
ୱାଶିଂଟନ୍:ଆମେରିକାର ମେରି ପର୍ଲ ଜେଲମର୍ ରବିନ୍ସନ୍ ବିଶ୍ୱର ସବୁଠାରୁ ବଡ଼ ପାଟି ଥିବା ମହିଳା ଭାବେ ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କର ନାମ ଗିନିଜ୍ ୱାଲର୍ଡ ରେକଡର୍ସ (ଜିଡବ୍ଲ୍ୟୁଆର୍)ରେ ସ୍ଥାନିତ ହୋଇଛି। ସମ୍ପ୍ରତି ମେରି ନିଜ ପାଟି ଖୋଲା କରିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୭.୬୨ ସେ.ମି. ରହୁଛି, ଯାହା ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ସର୍ବାଧିକ ହୋଇଥିବା ଜିଡବ୍ଲ୍ୟୁଆର୍ କହିଛି। ପୂର୍ବରୁ ୨୦୨୧ରେ ସାମନ୍ଥା ରାମ୍ସଡେଲ ନାମ୍ନୀ ଜଣେ ଆମେରିକୀୟ ମହିଳା ଏହି ରେକର୍ଡକୁ ହାସଲ କରିଥିଲେ। ସାମନ୍ଥା ପାଟି ଖୋଲିବା ସମୟରେ ତାଙ୍କ ୨ ଓଠ ମଧ୍ୟରେ ଥିବା ଲମ୍ବ ୨.୫୬ ଇଞ୍ଚ (ପ୍ରାୟ ୬.୫୨ ସେ.ମି.) ରହିଥିଲା। ତେବେ ୨୦୨୫ରେ ମେରି ସାମନ୍ଥାଙ୍କ ଉକ୍ତ ରେକର୍ଡକୁ ଭାଙ୍ଗି ପାରିଛନ୍ତି।
ବଡ଼ ପାଟି ପାଇଁ ଜିଡବ୍ଲୁଆର୍ ପକ୍ଷରୁ ପରିଚୟ ମିଳିଥିବାରୁ ମେରି ଖୁସିବ୍ୟକ୍ତ କରିଛନ୍ତି। କିଛିଦିନ ତଳେ ସ୍ଥାନୀୟ ଦନ୍ତ ଚିକିତ୍ସକ ମେରିଙ୍କ ପାଟିକୁ ଯାଞ୍ଚ କରିବା ସମୟରେ ତାଙ୍କ ପାଟିର ଖୋଲା ଅଂଶ ଜଣେ ସାଧାରଣ ମହିଳାଙ୍କ ତୁଳନାରେ ବହୁତ ବଡ଼ ହୋଇଥିବା କହିଥିଲେ। ଜିଡବ୍ଲୁଆର୍ରେ ଏହି ଶ୍ରେଣୀରେ ସେ ନୂତନ ରେକର୍ଡ ହାସଲ କରିପାରନ୍ତି ବୋଲି ଉକ୍ତ ଦନ୍ତ ଚିକିତ୍ସକ ମେରିଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ମେରି ଜିଡବ୍ଲୁଆର୍ ଅଧିକାରୀଙ୍କ ସହ ସମ୍ପର୍କ କରିଥିଲେ।
ଅଧିକାରୀଙ୍କ ସହ ଭେଟର କିଛିଦିନ ପୂର୍ବରୁ ମେରି ସବୁଠୁ ବଡ଼ ପାଟି ପାଇଁ ପୁରୁଷ ଏବଂ ମହିଳା ରେକର୍ଡଧାରୀଙ୍କ ଏକ ଭିଡିଓକୁ ଅନ୍ଲାଇନରେ ଦେଖିଥିଲେ। ସେତେବେଳେ ଏହି ଭିଡିଓ ତାଙ୍କୁ ଉତ୍ସାହିତ କରିଥିବା ମେରି କହିଛନ୍ତି। ତାଙ୍କ ଶରୀର ତୁଳନାରେ ପାଟି ବଡ଼ ହୋଇଥିବା ନେଇ ସେ ପିଲାବେଳୁ ଜାଣି ସାରିଥିଲେ। ପିଲାବେଳେ ପାଟିକୁ ଖୋଲା କରିବା ସମୟରେ ତାଙ୍କ ଉପର ଏବଂ ତଳ ଦାନ୍ତଗୁଡ଼ିକ ମଧ୍ୟରେ ସର୍ବଦା ଏକ ବଡ଼ ବ୍ୟବଧାନ ରହୁଥିବା ନେଇ ସେ ଅନୁଭବ କରିଥିଲେ। ସେଥିପାଇଁ ସେ ଅତ୍ୟଧିକ କଥାବାର୍ତ୍ତା କରନ୍ତି ବୋଲି ମେରି କହିଛନ୍ତି। ତେବେ ଏହାଦ୍ୱାରା ଦିନେ ସେ ଜିଡବ୍ଲୁଆର୍ ରେକର୍ଡର ଅଧିକାରୀ ହୋଇପାରିବେ ବୋଲି କେବେ ମଧ୍ୟ ଭାବି ନ ଥିଲେ। ଜିଡବ୍ଲୁଆର୍ ଅଧିକାରୀଙ୍କ ସମ୍ମୁଖରେ ଏହି ରେକର୍ଡ ହାସଲ ପାଇଁ ଆବଶ୍ୟକ ବିଭିନ୍ନ ପ୍ରକାରର ଖାଦ୍ୟ ଏବଂ ବସ୍ତୁକୁ ଏକାଥରକେ ସେ ତାଙ୍କ ପାଟି ମଧ୍ୟରେ ସଫଳତାର ସହ ପ୍ରବେଶ କରାଇ ପାରିଥିଲେ ବୋଲି ମେରି କହିଛନ୍ତି।