Categories: ଖେଳ

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବବୃହତ୍‌: ଏଫ୍‌ଆଇଏଚ୍‌

ଭୁବନେଶ୍ୱର,୧୫।୧(ସ୍ପୋଟର୍‌ସ ବ୍ୟୁରୋ): ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ବିଶ୍ୱର ସର୍ବବୃହତ୍‌ ହକି ଷ୍ଟାଡିୟମ ଭାବରେ ସ୍ବୀକୃତି ପ୍ରଦାନ କରିଛି ଅନ୍ତର୍ଜାତୀୟ ହକି ଫେଡେରେଶନ୍‌(ଆଇଏଚ୍‌ଏଫ୍‌)। ସ୍ବୀକୃତି ମିଳିବା ପରେ ଷ୍ଟାଡିୟମଟି ସର୍ବବୃହତ୍‌ କି ନାହିଁ ତାହାକୁ ନେଇ ଲାଗି ରହିଥିବା ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ। କେବଳ ହକି ପାଇଁ ସ୍ବତନ୍ତ୍ର ଭାବରେ ଷ୍ଟାଡିୟମ ନିର୍ମାଣ କରାଯାଇଥିବା ବେଳେ ଶନିବାର ଏଫ୍‌ଆଇଏଚ୍‌ ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯିବା ସହିତ ଏହାକୁ ଏକ କଳାକୃତି ଭାବରେ ବର୍ଣ୍ଣନା କରାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଷ୍ଟାଡିୟମକୁ ସର୍ବବୃହତ୍‌ ବୋଲି ଦାବି କରାଯାଇଥିବା ବେଳେ ଏହାକୁ ଖଣ୍ଡନ କରିଥିଲେ ବିରୋଧୀ। ୨୧ ହଜାର କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମଟି କେବଳ ହକି ଖେଳ ପାଇଁ ଉଦ୍ଦିଷ୍ଟ। ଶୁକ୍ରବାର ଠାରୁ ଏହି ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିବା ବେଳେ ଏକ ଇମେଲ ଜରିଆରେ ହକି ଇଣ୍ଡିଆ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଥିଲା। ଲାହୋରର ନ୍ୟାଶନାଲ ହକି ଷ୍ଟାଡିୟମରେ ୪୫ ହଜାର ଦର୍ଶକ କ୍ଷମତା ରହିଥିବା ବେଳେ ଚଣ୍ଡୀଗଡ ହକି ଷ୍ଟାଡିୟମର ଦର୍ଶକ କ୍ଷମତା ୩୦ ହଜାର , ଲସଏଞ୍ଜେଲେସର ଓ୍ବେନ୍‌ଗାର୍ଟ ଷ୍ଟାଡିୟମର ଦର୍ଶକ କ୍ଷମତା ୨୨୩୫୫ ରହିଛି। ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ କେବଳ ସ୍ବତନ୍ତ୍ର ଭାବରେ ହକି ଖେଳ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମର ଦର୍ଶକ କ୍ଷମତା ୧୫ ହଜାର ରହିଛି। ୨୦୦ କୋଟି ଟଙ୍କା ବିନିଯୋଗରେ ଏହି ଷ୍ଟାଡିୟମ ମାତ୍ର ୧୫ ମାସର ସମୟରେ ନିର୍ମାଣ କରାଯାଇଥିଲା। ବିଶ୍ୱକପ୍‌ର ୪୪ ମ୍ୟାଚ୍‌ ମଧ୍ୟରୁ ଏହି ଷ୍ଟାଡିୟମରେ ୨୦ ମ୍ୟାଚ ଖେଳାଯିବ। ୧୨୦ ଏକରର ବିପିୟୁଟି କ୍ୟାମ୍ପସ ମଧ୍ୟରେ ୩୫ ଏକର ଅଞ୍ଚଳରେ ଏହି ଷ୍ଟାଡିୟମଟି ପରିବ୍ୟାପ୍ତ। ଏହି ଷ୍ଟାଡିୟମରେ ଭିନ୍ନ ଭାବରେ ଫିଟନେସ ସେଣ୍ଟର ଓ ସ୍ବିମିଂ ପୁଲ୍‌ ରହିଥିବା ବେଳେ ପ୍ରାକ୍ଟିସ୍‌ ପିଚ୍‌ ଓ ଡ୍ରେସିଂ ରୁମ୍‌କୁ ସଂଯୋଗ କରୁଥିବା ଏକ ଟନେଲ ରହିଛି।

Share