
ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଧାନ ଅମଳ ଓ ସଂଗ୍ରହ ସମୟରେ ବର୍ଷା ହେବା ଯୋଗୁ କ୍ଷେତ, ଖଳାରେ ରହିଥିବା ଧାନ ଉଜୁଡି ଯାଇଛି। ଏଭଳି ସ୍ଥିତିରେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କ ପାଇଁ ସରକାର କ୍ଷତିପୂରଣ ଘୋଷଣା କରି ନାହାନ୍ତି। ଅନ୍ୟପକ୍ଷରେ ଚାଷୀଙ୍କୁ କ୍ଷତିପୂରଣ ଦାବି ଜୋର୍ ଧରି ବସିଛି। ଏହି କ୍ରମରେ ବୁଧବାର ଜିଲା ବିଜେଡି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି।
ଦଳର ଜିଲା ସଭାପତି ସୁଶାନ୍ତ ମହାପାତ୍ରଙ୍କ ନେତୃତ୍ୱରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପୂର୍ବତନ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଅନେକ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଦାବିପତ୍ର ପ୍ରଦାନ କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ଦାବିପତ୍ର ଗ୍ରହଣ ପାଇଁ ଜିଲାପାଳ ନ ଆସିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ବିଜେଡି ବିଧାୟିକା, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା, କର୍ମୀ ଜିଲାପାଳଙ୍କ ଚ୍ୟାମ୍ବରକୁ ଧସେଇ ପଶିଥିଲେ। ଏହି ସମୟରେ ପୋଲିସ ସହିତ କଥା କଟାକଟି ହୋଇଥିଲା। ତେବେ ଚ୍ୟାମ୍ବରରେ ଜିଲାପାଳ ଉପସ୍ଥିତ ନ ଥିବାରୁ ସେମାନେ ସେଠାରେ ଧାରଣାରେ ବସିଥିଲେ। ପରେ ଜିଲାପାଳ ଆଦିତ୍ୟ ଗୋୟଲ ପହଞ୍ଚି ଦାବିପତ୍ର ଗ୍ରହଣ କରିଥିଲେ।