Posted inଫୁରସତ

ଘଣ୍ଟି ! ପବିତ୍ର ଏହାର ଧ୍ୱନି…

”ଆଗମାର୍ଥମ୍‌ ତୁ ଦେବାନାଂ ଗମନାର୍ଥାଂ ତୁ ରାକ୍ଷସାମ୍‌
ଘଣ୍ଟାରବଂ କରୋମ୍ୟାଦୌ ଦେବତାହ୍ବାନଂ ଲାଞ୍ଛନଂ॥“
ଅର୍ଥାତ୍‌ ଘଣ୍ଟି ବଜାଇ ଦେବତାଙ୍କ ଆହ୍ବାନ କରିବାଦ୍ୱାରା ସକାରାତ୍ମକ ଶକ୍ତି ତଥା ଦେବତାଙ୍କର ଆଗମନ ହୁଏ ଓ ନକାରାତ୍ମକ ଶକ୍ତିର ହୁଏ ବିନାଶ। ସେଇଥିପାଇଁ ତ ଏହାର ଧ୍ୱନିକୁ ପବିତ୍ର ମନେକରାଯାଏ। ସାଧାରଣତଃ ମନ୍ଦିରର ଗର୍ଭଗୃହ ଓ ମନ୍ଦିର ପରିସରରେ ବଡ଼ ବଡ଼ ଘଣ୍ଟି ଝୁଲିଥାଏ, ଯାହାକୁ ଭକ୍ତମାନେ ମନ୍ଦିରରେ ପ୍ରବେଶ କରିବା ମାତ୍ରେ ବଜାଇଥାନ୍ତି। ଏହାବାଦ୍‌ ପୂଜା, ଆଳତି, ଯଜ୍ଞ, ଧୂପ ଲଗାଇବାବେଳେ, ପୁଷ୍ପ ପ୍ରଦାନ କଲାବେଳେ ଓ ଦେବୀଦେବତାଙ୍କୁ ସ୍ନାନ କରାଇବାବେଳେ, ପ୍ରସାଦ ଅର୍ପଣ କଲାବେଳେ ପୂଜକ ଘଣ୍ଟି ବଜାଇଥାନ୍ତି। ବିଶ୍ୱାସ କରାଯାଏ ଘଣ୍ଟି ବଜାଇଲେ ମନ୍ଦିରରେ ବିରାଜମାନ ଦେବୀଦେବତା ସଚେତନ ଅବସ୍ଥାକୁ ଆସନ୍ତି। ଆଉ ସମ୍ପୂର୍ଣ୍ଣ ସଚେତନ ତଥା ଜାଗ୍ରତ ଅବସ୍ଥାରେ ଥିବା ଦେବୀଦେବତାଙ୍କୁ ପୂଜା କଲେ ପୂଜା ଅଧିକ ଫଳପ୍ରଦ ଓ ପ୍ରଭାବଶାଳୀ ହୁଏ। ତା’ସହ ଘଣ୍ଟି ବଜାଇବା ଅର୍ଥ ନିଜର ଉପସ୍ଥିତିକୁ ପ୍ରଭୁଙ୍କୁ ଜ୍ଞାତ କରାଇବା ବି ବୁଝାଏ। ଏହାର ଶବ୍ଦରେ ବାତାବରଣରେ ଶୁଦ୍ଧତା ଆସିଥାଏ ଓ ସମୃଦ୍ଧିର ଦ୍ୱାର ଖୋଲିଯାଏ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ଘଣ୍ଟିକୁ ସୃଷ୍ଟି ସଂରଚନା ସମୟରେ ଗୁଞ୍ଜରିତ ହୋଇଥିବା ଶବ୍ଦର ପ୍ରତୀକ ବୋଲି ମଧ୍ୟ କୁହାଯାଏ। ସେଥିପାଇଁ ପ୍ରତି ଶୁଭ କାର୍ଯ୍ୟର ଆରମ୍ଭରେ ଘଣ୍ଟି ବଜାଯାଇଥାଏ। ଏ ସମ୍ପର୍କରେ ଆଧ୍ୟାତ୍ମିକ ପ୍ରବକ୍ତା ଶ୍ରୀ ସନ୍ନ୍ୟାସୀ ଜୀ କୁହନ୍ତି,‘ପୌରାଣିକ କଥାନୁସାରେ ବିଷ୍ଣୁଙ୍କର ବାହନ ହେଉଛନ୍ତି ଗରୁଡ଼। ଏହି ଦିବ୍ୟପକ୍ଷୀ ପକ୍ଷ ହଲାଇ ଯେତେବେଳେ ଆକାଶ ମାର୍ଗରେ ଯାଆନ୍ତି ସେଥିରୁ ବେଦ ଧ୍ୱନି ନିର୍ଗତ ହୁଏ। ଏହାକୁ ଶୁଣି ଭଗବାନ ବିଷ୍ଣୁ ବହୁତ ପ୍ରସନ୍ନ ହୁଅନ୍ତି। ଦିନେ ଭଗବାନ ବିଷ୍ଣୁଙ୍କର କିଛି ଭକ୍ତ କହିଥିଲେ ଆପଣ ତ ଗରୁଡ଼ଙ୍କ ପକ୍ଷରୁ ନିଃସୃତ ବେଦଧ୍ୱନି ଶୁଣି ପ୍ରସନ୍ନ ହୁଅନ୍ତି। ହେଲେ ଆମକୁ ତ ବେଦ ପାଠ କରି ଆସେନି। ଆମେ କିପରି ଆପଣଙ୍କୁ ପ୍ରସନ୍ନ କରିବୁ। ଏହାପରେ ଭଗବାନ ବିଷ୍ଣୁ ଗରୁଡ଼ଙ୍କୁ ଆଦେଶ ଦେଲେ- ‘ହେ ଗରୁଡ଼ ତୁମେ ଯାଅ ମନ୍ଦିରରେ ଘଣ୍ଟି ହୋଇ ରୁହ। ଏହାପରେ ଗରୁଡ଼ ଘଣ୍ଟି ଅବତାର ନେଇଥିଲେ। ସେଥିପାଇଁ ତ ଘଣ୍ଟିର ଟିନ୍‌ ଟିନ୍‌କୁ ବେଦଧ୍ୱନି ସହ ସମାନ ବୋଲି ବିବେଚନା କରାଯାଏ, ଯାହାକୁ ଶୁଣିଲେ ଭଗବାନ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ୱାସ ରହିଛି। ଘଣ୍ଟି ବଜାଇବାର ବି କିଛି ନିୟମ ରହିଛି। ସେ ହେଉଛି ଘଣ୍ଟି ବଜାଇବା ପରେ ସଙ୍ଗେ ସଙ୍ଗେ ସେ ସ୍ଥାନ ତ୍ୟାଗ କରିବା ଉଚିତ ନୁହେଁ। ବରଂ ଘଣ୍ଟିର ଧ୍ୱନି ଶେଷ ହେବା ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହିବା ଉଚିତ। କାରଣ ଘଣ୍ଟିରୁ ନିର୍ଗତ ଧ୍ୱନିତରଙ୍ଗ ଆମର ସହସ୍ରାଣୁ ଚକ୍ର ପର୍ଯ୍ୟନ୍ତ ଯାଇଥାଏ। ସହସ୍ରାଣୁ ଚକ୍ରରେ ଭଗବାନ ବିଷ୍ଣୁ ବାସ କରନ୍ତି। ଯେତେବେଳେ ଘଣ୍ଟିର ଧ୍ୱନି ସେ ପର୍ଯ୍ୟନ୍ତ ପହଞ୍ଚେ ଭଗବାନ ପ୍ରସନ୍ନ ହୁଅନ୍ତି। ଆଉ ଭଗବାନ ଆମକୁ ଶୁଦ୍ଧ ସାତ୍ତ୍ୱିକ ମନ, ଉତ୍ତମ ବିବେକ, ପ୍ରଦାନ କରିଥାନ୍ତି। ଭଗବାନଙ୍କୁ ପ୍ରସାଦ ଅର୍ପଣ କରିବାବେଳେ ବି ଘଣ୍ଟି ବଜାଯାଏ କାରଣ ସେତେବେଳେ ଅନେକ କୁଆତ୍ମା ଉପସ୍ଥିତ ଥାଆନ୍ତି। ତାଙ୍କୁ ଦୂରେଇବା ପାଇଁ ଘଣ୍ଟି ବଜାଯାଇଥାଏ। ତା’ ସହ ଘଣ୍ଟିର ବେଦଧ୍ୱନି ଶୁଣି ଭଗବାନ ବି ପ୍ରସନ୍ନ ହୁଅନ୍ତି।

ବିଜ୍ଞାନ ଓ ଘଣ୍ଟିର ଧ୍ୱନି: ବିଜ୍ଞାନ କହେ, ଘଣ୍ଟି ବଜାଇବା ଦ୍ୱାରା ଯେଉଁ ଧ୍ୱନିତରଙ୍ଗ ଓ କମ୍ପନ ସୃଷ୍ଟି ହୁଏ ତାହା ଅନେକ ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ। ଆଉ ତାହା ଏତେ ତୀବ୍ର ହୋଇଥାଏ ଯେ, ତା’ ରାସ୍ତାରେ ଆସୁଥିବା ଅନେକ କ୍ଷତିକାରକ କୀଟାଣୁ ଓ ଜୀବାଣୁ ନଷ୍ଟ ହୋଇଯାଆନ୍ତି। ଯଦ୍ଦ୍ବାରା ସେହି ଅଞ୍ଚଳର ପରିବେଶ ଶୁଦ୍ଧ ହୋଇଯାଏ। ସେଥିପାଇଁ ଏମିତି କୁହାଯାଇପାରେ ଯେ, ଯେଉଁଠାରେ ନିୟମିତଭାବେ ଘଣ୍ଟି ବାଜିଥାଏ ସେଠାକାର ବାୟୁ ଶୁଦ୍ଧ ରହିଥାଏ। ସେଇଥିପାଇଁ ତ ମନ୍ଦିର ପରିବେଶ ଭିତରକୁ ପ୍ରବେଶ କରିବା ମାତ୍ରେ ମନକୁ ଅପୂର୍ବ ଶାନ୍ତି ମିଳେ। ଏହାଛଡା ଘଣ୍ଟିର ଧ୍ୱନି ମଣିଷର ବାମ ଓ ଡାହାଣ ପାର୍ଶ୍ୱ ମସ୍ତିଷ୍କ ମଧ୍ୟରେ ମେଳ ରଖେ। ଏହାଦ୍ୱାରା ଆତ୍ମବିଶ୍ୱାସ ବଢିବା ସହ ଅସୁବିଧା ସମୟରେ ମଣିଷ ସତର୍କ ରହେ। ଏହା ଆମର ଚିନ୍ତାଧାରାକୁ ଶୁଦ୍ଧ କରିବା ସହ ମସ୍ତିଷ୍କକୁ ଆରାମ ପ୍ରଦାନ କରେ। ଶ୍ରୀ ସନ୍ନ୍ୟାସୀଜୀ କୁହନ୍ତି, ‘କରୋନା ସମୟରେ ଶଙ୍ଖ ଫୁଙ୍କିବା ଓ ଘଣ୍ଟି ବଜାଇବାକୁ ଗୁରୁତ୍ୱ ଦିଆଯାଇଥିଲା। ଏହା ପଛର କାରଣ ହେଉଛି ଘଣ୍ଟି ଧ୍ୱନିରେ ଏତେ ସାମର୍ଥ୍ୟ ଓ ଶକ୍ତି ଥାଏ ଯେ ତାହା ଆଖପାଖରେ ଥିବା ଅନିଷ୍ଟ ବୀଜାଣୁକୁ ମାରିପାରେ ଅବା ଦୂରେଇପାରେ।

ବିଭିନ୍ନ ଧର୍ମରେ ଘଣ୍ଟି: ଖ୍ରୀଷ୍ଟଧର୍ମରେ ଘଣ୍ଟି କହିଲେ ଗିର୍ଜା ଘରର ଘଣ୍ଟି କଥା ମନକୁ ଆଗ ଆସେ। ଏହି ଘଣ୍ଟି ଭକ୍ତଙ୍କୁ ପ୍ରେୟାର ପାଇଁ ଚର୍ଚ୍ଚକୁ ଆସିବାର ସଙ୍କେତ ଦିଏ। ତା’ସହ ଦୈନନ୍ଦିନ ପ୍ରେୟାର କରିବାର ନିର୍ଦ୍ଦିଷ୍ଟ ସମୟକୁ ଅବଗତ କରାଏ। ତା’ଛଡା କିଛି ଖାସ୍‌ ଅବସର ଯେପରିକି ବିବାହ ଅବା ଅନ୍ତ୍ୟେଷ୍ଟି କ୍ରିୟା ବେଳେ ବି ଘଣ୍ଟିଯାଏ। ଆଉ ବଡ଼ଦିନ ପାଳନ ଅବସରରେ ବି ଘଣ୍ଟିର ମହତ୍ୱ ରହିଛି। ବୌଦ୍ଧ ମନ୍ଦିରରେ ବହୁତ ବଡ଼ ବଡ଼ ଘଣ୍ଟି ଲାଗିଥାଏ। ଯାହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥାଏ। ତେଣୁ ଘଣ୍ଟିକୁ ପ୍ରାର୍ଥନା ପାଇଁ ଡାକିବାର ଏକ ମାଧ୍ୟମଭାବେ ବ୍ୟବହାର କରାଯାଇଥାଏ। ଏହାବାଦ୍‌ ଘଣ୍ଟିର ଶବ୍ଦକୁ ବୁଦ୍ଧ ଦେବଙ୍କ ଧର୍ମ ଜ୍ଞାନ ପ୍ରଦାନ କରୁଥିବା ସ୍ବର୍ଗୀୟ ସୁଜ୍ଞାନୀ କଣ୍ଠସ୍ବରର ପ୍ରତୀକଭାବେ ମଧ୍ୟ ଗ୍ରହଣ କରାଯାଏ।

ଶ୍ରୀଜଗନ୍ନାଥଙ୍କୁ ଫ୍ରାନ୍ସ ଓ ନେପାଳରୁ ଦାନସ୍ବରୂପ ମିଳିଛି ଦୁଇଟି ବୃହତ୍‌ ଘଣ୍ଟି
ସନାତନ ଧର୍ମରେ ଘଣ୍ଟି ଓ ଘଣ୍ଟର ପ୍ରଚଳନ ଯୁଗେ ଯୁଗେ ରହିଆସିଛି। ଏହାର ଧ୍ୱନିକୁ ମଙ୍ଗଳମୟ ଭାବେ ବିବେଚନା କରାଯାଇଥାଏ। ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଭାସ୍କର ମିଶ୍ର କୁହନ୍ତି,‘ଘଣ୍ଟିରୁ ନିଃସୃତ ଶବ୍ଦରୁ ଯେଉଁ ଧ୍ୱନି ତରଙ୍ଗ ସୃଷ୍ଟି ହୁଏ ତାହା ପ୍ରାୟ ୭ ସେକେଣ୍ଡ ପର୍ଯ୍ୟନ୍ତ ବାୟୁମଣ୍ଡଳରେ କମ୍ପନ ସୃଷ୍ଟି କରେ, ଯାହା ଶରୀରର ୭ଟି କ୍ଷେତ୍ରରେ ଅନୁକୂଳ ପ୍ରଭାବ ପକାଇଥାଏ। ଶ୍ରୀଜଗନ୍ନାଥଙ୍କ ନୀତିରେ ବି ଘଣ୍ଟିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଶ୍ରୀମନ୍ଦିରର ଦୈନନ୍ଦିନ ନୀତିରେ ଗୋପାଳ ବଲ୍ଲଭ ଭୋଗରୁ ଆରମ୍ଭ କରି ବଡ଼ସିଂହାର ଭୋଗ ଧୂପ ପୂଜା ପର୍ଯ୍ୟନ୍ତ ଘଣ୍ଟିର ବ୍ୟବହାର ହୋଇଥାଏ। ଘଣ୍ଟିକୁ ପୂଜାପଣ୍ଡା ସେବକମାନେ ସମସ୍ତ ପୂଜା ଉପଚାର ସମୟରେ ବଜାଇଥା’ନ୍ତି। ଘଣ୍ଟି ବଜାଇବାର ବିଧିବିଧାନ ପର୍ବପର୍ବାଣିରେ ମଧ୍ୟ ରହିଛି। ଦେଉଳ ପୁରୋହିତ ପୁଷ୍ୟାଭିଷେକ ସମୟରେ ଷୋଡ଼ଶ ଉପଚାର କରିବାବେଳେ ଘଣ୍ଟି ବଜାଉଥିବାବେଳେ ପୂଜାପଣ୍ଡାମାନେ ପନ୍ତି ଭୋଗ ସମୟରେ ଘଣ୍ଟି ବଜାନ୍ତି। ଠାକୁରଙ୍କର ରଥରେ ଶୁଖିଲା ଭୋଗ ହେବାବେଳେ ବି ଘଣ୍ଟି ବଜାଯାଏ। ତେବେ ସବୁଠୁ ସ୍ବତନ୍ତ୍ର ପରମ୍ପରା ହେଉଛି, ରଥ ଉପରେ ଅଧରପଣା ନୀତିବେଳେ ପଞ୍ଚୋପଚାର ପୂଜା ଶେଷରେ ପୂଜାପଣ୍ଡା ଘଣ୍ଟି ସାହାଯ୍ୟରେ ଅଧର ହାଣ୍ଡି ଭାଙ୍ଗିଥାନ୍ତି। ଆଉ ସେହି ପଣାକୁ ରଥସ୍ଥ ଦେବଦେବୀ, ଅଶରୀରୀମାନଙ୍କୁ ଉତ୍ସର୍ଗ କରାଯାଏ। ଏହା ବ୍ୟତୀତ ଆଉ ଦୁଇଟି ବୃହତକାୟ ଘଣ୍ଟି ଶ୍ରୀମନ୍ଦିରରେ ଅଛି। ଆଜକୁ ପ୍ରାୟ ୨୭୫ ବର୍ଷ ପୂର୍ବେ ଏକ ବୃହତକାୟ ଘଣ୍ଟି ଆକସ୍ମିକ ଭାବେ ଶ୍ରୀମନ୍ଦିରକୁ ଦାନ ସ୍ବରୂପ ମିଳିଥିଲା। ଉକ୍ତ ଘଣ୍ଟିକୁ ଫରାସୀ କ୍ୟାପ୍ଟେନ୍‌ ଆଲବର୍ଟ ବିଟୋ ପଣ୍ଡିଚେରୀରେ ନିର୍ମିତ ଚର୍ଚ୍ଚ ପାଇଁ ଆଣୁଥିଲେ। କିନ୍ତୁ ବାଟରେ ଏକ ଅଲୌକିକ ଘଟଣା ଘଟିଥିଲା ଯେଉଁଥିରେ ଶ୍ରୀଜଗନ୍ନାଥଙ୍କୁ ପୂଜା କରିବା ଦ୍ୱାରା ଜାହାଜରେ ଥିବା ସମସ୍ତ ଯାତ୍ରୀ ଝଡରୁ ବଞ୍ଚତ୍ୟାଇଥିଲେ। ତେଣୁ କ୍ୟାପ୍ଟେନ୍‌ ବିଟୋ ଶ୍ରୀଜଗନ୍ନାଥଙ୍କର ଭକ୍ତ ପାଲଟି ଯାଇ ମହାପ୍ରଭୁଙ୍କୁ ତାହା ଉପହାରସ୍ବରୂପ ପ୍ରଦାନ କରିଥିଲେ। ଏବେ ଏହା ଶ୍ରୀମନ୍ଦିର ପଶ୍ଚିମ ପାର୍ଶ୍ୱସ୍ଥ ନୀଳାଦ୍ରି ବିହାର ମ୍ୟୁଜିୟମରେ ସଂକ୍ଷିତ ହୋଇ ଅଛି। ଆଉ ଏକ ବୃହତ୍‌ ଘଣ୍ଟି ୧୯୦୪ ମସିହାରେ ନେପାଳ ରାଜାଙ୍କ ସାମରିକ ବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ପ୍ରଦାନ କରିଥିଲେ। ଯାହାକୁ ଶ୍ରୀମନ୍ଦିରର ଘଣ୍ଟିଦ୍ୱାର ସାମ୍‌ନାରେ ଦୁଇଟି ବୃହତକାୟ ଦଣ୍ଡରେ ସ୍ଥାପନ କରାଯାଇଛି।

ଶ୍ରୀଜଗନ୍ନାଥଙ୍କୁ ଫ୍ରାନ୍ସ ଓ ନେପାଳରୁ ଦାନସ୍ବରୂପ ମିଳିଛି ଦୁଇଟି ବୃହତ୍‌ ଘଣ୍ଟି: ସୁରେନ୍ଦ୍ର ମିଶ୍ର
ଭାରତ ପରାଧୀନ ଥିବା ସମୟର କଥା। ପଣ୍ଡିଚେରୀରେ ନିର୍ମାଣ ହେଉଥିଲା ଭାରତର ବୃହତ୍ତମ ଗିର୍ଜା। ସେଠାରେ ଏକ ବଡ଼ ଘଣ୍ଟି ଲଗାଇବା ପାଇଁ ଫ୍ରାନ୍ସରେ ବରାଦ ଦିଆଯାଇଥିଲା। କ୍ୟାପଟେନ୍‌ ବିଟୋ ଏହି ଘଣ୍ଟିକୁ ଫ୍ରାନ୍ସରୁ ଜାହାଜରେ ଭାରତକୁ ଆଣୁଥିଲେ। ପଣ୍ଡିଚେରୀ ଆସିବାବେଳେ ସେମାନେ ଦେଖିଲେ ଏକ ଭୟଙ୍କର ସାମୁଦ୍ରିକ ଝଡ ତାଙ୍କ ଆଡକୁ ମାଡି ଆସୁଥିଲା। ତା’ସହ ଏକ ବିରାଟକାୟ ସାମୁଦ୍ରିକ ଜୀବ ବି ଜାହାଜ ଆଡକୁ ଆସୁଥିଲା। ଫଳରେ ସମସ୍ତଙ୍କ ମନରେ ସୁନିଶ୍ଚିତ ମୃତ୍ୟୁର ଭୟ ସୃଷ୍ଟି ହୋଇଥିଲା। ଆଉ ସମୁଦ୍ରରେ ଲୀନ ହୋଇଯିବା ଭୟରେ ନିଜ ନିଜ ଠାକୁରଙ୍କୁ ପ୍ରାର୍ଥନା କରିଥିଲେ। ହେଲେ କିଛି ଫଳ ମିଳି ନ ଥିଲା। ଝଡ଼ସହ ସାମୁଦ୍ରିକ ଜୀବଟି ଜାହାଜର ନିକଟତର ହେବାକୁ ଲାଗିଥିଲା। ଏମିତିରେ ସେ ଦେଖିଲେ ଜଣେ ଭାରତୀୟ ଏକ ଫଟୋକୁ ପୂଜା କରୁଛନ୍ତି। ସେ ଯାଇ ପଚାରିଲେ କ’ଣ କରୁଛ? ଭାରତୀୟ ଯୁବକ କହିଲେ ମୁଁ ମୋ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୂଜା କରୁଛି। ତାଙ୍କର କୃପା ଲାଭ ହେଲେ ଆମେ ନିଶ୍ଚୟ ଏଇ ବିପତ୍ତିରୁ ଉଦ୍ଧାର ହୋଇପାରିବା। ଏହାଶୁଣି କ୍ୟାପ୍ଟେନ୍‌ ଚିନ୍ତା କଲେ ଆମ ପ୍ରାର୍ଥନା ତ ବିଫଳ ହୋଇସାରିଛି। ଏଇ ଠାକୁରଙ୍କୁ ବି ପୂଜି ଦେଖିବା। ଆଉ ଆଣ୍ଠୁମାଡି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ ଆମମାନଙ୍କୁ ରକ୍ଷା କରନ୍ତୁ। କିଛି ସମୟ ପରେ ଦେଖିବାକୁ ମିଳିଲା ଝଡ଼ର ତୀବ୍ରତା କମି ଯାଇଛି ଓ ସାମୁଦ୍ରିକ ଜୀବଟି ତା’ର ଗତିପଥ ବଦଳାଇ ଦେଇଛି। ଏଭଳି ଚମତ୍କାର ଦେଖି କ୍ୟାପ୍ଟେନ୍‌ ହତବାକ୍‌ ହୋଇଯାଇଥିଲେ। ଆଉ ସେ ଭାରତୀୟଙ୍କୁ କୁଣ୍ଢେଇ କହିଲେ, ଆପଣ ଓ ଆପଣଙ୍କ ପ୍ରଭୁ ଆମ ସମସ୍ତଙ୍କୁ ବଞ୍ଚାଇ ଦେଇଛନ୍ତି। ଏତେ ବଡ଼ ଉପକାର ପ୍ରତିବଦଳରେ ମୁଁ କ’ଣ ବା ଦେଇପାରିବି। ତେବେ ଯେଉଁ ଘଣ୍ଟିଟି ଗିର୍ଜା ପାଇଁ ନେଉଥିଲି ତାକୁ ତୁମର ପ୍ରଭୁଙ୍କୁ ଉପହାରସ୍ବରୂପ ପ୍ରଦାନ କରିବି। ଆଉ ସେୟା ହେଲା। ଜାହାଜ ପୁରୀରେ ପହଞ୍ଚତ୍ବା ପରେ କ୍ୟାପ୍ଟେନ୍‌ ଘଣ୍ଟିଟିକୁ ଜାହାଜରୁ ଓହ୍ଲାଇଥିଲେ। ଆଉ ତା’ଉପରେ ଡଚ୍‌ ଭାଷାରେ ଦାନପତ୍ର ଲେଖାଇ କିଛି ଅର୍ଥ ସହ ଶ୍ରୀଜଗନ୍ନାଥଙ୍କୁ ଦାନ କଲେ। ଏଇ ଘଟଣା ସେତେବେଳେ ବଡ଼ ଆଲୋଡନ ସୃଷ୍ଟି କରିଥିଲା। ପାଦ୍ରିମାନେ ଫ୍ରାନ୍ସ ସରକାରଙ୍କ ଉପରେ ଚାପ ପକାଇଥିଲେ ଘଣ୍ଟିଟିକୁ ଫେରାଇ ଆଣିବା ପାଇଁ। ଫ୍ରାନ୍ସ ସରକାର ତତ୍କାଳୀନ ଭାରତରେ ଶାସନ କରୁଥିବା ବ୍ରିଟିଶ ସରକାରଙ୍କୁ ଘଣ୍ଟି ଫେରସ୍ତ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ଶ୍ରୀଜଗନ୍ନାଥଙ୍କୁ ଦିଆଯାଇଥିବା ଦାନ ଫେରସ୍ତ କରାଯାଏ ନାହିଁ ବୋଲି ମନା କରିଦେଇଥିଲେ। ଭାରତ ସ୍ବାଧୀନତା ପାଇବା ପରେ ବି ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁଙ୍କ ପାଖରେ ଏହି ଦାବି ରାଷ୍ଟ୍ରଦୂତ ମାଧ୍ୟମରେ ଉପସ୍ଥାପନ କରିଥିଲେ। ନେହେରୁ ମଧ୍ୟ ଘଣ୍ଟି ଫେରାଇବା ପାଇଁ ଏକ ଅନୁରୋଧ ପତ୍ର ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କୁ ଲେଖିଥିଲେ। ହେଲେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ ପୁଣିଥରେ ସେଇ କଥା କହି ଘଣ୍ଟି ଫେରାଇବାକୁ ମନା କରିଥିଲେ। ଉକ୍ତ ଘଣ୍ଟିକୁ ଶ୍ରୀମନ୍ଦିର ଜଗନମୋହନର ଉତ୍ତରପାର୍ଶ୍ୱ ବାହାରେ ରଖାଯାଇଥିଲା। ପୂଜା ସମୟରେ ଘଣ୍ଟିକୁ ବଜା ବି ଯାଉଥିଲା। ମାତ୍ର ଖରାବର୍ଷା ଖାଇ ଏଥିରେ ଫାଟ ସୃଷ୍ଟି ହେବାରୁ ଏହାକୁ ବଜା ଗଲାନି। ପରେ ନେପାଳରୁ ବି ଏକ ଘଣ୍ଟି ମହାପ୍ରଭୁଙ୍କ ପାଇଁ ଆସିଥିଲା। ତେଣୁ ଫ୍ରାନ୍ସରୁ ଆସିଥିବା ଘଣ୍ଟିକୁ ସେଠାରୁ ଅପସାରଣ କରାଯାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରପଟେ ଥିବା ନୀଳାଦ୍ରିବିହାର ସଂଗ୍ରହାଳୟ ପରିସରରେ ରଖାଗଲା। ଆଉ ନେପାଳରୁ ଆସିଥିବା ଘଣ୍ଟିକୁ ଜଗମୋହନ ଉତ୍ତରପାର୍ଶ୍ୱରେ ଓହଳା ଗଲା। ଯାହା ଏବେବି ଶୋଭା ପାଉଛି।

ଘଣ୍ଟି ପ୍ରିୟ ମା’ ଘଣ୍ଟେଶ୍ୱରୀ
ସମ୍ବଲପୁରରେ ଅନେକ ଶକ୍ତିପୀଠ ରହିଛି । ସେଥିମଧ୍ୟରୁ ଚିପିଲିମା ସ୍ଥିତ ଘଣ୍ଟେଶ୍ୱରୀ ପୀଠ ଅନ୍ୟତମ। ଏଠାରେ ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟି ପ୍ରିୟ ହୋଇଥିବାରୁ ଏହା ଘଣ୍ଟେଶ୍ୱରୀ ପୀଠ ନାମରେ ନାମିତ ହୋଇଛି। ମନ୍ଦିରରେ ପ୍ରବେଶ କରୁ କରୁ ହିଁ ମାଳମାଳ ଘଣ୍ଟି ଝୁଲୁଥିବାର ଦେଖିବାକୁ ମିଳେ। ଏଇ ଘଣ୍ଟି ସବୁକୁ ପୂଜା ସମୟରେ ଶ୍ରଦ୍ଧାଳୁମାନେ ମାନସିକ ରଖି ବାନ୍ଧିଥାନ୍ତି। ମନସ୍କାମନା ପୂର୍ଣ୍ଣ ହେଲେ ମଧ୍ୟ ମା’ଙ୍କ ପାଖରେ ଘଣ୍ଟି ଅର୍ପଣ କରି ବନ୍ଧାଯାଏ। ମନ୍ଦିର ମୁଖଶାଳାରୁ ମନ୍ଦିର ଚତୁଃପାର୍ଶ୍ୱ, ଏପରିକି ଗଛଲତାଗୁଡ଼ିକରେ ବି ଲକ୍ଷାଧିକ ଛୋଟବଡ଼ ଘଣ୍ଟି ଲାଲ କପଡାରେ ବନ୍ଧାଯାଇ ଝୁଲି ରହିଥିବା ଦେଖିବାକୁ ମିଳେ। ଆଉ ମନ୍ଦିର ପରିବେଶ ଘଣ୍ଟିମୟ ଲାଗେ। ମହାନଦୀ ତଟରେ ରହିଥିବା ଏହି ମନ୍ଦିର ସମ୍ପର୍କରେ ଅନେକ ଲୋକକଥା ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି, ପ୍ରାୟ ୧୮୦୦ ମସିହାରେ ଝରା ସମ୍ପ୍ରଦାୟର ପରିବାର ଏଠାକାର ଲମ୍ବେଇଡୁଙ୍ଗୁରୀ ପାହାଡ଼ ପାଦଦେଶରେ ରହୁଥିଲେ। ସେମାନଙ୍କ ମୁଖ୍ୟ ଜୀବିକା ଥିଲା ମହାନଦୀରୁ ବିଭିନ୍ନ ମୂଲ୍ୟବାନ ରତ୍ନପଥର ସଂଗ୍ରହ କରିବା। ଏହି ସମୟରେ ନଦୀରୁ ଏକ ଲାଲ ରଙ୍ଗର ମାଟି ଭଳି ସାମଗ୍ରୀ ସେମାନେ ପାଇଥିଲେ। ଆଉ ତାକୁ ମହାନଦୀ ତଟରେ ଥିବା ଏକ ବୃକ୍ଷ ତଳେ ରଖି ଦେଇଥିଲେ। ପରବର୍ତ୍ତୀ ସମୟରେ ସେହି ପରିବାରର ମୁଖ୍ୟ ବ୍ୟକ୍ତିଙ୍କୁ ମା’ ସ୍ବପ୍ନାଦେଶ ହେଲେ ଯେ, ମୁଁ ଘଣ୍ଟେଶ୍ୱରୀ ରୂପରେ ଉଭା ହୋଇଛି। ଆଉ ଏଇଠାରେ ମୋତେ ପୂଜା କରାଯାଉ। ସେହିଦିନଠାରୁ ମା’ଙ୍କୁ ଘଣ୍ଟେଶ୍ୱରୀ ରୂପରେ ପୂଜା କରାଯାଉଛି। କୁହାଯାଏ ଏହାର କିଛି ବର୍ଷ ପରେ ପୁଣି ଝରା ପରିବାରର ମୁଖ୍ୟଙ୍କୁ ଉକ୍ତ ସ୍ଥାନ ଛାଡ଼ିଯିବାକୁ ବି ସ୍ବପ୍ନାଦେଶ ହୋଇଥିଲା। ଫଳରେ ସେମାନେ ଏହି ସ୍ଥାନଛାଡ଼ି ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ। ସେମିତି ଆଉ ଏକ ଲୋକକଥା ଶୁଣିବାକୁ ମିଳେ ଯେ, ମହାନଦୀରେ ବଣିଜ କରିବା ପାଇଁ ଯେତେବେଳେ ବଣିକମାନେ ଡଙ୍ଗାରେ ଏହି ରାସ୍ତାଦେଇ ଯାଉଥିଲେ ଘଣ୍ଟି ବାଜିବାର ଶବ୍ଦ ଶୁଣାଯାଉଥାଏ। ବାରମ୍ବାର ଏଭଳି ହେବାରୁ ସେମାନେ ଥରେ ଅଟକି ଯାଇ ମା’ ଘଣ୍ଟେଶ୍ୱରୀଙ୍କ ଆବିର୍ଭାବ ହୋଇଥିବା ଦେଖିଥିଲେ। ଆଉ ସେବେଠାରୁ ମା’ ପୂଜା ପାଉଥିବା ଜନଶ୍ରୁତି ରହିଛି। ତେବେ ଘଣ୍ଟିରେଭରା ଏହି ମନ୍ଦିରରେ ଆଗାମୀ ଦିନରେ ୧୫୦ କେଜି ଓଜନର ଏକ ଘଣ୍ଟି ଲଗାଇବାକୁ ଯୋଜନା କରାଯାଉଛି। ଘଣ୍ଟେଶ୍ୱରୀ ମନ୍ଦିର ଏବେ ଏକ ପର୍ଯ୍ୟଟନସ୍ଥଳୀ ଭାବରେ ବେଶ୍‌ ପରିଚିତ ହୋଇପାରିଛି। ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଭକ୍ତ ଓ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

ଘଣ୍ଟାରେ ଘଣ୍ଟି: ଘଣ୍ଟାରେ ବି ଘଣ୍ଟିର ବ୍ୟବହାର ହୋଇଥାଏ, ଯାହା ପ୍ରତି ଘଣ୍ଟା ଅତିକ୍ରାନ୍ତରେ ବାଜି ସମୟ ଜଣାଇଥାଏ। ବହୁ ସ୍ଥାନରେ କ୍ଲକ ଟାଓ୍ବାର ବି ଅଛି, ଯାହାର ଘଣ୍ଟିର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଭିଥାଏ। ବିଗ୍‌ ବେନ୍‌ ହେଉଛି ବହୁ ପ୍ରସିଦ୍ଧ କ୍ଲକ ଟାଓ୍ବାର, ଯାହା ପାଲେସ୍‌ ଅଫ୍‌ ଓ୍ବେଷ୍ଟମିନ୍‌ଷ୍ଟରରେ ଥିବା ଏଲିଜାବେଥ୍‌ ଟାଓ୍ବାରରେ ଅଛି।

ସଙ୍କେତ ପାଇଁ ଘଣ୍ଟି: ସେ ସ୍କୁଲ ଛୁଟି ପାଇଁ ଘଣ୍ଟି ହେଉକି ଶୂନପାମ୍ପଡବାଲା ଆସିବାର ଘଣ୍ଟି। ସାଙ୍କେତିକଭାବେ ବି ଘଣ୍ଟିକୁ ବ୍ୟବହାର କରାଯାଏ।

ପୃଥିବୀର ସବୁଠାରୁ ବଡ଼ ଘଣ୍ଟି: ଆଜି ପର୍ଯ୍ୟନ୍ତ ପୃଥିବୀରେ ଥିବା ସବୁଠାରୁ ବଡ ଓ ଭାରି ଘଣ୍ଟି ହେଉଛି ରୁଷିଆରେ ଥିବା ୨୧୬ ଟନ୍‌ ଓଜନ ବିଶିଷ୍ଟ ‘ଜାର ବେଲ୍‌’, ଯାହା ‘ଜାର୍‌ କୋଲୋକୋଲ ୩’ ନାମରେ ବି ପରିଚିତ। ଏହାକୁ ଇଭାନ ଫେଓଡୋରୋବିଚ ମୋଟରିନ୍‌ ୧୭୩୫ ମସିହାରେ ତିଆରି କରିଥିଲେ। ଏହାର ନିର୍ମାଣର କିଛି ସମୟ ପରେ ଏକ ଅଗ୍ନିକାଣ୍ଡ ଘଟି ଘଣ୍ଟିଟି କ୍ଷତିଗ୍ରସ୍ତ ହୋଇଗଲା। ଯଦ୍ଦ୍ବାରା ଏହା କୌଣସି କାମରେ ଲାଗିପାରିଲା ନାହିଁ। ଏବେ ଏହା ମସ୍କୋ ସହରର କ୍ରେମଲିନ ପରିସରରେ ରଖାଯାଇଛି। ଯାହାକି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ପାଲଟିଯାଇଛି। ତେବେ ‘ଗ୍ରେଟ ବେଲ୍‌ ଅଫ୍‌ ଧମ୍ମଜେଡି’କୁ ଇତିହାସର ସବୁଠାରୁ ବଡ଼ ଘଣ୍ଟିଭାବେ ଗଣନା କରାଯାଏ। ଏହାର ନିର୍ମାଣ ୧୪୮୪ରେ ମ୍ୟାନମାରରେ ହନ୍ଥାଓ୍ବାଡି ସାମ୍ରାଜ୍ୟର ରାଜା ଧମ୍ମଜେଡିଙ୍କ ଆଦେଶକ୍ରମେ କରାଯାଇଥିଲା। କୁହାଯାଏ ଧମ୍ମଜେଡି ନିଜ ସାମ୍ରାଜ୍ୟରେ ଜନଗଣନା କରିବା ପାଇଁ ନିଜ କର୍ମଚାରୀଙ୍କୁ ଆଦେଶ ଦେଇଥିଲେ। ହେଲେ କର୍ମଚାରୀମାନେ ଦୁର୍ନୀତି କରି ଲୋକଙ୍କଠାରୁ ମୁଦ୍ରା ଆଣିଥିଲେ। ରାଜା ଧମ୍ମଜେଡି ଯେତେବେଳେ ଏହା ଜାଣିଲେ ଖୁବ୍‌ ରାଗିଯାଇଥିଲେ। ଆଉ ନିଜ ପରାମର୍ଶଦାତ୍ତାଙ୍କ କଥାନୁସାରେ ସେଇ ମୁଦ୍ରାରେ ଏକ ବଡ଼ ଘଣ୍ଟି କରିବାକୁ ନିଷ୍ପତ୍ତି ନେଲେ। ଶେଷରେ ଏହି ବିରାଟକାୟ ଘଣ୍ଟି ତିଆରି ହେଲା। ୩୨୭ ଟନ୍‌ ଓଜନର ଏହି ଘଣ୍ଟିକୁ ସେ ଶ୍ୱେଦାଗୋନ ପାଗୋଡା ବୌଦ୍ଧ ମନ୍ଦିରକୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ପର୍ତ୍ତୁଗୀଜ ମ୍ୟାନମାରକୁ ପରାସ୍ତ କଲା, ଏହି ଘଣ୍ଟିଟିକୁ ନେଇଯିବାକୁ ଚାହିଁଥିଲା। ଆଉ ବାଗୋ ନଦୀ ଦେଇ ଜାହାଜରେ ଘଣ୍ଟିକୁ ନେଲାବେଳେ ଜାହାଜ ଘଣ୍ଟିର ଓଜନ ସମ୍ଭାଳି ନ ପାରି ବୁଡିଯାଇଥିଲା। ତା’ସହ ଘଣ୍ଟି ବି ବୁଡିଗଲା। ଏବେ ବି ଘଣ୍ଟିଟି ନଦୀ ଗର୍ଭରେ ଅଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri