
ମୁମ୍ବାଇ,୧୯ା୫: ଆଇପିଏଲ ୨୦୨୫ ଶେଷ ହେବା ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ଅଛି। ଏହାପରେ ଅଗଷ୍ଟ ମାସରେ ଟିମ୍ ଇଣ୍ଡିଆ ହ୍ୱାଇଟ ବଲ ସିରିଜ ପାଇଁ ବାଂଲାଦେଶ ଗସ୍ତରେ ଯିବ। ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏବେ ଏକ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି ଯେ ଆଇପିଏଲ ୨୦୨୫ରେ ଦମଦାର ପ୍ରଦର୍ଶନ ଯୋଗୁଁ ରାହୁଲଙ୍କୁ ବାଂଲାଦେଶ ବିପକ୍ଷ ଟି-୨୦ ସ୍କ୍ୱାଡରେ ସ୍ଥାନ ମିଳିପାରେ। ଉଲ୍ଲେଖଯୋଗ୍ୟ, ଗତ ପ୍ରାୟ ୨ ବର୍ଷ ଧରି ରାହୁଲ କେବଳ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ ଖେଳୁଥିବା ଦେଖାଯାଇଛି।
ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାୟୀ, କେଏଲ ରାହୁଲଙ୍କୁ ବାଂଲାଦେଶ ବିପକ୍ଷ ଟି-୨୦ ସ୍କ୍ୱାଡରେ ସ୍ଥାନ ମିଳିପାରେ। ରାହୁଲ, ଯିଏ ୨୦୨୨ ନଭେମ୍ବର ପରେ ଭାରତ ପାଇଁ କୌଣସି ଟି-୨୦ ମ୍ୟାଚ ଖେଳି ନାହାଁନ୍ତି। ସାଧାରଣତଃ ରାହୁଲ ତାଙ୍କ ଷ୍ଟ୍ରାଇକ ରେଟ ପାଇଁ ଟ୍ରୋଲ ହେଉଛନ୍ତି, କିନ୍ତୁ ଆଇପିଏଲ ୨୦୨୫ରେ ପ୍ରଦର୍ଶନ ଦ୍ୱାରା ସେ ତାଙ୍କ ଆଲୋଚକମାନଙ୍କ ମୁହଁ ବନ୍ଦ କରି ଦେଇଛନ୍ତି।
ଆଇପିଏଲ ୨୦୨୫ରେ କେଏଲ ରାହୁଲ ୧୧ଟି ମ୍ୟାଚରେ ୬୧.୬୩ର ଚମତ୍କାର ହାରାହାରି ସହ ୪୯୩ ରନ୍ ସଂଗ୍ରହ କରିଛନ୍ତି। ଏହି ସିଜନରେ ତାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ମଧ୍ୟ ବାହାରିଛି। ସବୁଠାରୁ ଲକ୍ଷ୍ୟଣୀୟ ବିଷୟ ହେଉଛି ରାହୁଲ ଆଇପିଏଲ ୨୦୨୫ରେ ୧୪୮ର ଉତ୍କୃଷ୍ଟ ଷ୍ଟ୍ରାଇକ ରେଟରେ ବ୍ୟାଟିଂ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଉତ୍କୃଷ୍ଟ ବ୍ୟାଟିଂ ଯୋଗୁଁ ଚୟନକର୍ତ୍ତାମାନେ ତାଙ୍କଠାରୁ ପ୍ରଭାବିତ ହୋଇଛନ୍ତି।
କେଏଲ ରାହୁଲ ଶେଷ ଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଟି-୨୦ ମ୍ୟାଚ ଖେଳିଥିଲେ। ସେହି ସମୟରେ ବିଶ୍ୱକପର ସେମିଫାଇନାଲରେ ସେ ଇଂଲଣ୍ଡ ବିପକ୍ଷରେ ମାତ୍ର ୫ ରନ୍ କରି ଆଉଟ ହୋଇଥିଲେ। ଯଦି ରାହୁଲ ବାଂଲାଦେଶ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରନ୍ତି, ତେବେ ସେ ୧,୦୨୧ ଦିନ ପରେ ଭାରତ ପାଇଁ ଟି-୨୦ ମ୍ୟାଚ ଖେଳିବେ। ରାହୁଲଙ୍କ ସମ୍ପୂର୍ଣ୍ଣ ଟି-୨୦ କ୍ୟାରିଅର ଉପରେ ଦୃଷ୍ଟି ଦେଲେ, ସେ ଏପର୍ଯ୍ୟନ୍ତ ୭୨ଟି ମ୍ୟାଚରେ ୨,୨୬୫ ରନ୍ ସଂଗ୍ରହ କରିଛନ୍ତି। ଏହି ଫର୍ମାଟରେ ରାହୁଲ ୨ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି।