Categories: ଖେଳ

ବେଙ୍ଗାଲୁରୁ ଏଫ୍‌ସି କୋଚ୍‌ ବହିଷ୍କୃତ

ବେଙ୍ଗାଲୁରୁ, ୭।୧(ପି.ଟି.)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ବେଙ୍ଗାଲୁରୁ ଏଫ୍‌ସିର ଖରାପ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମୁଖ୍ୟ କୋଚ୍‌ କାର୍ଲେସ କ୍ୱାଡ୍ରାଟ୍‌ଙ୍କୁ ବହିଷ୍କାର କରାଯାଇଛି। ପୂର୍ବତନ ଚାମ୍ପିୟନ ବେଙ୍ଗାଲୁରୁ ଗତ ମୁମ୍ବାଇ ସିଟି ଏଫ୍‌ସିକୁ ମିଶାଇ କ୍ରମାଗତ ୩ ମ୍ୟାଚରେ ପରାଜିତ ହୋଇଛି। ଚଳିତ ସିଜନରେ କ୍ୱାଡ୍ରାଟ୍‌ ନିଜର କାର୍ଯ୍ୟ ଠିକ୍‌ଭାବେ ତୁଲାଇ ପାରିନାହାନ୍ତି ବୋଲି କ୍ଲବ ନିର୍ଦ୍ଦେଶକ ପାର୍ଥ ଜିନ୍ଦଲ ପ୍ରକାଶ କରିଛନ୍ତି। ୩ଟି ଲେଖାଏ ବିଜୟ, ପରାଜୟ ଓ ଡ୍ର ସହିତ ବେଙ୍ଗାଲୁରୁ ଆଇଏସ୍‌ଏଲ୍‌ ପଏଣ୍ଟ ଟେବୁଲର ଟପ୍‌-୪ରୁ ବାହାରେ ରହିଛି। ଦଳ ୧୨ ପଏଣ୍ଟ ପାଇଛି, ଯାହାକି ଶୀର୍ଷସ୍ଥାନରେ ଥିବା ମୁମ୍ବାଇ ସିଟି ଏଫ୍‌ସିଠାରୁ ୧୦ ପଏଣ୍ଟ କମ୍‌। ବୁଝାମଣା ଭିତ୍ତିରେ କ୍ୱାଡ୍ରାଟ୍‌ଙ୍କୁ ବିଦା କରାଯାଇଥିବା କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି। ଅଲବର୍ଟ ରୋକା କୋଚ୍‌ ଥିବାବେଳେ କ୍ୱାଡ୍ରାଟ୍‌ ୨ ସିଜନ ତାଙ୍କ ସହକାରୀ ଦାୟିତ୍ୱ ତୁଲାଇଥିଲେ। ଏହାପରେ କ୍ରମାଗତ ୩ ସିଜନ ମୁଖ୍ୟ କୋଚ୍‌ ଥିଲେ। କ୍ୱାଡ୍ରାଟ୍‌ଙ୍କ ପ୍ରଶିକ୍ଷଣରେ ବେଙ୍ଗାଲୁରୁ ଏକମାତ୍ର ଦଳଭାବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିବା ସହ ଚାମ୍ପିୟନ ହୋଇଥିଲା। ତାଙ୍କ ସ୍ଥାନରେ ନୌସାଦ ମୋସାଙ୍କୁ ଅନ୍ତରୀଣ ମୁଖ୍ୟ କୋଚ୍‌ ନିଯୁକ୍ତ କରାଯାଇଛି।

Share