କୋରାପୁଟ,୧୪ା୧୧(ଅମିତାଭ ବେହେରା): ‘ଦେଶ ବଞ୍ଚାଅ, ଅରାଜକତା ହଟାଅ’ ନାରା ଦେଇ କୋରାପୁଟ ଜିଲା ଭାଜପା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲାର ସମସ୍ତ ବ୍ଲକ୍ରୁ ଆସିଥିବା ଦଳୀୟ କର୍ମୀ ଓ ଜିଲାସ୍ତରୀୟ ନେତୃବୃନ୍ଦଙ୍କୁ ନେଇ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ବସ୍ଷ୍ଟାଣ୍ଡଠାରେ ପହଞ୍ଚିଥିଲା।
ରାଜ୍ୟ ପ୍ରଭାରୀ ରମେଶ ଚନ୍ଦ୍ର ସାହୁ ଓ ଜିଲା ପ୍ରଭାରୀ ଭାବେନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରାରେ କଂଗ୍ରେସର ଆଭିମୁଖ୍ୟକୁ ଦଳୀୟ ନେତାମାନେ ସମାଲୋଚନା କରିଥିଲେ। ନିର୍ବାଚନ କମିଶନଙ୍କ ନୀତି ଏବଂ ଏସ୍ଆଇଆର୍ ପ୍ରକ୍ରିୟା ଠିକ ଭାବେ ଚାଲିଥିବାବେଳେ ରାହୁଲ ଗାନ୍ଧୀ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଇଣ୍ଡି ମେଣ୍ଟ ଦେଶରେ ଅରାଜକତା ସୃଷ୍ଟି କରିବା ସହ ଗଣତନ୍ତ୍ରକୁ ଦୁର୍ବଳ କରିବା ଏବଂ ଦେଶବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଥିବା ଦଳୀୟ ନେତାମାନେ କହିଥିଲେ। ଏଭଳି କାର୍ଯ୍ୟକଳାପର ପ୍ରତିବାଦରେ ଗଣତନ୍ତ୍ର ବଞ୍ଚାଅ ଶୋଭାଯାତ୍ରା କରାଯାଇଥିବା ସେମାନେ ପ୍ରକାଶ କରିଥିଲେ।
ଏଥିରେ ଜିଲା ପ୍ରଭାରୀ ଭାବେନ୍ଦ୍ର ପଣ୍ଡା, ନଗର ସଭାପତି ଓ୍ବ. ସତ୍ୟନାରାୟଣ, ବରିଷ୍ଠ କର୍ମକର୍ତ୍ତା ନୃପେନ୍ଦ୍ର ନାରାୟଣ ବାଗ, ଜିଲା ସଭାପତିଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

