୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା ୧୯ ତାରିଖରେ ସିଂହବାହିନୀ ଯାତ୍ରା ହେବ। ତେଣୁ ଯାତ୍ରାରେ ଦିନକୁ ଦିନ ଲୋକଙ୍କ ଅସମ୍ଭାଳ ଭିଡ ହେଉଛି। ଏହିଭଳି ପରିସ୍ଥିତିରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ଯାତ୍ରାରେ ଯୋଗଦେଇ କବି ସମ୍ରାଟ ରଙ୍ଗମଞ୍ଚ ରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବାଚସ୍ପତି ଯାତ୍ରାର ଏକ ସ୍ମରଣିକା ଉନ୍ମୋଚନ କରିବା ସହ ଦେବୀଙ୍କ ଦର୍ଶନ କରିଥିଲେ।

ବାଚସ୍ପତି ସୁରମା ପାଢୀ ତାଙ୍କ ଭାଷଣରେ କହିଥିଲେ ଯେ ଘୁମୁସର ଇତିହାସ ବିରଳ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ରାଜ ସିଂହାସନ ଛାଡ଼ି ଲେଖନୀ ଉପରେ ଦୃଷ୍ଟି ଦେଇଥିଲେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ୫୨ ଟି ପୁସ୍ତକ ଲେଖିଛନ୍ତି। ସେଥିମଧ୍ୟରୁ ୨୨ ଟି ପୁସ୍ତକ ଗବେଷକ ମାନଙ୍କ ପ୍ରଚେଷ୍ଟାରେ ପ୍ରକାଶିତ ହୋଇପାରିଛି । ଆହୁରି ୩୦ ପୁସ୍ତକ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ। କାହାରି ପାଖରେ ପାଣ୍ଡୁଲିପି, ତାଳପତ୍ର ପୋଥି ଥିବ ତେବେ ତାକୁ ଖୋଜି ବାହାର କରି ଲୋକ ଲୋଚନକୁ ଆଣିବାକୁ ବାଚସ୍ପତି ଆହ୍ୱାନ କରିଥିଲେ।

ଏହି ସମୟରେ ଗଞ୍ଜାମ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଭଞ୍ଜନଗର ବିଧାୟକ ତଥା ଯାତ୍ରା କମିଟି ମୁଖ୍ୟ ପରାମର୍ଶଦାତା ପ୍ରଦ୍ୟୁମ୍ନ କୁମାର ନାୟକ, ଗଞ୍ଜାମ ଜିଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର, ମ୍ୟୁନିସିପାଲଟି ଚେୟାରମ୍ୟାନ ଗୋପବନ୍ଧୁ ମହାପାତ୍ର, ଉପ ଜିଲାପାଳ ଉମା ଶଙ୍କର ବେହେରା, , କାର୍ଯ୍ୟକାରି ସଭାପତି ବିଷ୍ଟୁ ପ୍ରସାଦ ପ୍ରଧାନ, ସମ୍ପାଦକ ସୁଧିର ରଞ୍ଜନ ବେହେରା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ତା, ବିଡିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ ମହାର,ଯାତ୍ରା କମିଟି ସଭାପତି ରାଜେନ୍ଦ୍ର ବିଷୋୟୀ,କୋଷାଧକ୍ଷ ମହେଶ୍ୱର ପାତ୍ର, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଟ ପଣ୍ଡା,ଯାତ୍ରା କମିଟି କର୍ମକର୍ତ୍ତା ସନ୍ତୋଷ ତିଆଡି ଏବଂ ବାଳକୃଷ୍ଠ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଜି କବିସମ୍ରାଟ ରଙ୍ଗମଞ୍ଚରେ ଭଞ୍ଜନଗରର ୟୁନିକ୍ ଡ଼ାନ୍ସ ଏକାଡେମୀ, ବିଟ ବୁଷ୍ଟର ଏବଂ ଭବାନୀପାଟଣାର ବାଜା ସାଲ (ମହାବୀର ସାଂସ୍କୃତିକ ପରିଷଦ) ପକ୍ଷରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଆଜି ଦେବୀ ଅସ୍ଥାୟୀ ମଣ୍ଡପରୁ ପୂର୍ବ ମୁଖା ହୋଇ ଏକ ବିରାଟ ଶୋଭାଯାତ୍ରାରେ ତହସିଲ ଅଫିସ ଛକ ହୋଇ ଆଦର୍ଶ ପରିବା ମାର୍କେଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଦେବୀଙ୍କ ପୂଜାର୍ଚ୍ଚନା ସରିବା ପରେ ଦେବୀ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରୋଡ଼ ,ରେଡକ୍ରସ ରୋଡ ହୋଇ ମୁଖ୍ୟ ସଡକକୁ ବାହାରି ଅସ୍ଥାୟୀ ମଣ୍ଡପରେ ବିଳମ୍ବିତ ରାତିରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ବୁଧବାର ଦେବୀ ମୁଖ୍ୟ ସଡକର ଟାଉନ୍ ହଲ୍ ପର୍ଯ୍ୟନ୍ତ ଯିବେ। ସେଠାରୁ ପଶ୍ଚିମ ମୁଖା ହୋଇ ଖଲାସୀସାହି ହୋଇ ଭେଜିପୁଟ ଶିବ ମନ୍ଦିର ପର୍ଯ୍ୟନ୍ତ ଯିବେ। ପୁଣି ସେଠାରୁ ଫେରି କୋର୍ଟ ରୋଡ଼ ହୋଇ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତିଙ୍କ ବାସଭବନ ଆସି ସେଠାରେ ପୂଜା ପାଇବେ। ଏହାପରେ ମୁଖ୍ୟ ସଡ଼କକୁ ବାହାରି ଅସ୍ଥାୟୀ ମଣ୍ଡପରେ ପହଞ୍ଚି ବିଶ୍ରାମ ନେବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷେ ଯାତ୍ରାର ଭିଡକୁ ଦେଖି ପକେଟମାରଙ୍କ ଦୌରାତ୍ମ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ଆଜି ଗାମୁଣ୍ଡି ଗ୍ରାମର ରୀନା ମିଶ୍ର ଦେବୀଙ୍କ ସନ୍ଧ୍ୟା ଆଳତି ସମୟରେ ଦେବୀଙ୍କ ଦର୍ଶନ କରୁଥିଲେ। ଏହି ସମୟରେ ତାଙ୍କ ବ୍ୟାଗରୁ ୩ ହଜାର ଟଙ୍କା ହଜିଯାଇଥିଲା। ତାଙ୍କ ବ୍ୟାଗରୁ ଉକ୍ତ ଟଙ୍କା କିଏ ଚୋରୀ କରିନେଇଥିବା ଅଭିଯୋଗ ହେଉଛି। ସେହିଭଳି ଏହା ପୁର୍ବରୁ ମଧ୍ୟ ବିଗତ ଦୁଇଦିନ ମଧ୍ୟରେ ଦୁଇଜଣଙ୍କ ଏଭଳି ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ପାଇଁ ଦାବୀ ହୋଇଛି। ପୂର୍ବାହ୍ନରେ ଦକ୍ଷିଣାଞ୍ଚଳ ଆରଡିସି ସଂଗ୍ରାମ କେଶରୀ ମହାପାତ୍ର ଭଞ୍ଜନଗର ଯାତ୍ରାରେ ପହଞ୍ଚି ଦେବୀଙ୍କ ଦର୍ଶନ କରିଥିଲେ।

Dharitri – Odisha’s No.1 Odia Daily

Share