Categories: ଖେଳ

କଳିଙ୍ଗରେ ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ: ଅଂଶଗ୍ରହଣ କଲେ କ୍ରୀଡ଼ାବିତ୍‌, କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିକାରୀ

ଭୁବନେଶ୍ୱର,୬।୩(ସ୍ପୋଟର୍‌ସ ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ପ୍ରତିବର୍ଷ ଭଳି ବିଜୁ ପଟ୍ଟନାୟକ ମିନି ମାରାଥନ ଅନୁଷ୍ଠିତ ହୋଇଛି। ଏଥିରେ ୪୦୦ରୁ ସାମାନ୍ୟ ଊର୍ଦ୍ଧ୍ୱ ସଂଖ୍ୟାରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଏହି ମାରାଥନ ଦୌଡ଼ର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୂର୍ବତନ ଭାରତୀୟ ହକି ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ, କ୍ରୀଡ଼ା ଓ ଯୁବସେବା ବିଭାଗ ସ୍ବତନ୍ତ୍ର ସଚିବ ବିଶାଳ କୁମାର ଦେବ ଏବଂ କ୍ରୀଡ଼ା ବିଭାଗର ଅନ୍ୟ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଏହି ବାର୍ଷିକ ମିନି ମାରାଥନରେ ଅଂଶଗ୍ରହଣ କରିବା ନେଇ ପ୍ରତିଯୋଗୀମାନେ ବେଶ୍‌ ଉତ୍ସାହ ପ୍ରକଟ କରିଛନ୍ତି ଓ ଏହା ବେଶ୍‌ ଉପଭୋଗ୍ୟ ବୋଲି ତୁଷାରକାନ୍ତି କହିଛନ୍ତି। କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ପରମ୍ପରାକୁ ଜାରି ରଖିବା ପାଇଁ ଏହି ମାରାଥନ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲୁ। ବିଜୁବାବୁଙ୍କ ନାମରେ ନାମିତ ଏହି ମାରାଥନ ଦୌଡ଼ିବାର ଭଲ ଅଭିଜ୍ଞତା ପ୍ରଦାନ କରିଥାଏ। ଏଥିରେ ଅଂଶଗ୍ରହଣ କରିବାକୁ ପ୍ରତିଯୋଗୀମାନେ ବେଶ୍‌ ଆଗ୍ରହର ସହିତ ଅପେକ୍ଷା କରିଥାନ୍ତି। ଏହି ମାରାଥନ ଆୟୋଜନ କରି ସ୍ବାସ୍ଥ୍ୟ ଓ ଫିଟ୍‌ନେସର ପ୍ରଚାର ପ୍ରସାର ପାଇଁ ପ୍ରୟାସ କରିଆସୁଛୁ। ଆସନ୍ତାବର୍ଷ ପୂର୍ବପରି ବଡ଼ ଫର୍ମାଟ୍‌ରେ ଏହି ମାରାଥନ ଆୟୋଜନ କରିବୁ ବୋଲି ସେ ଆଶାପ୍ରକାଶ କରି କହିଛନ୍ତି। ଏହି ଶୁଭଦିନରେ ବିଜୁବାବୁଙ୍କ ଆଦର୍ଶ ଓ ସିଦ୍ଧାନ୍ତକୁ ଅନୁସରଣ କରିବାକୁ ତୁଷାରକାନ୍ତି ସମସ୍ତଙ୍କୁ ନିବେଦନ କରିଛନ୍ତି।
ମାରାଥନର ପୂର୍ବ ସଂସ୍କରଣଗୁଡିକରେ ଜନସାଧାରଣ ଅଂଶଗ୍ରହଣ କରିଥାନ୍ତି। ତେବେ ଏଥର ଏହି ଇଭେଣ୍ଟରେ ଜନସାଧାରଣଙ୍କୁ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯାଇ ନାହିଁ। କୋଭିଡ୍‌-୧୯ ଗାଇଡ୍‌ଲାଇନ ମାନି କ୍ରୀଡ଼ାବିତ ଓ କ୍ରୀଡ଼ା ବିଭାଗ ସହିତ ଜଡିତ ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ମାରାଥନ ରୁଟ୍‌ରେ କ୍ରୀଡ଼ା ବିଭାଗ ଦ୍ୱାରା ସବୁପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରୁଟ୍‌ରେ ହାଇଡ୍ରେଶନ ପଏଣ୍ଟ, ମେଡିକାଲ ସୁବିଧା ସୁଯୋଗ, ଆମ୍ବୁଲାନ୍ସ ସର୍ଭିସ, ରୁଟ୍‌ ମେକର୍ସ ଓ କୋର୍ସ ମାର୍ଶାଲ୍ସର ବ୍ୟବସ୍ଥା କରାଯାଇଥିଲା।

Share