ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର ବିଜେପୁର ଥାନା ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ, ଗତ ୩ ତାରିଖରେ କେତେକ ଦୁର୍ବୃତ୍ତ ଜଣେ ଠିକାଦାରଙ୍କୁ ବନ୍ଧୁକ ମୁନରେ ଖୋଲାଖୋଲିଭାବେ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ ତାଙ୍କୁ ବିଜେପୁର NAC ର ଏକ ଟେଣ୍ଡର ପ୍ରକ୍ରିୟାରୁ ଓହରି ଯିବା ପାଇଁ ବାଧ୍ୟ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏହିପରି ଏକ ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତମାନଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରି ନାହିଁ। ଟେଣ୍ଡର ଫିକ୍ସିଂ ଭଳି ଅଭିଯୋଗକୁ ନେଇ ଜଣେ ଠିକାଦାରଙ୍କୁ ଉଠାଇ ନେବା ଓ ଭୟର ପରିବେଶ ସୃଷ୍ଟି କରାଯାଉଥିବା ଘଟଣାକୁ ବିଜେଡି ଦୃଢ଼ ଭାବରେ ନିନ୍ଦା କରିଛି।
ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରି ଗିରଫ କରିବାକୁ ବିଜେଡି ଦାବି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଯାଏ, ତେବେ ବିଜେଡି ପକ୍ଷରୁ ଗଣଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ସ୍ମାରକପତ୍ର ପ୍ରଦାନ ସମୟରେ ବିଜେଡି ଜିଲା ସଭାପତି ସୁଶାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରୀତା ସାହୁ, ପୂର୍ବତନ ବିଧାୟକ ତଥା ରାଜ୍ୟ ବରିଷ୍ଠ ସମ୍ପାଦକ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜୁ ଯୁବ ଜନତା ଦଳର ବରିଷ୍ଠ ଉପସଭାପତି ସୁବ୍ରତ ସିଂହ, ଜିଲା ଯୁବ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ, ବରିଷ୍ଠ ନେତା ଗୌରହରି ମିଶ୍ର, ଶକୁନ୍ତଳା ମହାପାତ୍ର, ଟିକାୟତ ମହୋତ୍ତମ, ଦେବାନନ ଗର୍ତିଆ, ରାଜ୍ୟ ସମ୍ପାଦକ ରାଜୁ ଘିବେଲାଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ।