ବାଇଡେନ୍‌, ହାରିସ୍‌

ଓ୍ବାଶିଂଟନ,୨୧ା୧: ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଜୋ ବାଇଡେନ୍‌ ଓ ୪୯ତମ ଉପରାଷ୍ଟ୍ରପତି ଭାବେ କମଲା ହାରିସ୍‌ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଭାରତୀୟ ସମୟ ରାତି ୧୦ଟା ୩୦ରେ କଡ଼ା ସୁରକ୍ଷା ବଳୟରେ ରାଜଧାନୀ ଓ୍ବାଶିଂଟନସ୍ଥିତ ପାରମ୍ପରିକ କ୍ୟାପିଟୋଲ ବିଲ୍ଡିଂର ଓ୍ବେଷ୍ଟ ଫ୍ରଣ୍ଟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜନ୍‌ ରୋବଟ୍ସ ୭୮ ବର୍ଷୀୟ ବାଇଡେନ୍‌ଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ବାଇଡେନ୍‌ ତାଙ୍କ ପରିବାରର ୧୨୭ ବର୍ଷ ପୁରୁଣା ବାଇବେଲ ଛୁଇଁ ଶପଥ ନେଇଥିଲେ। ୫ ଇଞ୍ଚ ମୋଟା ଉକ୍ତ ବାଇବେଲକୁ ତାଙ୍କ ଧର୍ମପନତ୍ୀ ଜିଲ୍‌ ବାଇଡେନ୍‌ ସାଙ୍ଗରେ ନେଇ ଆସିଥିଲେ। ଦେଶର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ବାଇଡେନ୍‌ ପ୍ରଥମ ଥର ପାଇଁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ପରବର୍ତ୍ତୀ ୪ ବର୍ଷର କାର୍ଯ୍ୟକାଳର କାର୍ଯ୍ୟସୂଚୀ ନେଇ ଅଭିଭାଷଣ ରଖିଥିଲେ। ଏହି ଐତିହାସିକ ଭାଷଣର ଥିମ୍‌ ବା ବିଷୟବସ୍ତୁ ଥିଲା ଏକତା ଓ ଉପଶମ, ଯାହାକୁ ଭାରତୀୟ ବଂଶୋଦ୍ଭବ ବିନୟ ରେଡ୍ଡୀ ପ୍ରସ୍ତୁତ କରିଥିଲେ। ବାଇଡେନ୍‌ କହିଥିଲେ, ଗଣତନ୍ତ୍ର ବଜାୟ ରହିଛି। ଏହା ଆମେରିକାର ଦିନ। ଗଣତନ୍ତ୍ରର ଦିନ। ଆଶାର ଦିନ।
ଆମେରିକା ଅନେକ ଥର ପରୀକ୍ଷାର ସମ୍ମୁଖୀନ ହୋଇଛି। ସବୁ ଚ୍ୟାଲେଞ୍ଜରେ ବିଜୟୀ ହୋଇଛି। ଆଜି ଆମେ ଜଣେ ପ୍ରାର୍ଥୀଙ୍କ ନୁହେଁ, ବରଂ ଗଣତନ୍ତ୍ରର ବିଜୟ ଉତ୍ସବ ମନାଉଛେ। ବାଇଡେନ୍‌ଙ୍କ ଶପଥ ପୂର୍ବରୁ ୫୬ ବର୍ଷୀୟା କମଲା ହାରିସ୍‌ ପ୍ରଥମ ଭାରତୀୟ ବଂଶୋଦ୍ଭବ, କୃଷ୍ଣକାୟ ଓ ମହିଳା ଉପରାଷ୍ଟ୍ରପତି ରୂପେ ଶପଥ ନେଇଥିଲେ। ସୁପ୍ରିମକୋର୍ଟର ପ୍ରଥମ ଲାଟିନା ସଦସ୍ୟା ବିଚାରପତି ସୋନିଆ ସୋଟୋମେୟର ତାଙ୍କୁ ଶପଥ ପାଠ କରାଇଥିଲେ। ହାରିସ୍‌ ଦୁଇଟି ବାଇବେଲ ଧରି ଶପଥ ନେଇଥିଲେ। ଗୋଟିଏ ଘନିଷ୍ଠ ପାରିବାରିକ ବନ୍ଧୁ ରେଜିନା ଶେଲ୍ଟନଙ୍କର ହୋଇଥିବାବେଳେ ଅନ୍ୟଟି ସୁପ୍ରିମକୋର୍ଟର ପ୍ରଥମ ଆଫ୍ରିକୀୟ-ଆମେରିକୀୟ ବିଚାରପତିଙ୍କର।
ବାଇଡେନ୍‌ଙ୍କ ପାରିବାରିକ ପୂଜକ ଲିଓ ଜେରେମିଆହ ଓ’ଡୋନୋଭାନ୍‌ ପୂଜାର୍ଚ୍ଚନା କରିବା ପରେ ପ୍ରେସିଡେନ୍ସିଆଲ ଇନାଗୁରେଶନ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିଲା। ଜର୍ଜଆର ସାଉଥ୍‌ ଫୁଲ୍‌ଟନସ୍ଥିତ ଅଗ୍ନିଶମ ବିଭାଗର କ୍ୟାପ୍‌ଟେନ ହେବାକୁ ଥିବା ପ୍ରଥମ ଆଫ୍ରିକୀୟ-ଆମେରିକୀୟ ମହିଳା ଫାୟାରଫାଇଟର ଆଣ୍ଡ୍ରିଆ ହଲ୍‌ ନିଷ୍ଠାର ପ୍ରତିଜ୍ଞା କରାଇଥିଲେ। ଲେଡି ଗାଗା ଜାତୀୟ ସଙ୍ଗୀତ ଗାନ କରିଥିବାବେଳେ ୨୦୧୭ରେ ଦେଶର ପ୍ରଥମ ଯୁବ କବି ପୁରସ୍କାର ବିଜେତା ଅମାଣ୍ଡା ଗୋରମେନ୍‌ ଏହି ଉତ୍ସବ ପାଇଁ ସ୍ବତନ୍ତ୍ର ଭାବେ ରଚନା କରିଥିବା କବିତା ‘ଦି ହିଲ୍‌ ଓ୍ବି କ୍ଲାଇମ୍ବ’ ଆବୃତ୍ତିକରିଥିଲେ। ଏହା ପରେ ଅଭିନେତ୍ରୀ ତଥା ଗାୟିକା ଜେନିଫର ଲୋଫେଜ୍‌ଙ୍କ ପ୍ରଦର୍ଶନ ସମସ୍ତଙ୍କ ମନ ମୋହିଥିଲା। ଶପଥ ଗ୍ରହଣ ପରେ ବାଇଡେନ୍‌ ଓ ହାରିସ୍‌ ଏକ ପାରମ୍ପରିକ ପାସ୍‌ ଇନ୍‌ ରିଭ୍ୟୁରେ ଯୋଗଦେଇଥିଲେ। କ୍ୟାପିଟୋଲ୍‌ର ଇଷ୍ଟ୍‌ ଫ୍ରଣ୍ଟରେ ହୋଇଥିବା ଏହି ପାରମ୍ପରିକ ସାମରିକ କାର୍ଯ୍ୟକ୍ରମ ନୂଆ କମାଣ୍ଡର-ଇନ୍‌-ଚିଫ୍‌ଙ୍କୁ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରର ପ୍ରତୀକ ଭାବେ ତାତ୍ପର୍ଯ୍ୟପୂର୍ଣ୍ଣ। ଏହା ପରେ ରାଷ୍ଟ୍ରପତି ବାଇଡେନ୍‌, ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌, ଉପରାଷ୍ଟ୍ରପତି କମଲା ହାରିସ୍‌, ଫାଷ୍ଟ ସେକେଣ୍ଡ ଜେଣ୍ଟଲମ୍ୟାନ୍‌ ଡୋଉଗ୍‌ ଏମ୍‌ହୋଫ୍‌ ଭର୍ଜିନିଆସ୍ଥିତ ଆର୍ଲିଂଟନ ନ୍ୟାଶନାଲ ସିମେଟେରିକୁ ଯାଇ ଅଜ୍ଞାତ ସୈନ୍ୟମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ସେମାନେ ପ୍ରେସିଡେନ୍ସିଆଲ ଏସ୍‌କର୍ଟରେ ହ୍ବାଇଟ୍‌ ହାଉସ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏହି ଅବସରରେ ‘ପରେଡ୍‌ ଆକ୍ରସ୍‌ ଆମେରିକା’ର ଆୟୋଜନ କରାଯାଇଥିଲା। ଏଥିରେ ଦେଶର ୫୬ ରାଜ୍ୟ ଓ ଭୂଖଣ୍ଡ ପକ୍ଷରୁ ପ୍ରଦର୍ଶନ କରାଯାଇଥିଲା।
ଏହି ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ବାରାକ୍‌ ଓବାମା, ଜର୍ଜ ଡବ୍ଲ୍ୟୁ. ବୁଶ୍‌, ବିଲ୍‌ କ୍ଲିଣ୍ଟନ, ପୂର୍ବତନ ଫାଷ୍ଟ ଲେଡି ମିଶେଲ ଓବାମା, ଲଉରା ବୁଶ୍‌ ଓ ହିଲାରୀ କ୍ଲିଣ୍ଟନ ପ୍ରମୁଖ ଯୋଗଦେଇଥିଲେ। ସେହିପରି ସିନେଟ୍‌ ରିପବ୍ଲିକାନ୍‌ ନେତା ମିଚ୍‌ ମେକ୍‌କୋନ୍ନେଲ, ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ରିପବ୍ଲିକାନ୍‌ ନେତା କେଭ୍‌ଲିନ ମେକ୍‌କାର୍ଥି, ହାଉସ୍‌ ସ୍ପିକର ନେନ୍ସି ପେଲୋସି ଓ ସିନେଟ୍‌ ଡେମୋକ୍ରାଟ୍‌ ନେତା ଚୁକ୍‌ ସ୍କୁମର ମଧ୍ୟ ଶପଥଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶପଥ ଗ୍ରହଣ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ତେବେ ହ୍ବାଇଟ୍‌ ହାଉସ୍‌ ଛାଡ଼ି ଫ୍ଲୋରିଡାସ୍ଥିତ ନିଜ ମାର୍‌-ଏ-ଲାଗୋ ରିସର୍ଟକୁ ଯିବାର ଅବ୍ୟବହିତ ପୂର୍ବରୁ ୭୪ ବର୍ଷୀୟ ଟ୍ରମ୍ପ୍‌ ଏକ ବିଦାୟୀ ଭିଡିଓ ଜାରି କରି ନୂଆ ପ୍ରଶାସନକୁ ଶୁଭେଚ୍ଛା ଜଣାଇଥିଲେ।
କ୍ୟାପିଟୋଲ ବିଲ୍ଡିଂରେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କଠୋରପନ୍ଥୀ ସମର୍ଥକମାନେ ଦଙ୍ଗା ଭିଆଇବାର ଦୁଇ ସପ୍ତାହ ପରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଟ୍ରମ୍ପ୍‌ଙ୍କ ସଶସ୍ତ୍ର ସମର୍ଥକମାନେ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ହିଂସା ଭିଆଇପାରନ୍ତି ବୋଲି ଗୋଇନ୍ଦା ସଂସ୍ଥା ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ପକ୍ଷରୁ ସତର୍କ କରାଯାଇଥିଲା। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ଲାଗି ଅଭୂତପୂର୍ବ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ଏହି ଐତିହାସିକ ସମାରୋହରେ ୨୫,୦୦୦ରୁ ଊର୍ଦ୍ଧ୍ୱ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଥିଲା। ଏହାବାଦ ୧୦,୦୦୦ରୁ ଊର୍ଦ୍ଧ୍ୱ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ସମ୍ପୂର୍ଣ୍ଣ କ୍ୟାପିଟୋଲ ହିଲ୍‌, ପେନ୍‌ସିଲଭାନିଆ ଆଭିନ୍ୟୁର ଏକ ବୃହତ୍‌ ଅଂଶ ଓ ହ୍ବାଇଟ୍‌ ହାଉସ୍‌କୁ ସର୍ବସାଧାରଣ ପ୍ରବେଶକୁ ନିଷିଦ୍ଧ କରିବା ଲାଗି ୮ ଫୁଟ୍‌ ଉଚ୍ଚର ଏକ ଲୁହା ବ୍ୟାରିକେଡ୍‌ ନିର୍ମାଣ କରାଯାଇଥିଲା। ଫଳରେ ରାଜଧାନୀ ଓ୍ବାଶିଂଟନ ଏକ ସେନା ଛାଉଣୀ ପାଲଟିଯାଇଥିଲା। ଏହାବାଦ୍‌ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତରକୁ ସୁନିଶ୍ଚିତ କରିବା ଲାଗି ଓ୍ବାଶିଂଟନ ଡିସିକୁ ଏକ ଦୁର୍ଗରେ ପରିଣତ କରିବା ସହ ୫୦ ଷ୍ଟେଟ୍‌ କ୍ୟାପିଟୋଲ୍‌ରେ ହାଇଆଲର୍ଟ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆସୁଛନ୍ତି ମୋଦି

ଭୁବନେଶ୍ୱର,୨୫।୧୦ (ସୁନିତ୍‌ ମିଶ୍ର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ଆସୁଛନ୍ତି। ସେ ଅପରାହ୍ନ ୨ଟା ୪୫ ମିନିଟ୍‌ ସମୟରେ ଉତ୍ତରପ୍ରଦେଶର ବାରାଣସୀ…

ଆକାଶଛୁଆଁ ଦାମ: ୭ ହଜାରରେ ପହଞ୍ଚିଲା ଗ୍ୟାସ ସିଲିଣ୍ଡର, ଇରାନ ରୋକିଲା ସପ୍ଲାଏ!

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱର ବିଭିନ୍ନ ଦେଶ ଆଗରେ ହାତ ପତାଉଥିବା ପାକିସ୍ତାନର ସ୍ଥିତି ଏବେ ଅତ୍ୟନ୍ତ ଦୟନୀୟ। ମହଙ୍ଗା ମାଡ଼ ଓ ଆର୍ଥିକ ସଙ୍କଟ ପାକିସ୍ତାନକୁ ଅନ୍ୟ…

ଆନ୍ଧ୍ରରେ ମାଡ଼ହେବ ବାତ୍ୟା, ଓଡ଼ିଶାରେ ବର୍ଷା

ଭୁବନେଶ୍ୱର,୨୫ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା। ଇତିମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ରାତିରେ ଅବପାତରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ରବିବାର…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

‘ମୁଁ ଫୋନ୍ କରୁଥିଲି କିନ୍ତୁ…’… ବିରାଟ କୋହଲିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ DCର କୋଚ୍

ନୂଆଦିଲ୍ଲୀ,୨୪।୧୦: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ବିରୋଧରେ ପୁଣିଥରେ ଏକ ବଡ଼ ଅଭିଯୋଗ ଆସିଛି। ପୂର୍ବତନ ଭାରତୀୟ ସ୍ପିନର୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?