ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ ପରିଣତ କରିଛନ୍ତି। ଭୁଟାନରେ ବୁଲିଲେ ଜଣାପଡ଼େ ସତେ ଯେପରି ଭୁଟାନ ସ୍ବର୍ଗର ଏକ ଅଂଶ। ଯଦିଓ ଭୁଟାନରେ ବଡ଼ ବଡ଼ କୋଠା, ମଲ, ଫ୍ଲାଇ ଓଭର ଓ ମେଟ୍ରୋ ରେଳ ଇତ୍ୟାଦି ନାହିଁ, ଏଠାରେ ଯାହା ଅଛି ଏହା ବିଶ୍ୱର ବହୁତ କମ୍ ଦେଶରେ ଦେଖିବାକୁ ମିଳେ। ଭୁଟାନବାସୀଙ୍କ ଉତ୍ତମ ବ୍ୟବହାର, ଶାନ୍ତସ୍ବଭାବ, ଶୃଙ୍ଖଳାଜ୍ଞାନ, ସ୍ବଚ୍ଛତା ଓ ପରୋପକାରିତା ଇତ୍ୟାଦି ଭୁଟାନକୁ ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି। ୮ ଲକ୍ଷ ଲୋକସଂଖ୍ୟାର ଏକ ଛୋଟ ଦେଶ ଭୁଟାନ ଆଜି ମାନବ ସଭ୍ୟତାର ପ୍ରକୃତ ବିକାଶ ପାଇଁ ଅନେକ ଉଦାହରଣ ସୃଷ୍ଟି କରିଛି ।
ଭୁଟାନର ଉନ୍ନତ ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ଆର୍ଥିକ ପରିବେଶ ପାଇଁ ଭୁଟାନର ବୌଦ୍ଧ ସନ୍ନ୍ୟାସୀ ଓ ରାଜା ଜିଗ୍ମେ ଖେସର ନାମଗ୍ୟେଲ୍ ୱାଙ୍ଗଚୁକ୍ଙ୍କ ନିରନ୍ତନ ପ୍ରୟାସ, ଦେଶପ୍ରେମ, ପରିବେଶ ପ୍ରତି ସଚେତନତା, ଉଚିତ ମାର୍ଗ ଦର୍ଶନ ଓ ଉନ୍ନତ ବିକାଶ ଦୃଷ୍ଟିକୋଣ ଇତ୍ୟାଦି ଦାୟୀ । ଭୁଟାନର ମନ୍ଦିର, ବୌଦ୍ଧ ସ୍ତୂପ ଓ ବୌଦ୍ଧ ମଠଗୁଡ଼ିକର ସ୍ବଚ୍ଛତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ । ଅନେକ ବିଦେଶୀ ପର୍ଯ୍ୟଟକ ଏହି ସ୍ବଚ୍ଛ, ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶ ଦ୍ୱାରା ଆକୃଷ୍ଟ ହୋଇ ଏଠାକୁ ଆସିଥାନ୍ତି ।
ବୌଦ୍ଧମଠଗୁଡ଼ିକରେ ବୁଦ୍ଧଙ୍କର ବିଭିନ୍ନ ଅବତାର, ଧାର୍ମିକ କଳାକୃତି, କାନ୍ଥଚିତ୍ର ଓ ଉପାସନା ପଦ୍ଧତି ଇତ୍ୟାଦି ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। ଏହି ମନ୍ଦିର ଓ ମଠଗୁଡ଼ିକରେ କେହି ଦାନ ଓ ଦକ୍ଷିଣା ମାଗି ନ ଥାନ୍ତି । ଏଠାରେ ଥିବା ପର୍ଯ୍ୟଟନ ଗାଇଡ଼ ଓ ବୌଦ୍ଧ ସନ୍ନ୍ୟାସୀମାନେ ପର୍ଯ୍ୟଟକମାନଙ୍କୁ କେବଳ ବୁଦ୍ଧଙ୍କ ଜୀବନ ଓ ଉଦ୍ଦେଶ୍ୟ ବୁଝାଇବାକୁ ଚେଷ୍ଟା କରିଥାନ୍ତି। ପର୍ଯ୍ୟଟକମାନେ ଟିକେଟ କିଣି ଭିତରକୁ ଯାଇଥାନ୍ତି ଓ ଏହି ଅର୍ଥ କେବଳ ମନ୍ଦିର ଓ ମଠର ମରାମତି ଏବଂ ବିକାଶରେ ଉପଯୋଗ ହୋଇଥାଏ।
କୌଣସି ଜାଗାରେ ପର୍ଯ୍ୟଟକଙ୍କୁ ଟିକେଟ କିଣିବା କିମ୍ବା ଦାନ ଦେବାପାଇଁ କୁହାଯାଏ ନାହିଁ। ସ୍ବଚ୍ଛ ଓ ଆଧ୍ୟାତ୍ମିକ ପରିବେଶ ଭୁଟାନରେ କିପରି ତୀର୍ଥ ପର୍ଯ୍ୟଟନର ବିକାଶ କରିଛି ଏହା ଭୁଟାନର ପଡ଼ୋଶୀ ଦେଶମାନେ ଅନୁକରଣ କରିବା ଉଚିତ।
ଭୁଟାନ ସରକାର ଦେଶର ସମସ୍ତ ପାହାଡ଼, ପର୍ବତ, ନଦୀ, ଝରଣା ଓ ଜଙ୍ଗଲଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତୁଟ ରଖିବାରେ ସକ୍ଷମ ହୋଇଛନ୍ତି । ହିମାଳୟ ପର୍ବତମାଳା ଭିତରେ ଅବସ୍ଥିତ ଭୁଟାନର ପ୍ରାକୃତିକ ସୌନ୍ଦର୍ଯ୍ୟ ସୁରକ୍ଷିତ ରହିବାର କାରଣ ହେଲା ଏଠାକାର ସରକାର ଅଦରକାରୀ ରାସ୍ତା, ଫ୍ଲାଇ ଓଭର, ପୋଲ, ଟନେଲ, ହୋଟେଲ ଓ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକ ପାଇଁ ଅନୁମତି ଦେଇ ନ ଥାନ୍ତି। ପ୍ରାକୃତିକ ପରିବେଶ ଭିତରେ କଂକ୍ରିଟର ଉପଯୋଗ ବହୁତ କମ କରାଯାଇ ଥିବାରୁ ଏହା ଭୁଟାନର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସୁରକ୍ଷିତ ରଖିପାରିଛି। ଭୁଟାନର ଅର୍ଥନୀତି ବିଶେଷ କରି ପର୍ଯ୍ୟଟନ, ତୀର୍ଥ ପର୍ଯ୍ୟଟନ ଓ ଦୁଃସାହସିକ ପର୍ଯ୍ୟଟନ ଉପରେ ଗଢି ଉଠିଛି । ଭୁଟାନର ଏହି ଉନ୍ନତ ଅର୍ଥନୈତିକ ଦର୍ଶନ ଏସିଆର ସମସ୍ତ ଦେଶପାଇଁ ଏକ ଉଦାହରଣ।
ଭୁଟାନବାସୀଙ୍କର ଉନ୍ନତ କର୍ମ ସଂସ୍କୃତି ଭୁଟାନର ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିଥାଏ। ଏହି କର୍ମ ସଂସ୍କୃତି ଭୁଟାନବାସୀ ଆବୋରିନେଇଥିବା ଧାର୍ମିକ ଜୀବନଶୈଳୀରୁ ସୃଷ୍ଟି ହୋଇଛ। ଭୁଟାନରେ ସାଧୁସନ୍ଥମାନେ ବଡ଼ ବଡ଼ ସଭାରେ ପ୍ରବଚନ ଦେଇ ନ ଥାନ୍ତି କିମ୍ବା ବିଳାସପୂର୍ଣ୍ଣ ଜୀବନଯାପନ କରି ନ ଥାନ୍ତି। ସେମାନେ କେବଳ ବୌଦ୍ଧ ଧର୍ମକୁ ଶ୍ରଦ୍ଧା, ସମ୍ମାନ, ନୀରବତା, ବିଶ୍ୱାସ ଓ ଆନ୍ତରିକତାର ସହିତ ପାଳନ କରିଥାନ୍ତି। ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଗଭୀର ଭାବରେ ପଡ଼ିଥାଏ। ହୋଟେଲ କର୍ମଚାରୀ, ବ୍ୟାଙ୍କ କର୍ମଚାରୀ, ପୋଲିସ କର୍ମୀ ଓ ବ୍ୟବସାୟୀମାନେ ନିଜ କର୍ତ୍ତବ୍ୟ କରୁଥିବା ବେଳେ ଭଗବାନ ବୁଦ୍ଧଙ୍କୁ ସ୍ମରଣ କରି ମନ୍ତ୍ର ଉଚ୍ଚାରଣ କରିଥାନ୍ତି। କର୍ମ ଅନୁସାରେ ପୁନଃ ଜନ୍ମରେ ଗଭୀର ବିଶ୍ୱାସ ରଖିଥିବା ଭୁଟାନବାସୀ ହିଂସା ଓ ଦୁର୍ନୀତି ମାର୍ଗରୁ ଦୂରରେ ରହିଥାନ୍ତି । ଏକ ଶୃଙ୍ଖଳିତ ଜୀବନ, ଧର୍ମ ଭାବ ଓ ଆତ୍ମସନ୍ତୋଷ ଭୁଟାନବାସୀଙ୍କୁ ନିରନ୍ତର ଖୁସିରେ ରଖିପାରିଛି।
ଭୁଟାନରେ ୬୦ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରିଥାନ୍ତି। କୃଷିର ବିକାଶ ପାଇଁ ଭୁଟାନ ସରକାର ପ୍ରତ୍ୟେକ ଭୁଟାନବାସୀଙ୍କୁ ପାଞ୍ଚ ଏକର ଚାଷଜମି ଚାଷ କରିବା ପାଇଁ ଦେଇଥାନ୍ତି। ପ୍ରଚୁର ଜଳ ସମ୍ପଦ, ଉର୍ବର ଜମି ଓ ଫସଲ ବିବିଧତା ଭୁଟାନକୁ କୃଷିରେ ଆତ୍ମ ନିର୍ଭର କରିପାରିଛି। ଏଠାରେ ଚାଷୀ ଜୈବିକ ସାର ବ୍ୟବହାର କରି ଫସଲ କରିଥାନ୍ତି। ଭୁଟାନରେ ଅନେକ କିସମର ପନି ପରିବା, ଫଳ ଓ ଖାଦ୍ୟଶସ୍ୟ ହୋଇଥାଏ। ହିମାଳୟର ଜଙ୍ଗଲରୁ ଅନେକ ପ୍ରକାରର ଔଷଧି ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପଲବ୍ଧ ହୋଇଥାଏ। କୃଷି ଓ ଜଙ୍ଗଲ ଭୁଟାନ ଅର୍ଥନୀତିକୁ ସୁଦୃଢ଼ କରିବା ସଂଗେ ସଂଗେ ଭୁଟାନର ପ୍ରାକୃତିକ ପରିବେଶର ସୁରକ୍ଷା କରିଥାଏ।
ଭୁଟାନରେ ସରକାରୀ ସ୍କୁଲ ଓ ହସ୍ପିଟାଲ ଲୋକଙ୍କୁ ନିଃଶୁଳ୍କ ସେବା ଦେଇଥାନ୍ତି I ଘରୋଇ ସ୍କୁଲ, ହସ୍ପିଟାଲ ଓ ଘରୋଇ ଡାକ୍ତରସେବା ବହୁତ କମ ଦେଖିବାକୁ ମିଳେ। ଭୁଟାନ ରାଜାଙ୍କ ପିଲାମାନେ ସରକାରୀ ସ୍କୁଲରେ ସାଧାରଣ ଲୋକଙ୍କ ପିଲାଙ୍କ ସାଙ୍ଗରେ ମିଶି ପଢ଼ିଥାନ୍ତି। ସରକାରୀ ସ୍କୁଲ ଓ ହସ୍ପିଟାଲଗୁଡ଼ିକରେ ଗୁଣାତ୍ମକ ସେବା ମିଳୁଥିବାରୁ ସମସ୍ତେ ଏଠାକୁ ଆସିଥାନ୍ତି। ଶୃଙ୍ଖଳିତ ଜୀବନ, ଆଧ୍ୟାତ୍ମିକ ପରିବେଶ, ସୁସ୍ଥ ପର୍ଯ୍ୟାବରଣ, ଜୈବିକ ଖାଦ୍ୟ ଓ ଉନ୍ନତ କର୍ମ ସଂସ୍କୃତି ଭୁଟାନବାସୀଙ୍କୁ ନୀରୋଗ ରଖିଥାଏ। ପ୍ରତ୍ୟେକ ଆର୍ଥିକ ମଡେଲର ଉଦ୍ଦେଶ୍ୟ ହେଲା ଲୋକଙ୍କ ଖୁସିର ମାତ୍ରା ବଢ଼ାଇବା ସଂଗେ ସଂଗେ ଏକ ସୁସ୍ଥ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ପରିବେଶ ସୃଷ୍ଟି କରିବା।
ସୁଧାଂଶୁ ରଞ୍ଜନ ଦାସ
-ହାଇଦ୍ରାବାଦ
ମୋ:୭୭୦୨୩୮୩୮୮୦