ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି ସନ୍ଧ୍ୟାରେ ଏହି ଖବର ଜଣାପଡିବା ପରେ ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ଏଥିସହ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପଟେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମଧ୍ୟ ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ ଏବଂ ପଞ୍ଚାୟତରାଜ ମନ୍ତ୍ରୀ, ଏନ୍ଏସି ଅଧ୍ୟକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି। ‘ଏହା ଆମ ଅଞ୍ଚଳ ପାଇଁ ଗର୍ବର ବିଷୟ। ଆଗକୁ ଏହି ଦୁଇ ସହରର ବିକାଶ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ। ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ବିଧାୟକ ନାୟକ ଏକ ବିବୃତ୍ତିିରେ ପ୍ରକାଶ କରିଛନ୍ତି।’ ସେହିଭଳି ଜଗନ୍ନାଥପ୍ରସାଦକୁ ମଧ୍ୟ ଏନ୍ଏସି ମାନ୍ୟତା ମିଳିଛି। ୧୬ଟି ୱାର୍ଡ଼କୁ ନେଇ ନୂତନ ଏନ୍ଏସି ଗଠନ ହୋଇଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାଦ୍ବାରା ଯଦି କିଏ କ୍ଷତିଗ୍ରସ୍ତ ହେଉଛନ୍ତି ତେବେ ଜିଲାପାଳଙ୍କ ନିକଟରେ ନିଜର ଆପତ୍ତି ଅଭିଯୋଗ ୩୦ ଦିନ ମଧ୍ୟରେ କରିପାରିବେ। ଏନ୍ଏସିରେ ମିଶିବାକୁ ଥିବା ଗ୍ରାମ ଗୁଡ଼ିକ ହେଲା ଆଜ୍ଞାପ୍ରସାଦ, ଜଗନ୍ନାଥପ୍ରସାଦ, ବଣିଆଖୋଲ, ବାନିଖୋଲ ,ଡିମିରିପାଲି,ଡୁଙ୍ଗାପାଲି, ଜଗନ୍ନାଥପୁର, କନ୍ଧଗାଲେରି, ଆକୁଳକୁମ୍ପା, ଚିକିଲି, ବରବରା, କୌରାପଲ୍ଲୀ, କ୍ରିୟାଧାର, ତାଲପଙ୍କା , ଚୋପ୍ରା,ଛାମୁଣ୍ଡା ଓ ଚାରିକୋନିଆ । ସେହିଭଳି ଭଞ୍ଜନଗର ମ୍ୟୁନିସିପାଲଟିରେ ମିଶିଥିବା ଗ୍ରାମ ଗୁଡ଼ିକ ହେଲା ଅଗଝୋଳ, ବାଉଁଶଲୁଣ୍ଡି, ଲାଲସିଂ, ଗାମୁଣ୍ଡି, ଧନଞ୍ଜୟ ନଗର,ରାଜକୁଣ୍ଡ, ଛେଦାଭୂମୀ, ଜାମପଲ୍ଲୀ ଓ ଢୁଢ଼ୁଆ ।
ସୂଚନାଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଭଞ୍ଜନଗର ଏନ୍ଏସିକୁ ମ୍ୟୁନିସିପାଲଟି ଘୋଷଣା କରିଥିଲା। ଏହାପରେ ବିଜେଡି ନିର୍ବାଚନରେ ପରାଜୟ ବରଣ କରିଥିଲା। କିନ୍ତୁ ବିଜେଡି ସରକାର ସେ ସମୟରେ କୌଣସି କାଗଜପତ୍ର ନକରି କେବଳ ଘୋଷଣା କରିଥିଲା। ସରକାର ବଦଳିବା ପରେ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏନେଇ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାପରେ ଏନ୍ଏସିକୁ ଆଜି ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ଗତ
ସ୍ବାୟତ୍ତ ଶାସନ ଦିବସ ଅଗଷ୍ଟ ମାସ ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଞ୍ଜନଗର ଏନ୍ଏସିକୁ ମ୍ୟୁନିସିପାଲଟି ଘୋଷଣା କରିଥିଲେ। ଘୋଷଣାର ୩ ମାସ ପରେ ସରକାର ତୁରନ୍ତ ପଦକ୍ଷେପ ନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଅଞ୍ଚଳବାସୀଙ୍କ ଦୀର୍ଘଦିନର ଏହା ଦାବି ଥିଲା। ଭଞ୍ଜନଗର ମ୍ୟୁନିସିପାଲଟି ଓ ଜଗନ୍ନାଥପ୍ରସାଦକୁ ଏନ୍ଏସି କରିବାରେ ବିଧାୟକ ନାୟକଙ୍କ ଅବଦାନ ଅତୁଳନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି। ନୂଆ ବର୍ଷ ପୂର୍ବରୁ ଭଞ୍ଜନଗର ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି।


