହି ରାୟ ଦ୍ୱାରା ଆମେରିକା ତା’ର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ କରିପାରିଛି। ୨୮ ଜୁନ୍‌ରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଆହ୍ବାନ ଦେଇଛନ୍ତି ଯେ, ଫ୍ଲଏଡ୍‌ଙ୍କ ହତ୍ୟା ଭଳି ବାରମ୍ବାର ଘଟୁଥିବା ଘଟଣାକୁ ଦୂରେଇ ଦେବା ସକାଶେ ବିଶ୍ୱବ୍ୟାପୀ କୃଷ୍ଣକାୟଙ୍କ ବିରୋଧରେ ଦେଖାଦେଉଥିବା ବିଧିବଦ୍ଧ ବର୍ଣ୍ଣବୈଷମ୍ୟକୁ ତୁରନ୍ତ ଭାଙ୍ଗିଦିଆଯାଉ। ଏଭଳି ପରିପ୍ରେକ୍ଷୀରେ ଭାରତର ଉଦାହରଣକୁ ଦେଖାଯାଉ। ସମସ୍ତେ ଜାଣିଛନ୍ତି ଯେ, ହିନ୍ଦୁ ସମାଜରେ ଜାତିଆଣଭାବ ପ୍ରବଳମାତ୍ରାରେ ରହିଛି। ସେହି ମାନସିକତାକୁ ସନ୍ତୁଳିତ କରିବା ସକାଶେ ସଂରକ୍ଷଣଠାରୁ ଆରମ୍ଭକରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ଚାଲିଆସିଛି। ଉଚ୍ଚବର୍ଗର ଅଧିକାଂଶ ଲୋକ ଏହାକୁ ତୀବ୍ର ଭାବେ ସମାଲୋଚନା କରୁଥିବା ବେଳେ ନିଜର ଦୈନନ୍ଦିନ ଜୀବନରେ ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁନାହାନ୍ତି। ସେଥିପାଇଁ ଏବେ ମଧ୍ୟ ଦଳିତ ମହିଳା ଓ ଯୁବତୀଙ୍କ ଉପରେ ପାଶବିକ ଅତ୍ୟାଚାର ଏବଂ ପୁରୁଷଙ୍କୁ ସାଧାରଣରେ ଶାରୀରିକ ନିର୍ଯାତନା ଓ ହତ୍ୟା କରାଯିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେହିଭଳି ବର୍ଣ୍ଣବୈଷମ୍ୟ କେବଳ ଗୋରାଙ୍କ ଦେଶରେ ସୀମିତ ନାହିଁ। ଆଫ୍ରିକା ଓ ଏସିଆ ମହାଦେଶରେ ପରସ୍ପରକୁ ଘୃଣା କରୁଥିବା ବିଭିନ୍ନ ଗୋଷ୍ଠୀ ସବୁବେଳେ ରହିଆସିଛନ୍ତି। ଜାତିସଂଘର ମହାସଚିବଙ୍କ ଦ୍ୱାରା ଦିଆଯାଇଥିବା ବର୍ଣ୍ଣବିଦ୍ୱେଷ ଭଙ୍ଗାଯାଉ ଡାକରା ସମ୍ପୂର୍ଣ୍ଣ ଅର୍ଥହୀନ ହୋଇଯାଉଛି। ଏହା ଏକ ପିଢ଼ିଗତ ମନୋଭାବ ହୋଇଥିବାରୁ ଏହାକୁ କୌଣସି ଆଇନ ଦ୍ୱାରା ଭାଙ୍ଗି ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri