ଗାଁରୁ ବଲାଙ୍ଗୀର ଆସୁଥିଲେ, ଲଖପାଲି ଛକରେ ପଛପଟୁ ଧକ୍କା ଦେଲା ହାଇୱା; ବାଇକ୍ ଆରୋହୀ…

ବଲାଙ୍ଗୀର,୨୮।୧୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥର ପୁଇଁନ୍ତଲା ବ୍ଲକ୍ ନିକଟ ଲଖପାଲି ଛକରେ ଶନିବାର ସନ୍ଧ୍ୟାରେ ଏକ ବାଲି ବୋଝେଇ ହାଇୱା ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ହାଇୱାଟି ପଛପଟୁ ଧକ୍କା ଦେବାରୁ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତର ଆହତ ବ୍ୟକ୍ତି ଜଣକ ପୁଇଁନ୍ତଲା ଥାନା ଅନ୍ତର୍ଗତ ବନ୍ଦନାକଟା ଗ୍ରାମର ହୃଷୀକେଶ ବିଶ୍ୱାଳ (୫୨) ବୋଲି ପରିଚୟ ମିଳିଛି।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ହୃଷୀକେଶ ବିଶ୍ୱାଳ ନିଜ ଗାଁରୁ ବାଇକ୍ ଯୋଗେ ବଲାଙ୍ଗୀର ସହର ଅଭିମୁଖେ ଆସୁଥିଲେ। ଏହି ସମୟରେ ଲଖପାଲି ଛକ ନିକଟରେ ଏକ ବାଲି ବୋଝେଇ ହାଇୱା ଗାଡ଼ି ତାଙ୍କ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିଯାଇଥିଲେ।

ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ପରିବାର ଲୋକେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ବରଗଡ଼ର ଏକ ଘରୋଇ ହସ୍ପିଟାଲକୁ ନେଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ, ବଲାଙ୍ଗୀର ସହର ଓ ଆଖପାଖ ମୁଖ୍ୟ ରାସ୍ତାଗୁଡ଼ିକରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ପୁଇଁତଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

Dharitri – Odisha’s No.1 Odia Daily

Share