Categories: ଖେଳ

ବେଲ୍‌ଗ୍ରେଡ ଟ୍ରଫି ସୁଇମିଂ: ସଜନ, ଶ୍ରୀହରିଙ୍କୁ ସ୍ବର୍ଣ୍ଣ ପଦକ

ବେଲ୍‌ଗ୍ରେଡ, ୨୧ା୬ (ପି.ଟି.)-ବେଲ୍‌ଗ୍ରେଡ ଟ୍ରଫି ସୁଇମିଂ ପ୍ରତିଯୋଗିତାରେ ଅଲିମ୍ପିକ ଆଶାୟୀ ସଜନ ପ୍ରକାଶ ଓ ଶ୍ରୀହରି ନଟରାଜ ସେମାନଙ୍କ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଉଭୟେ ଟୋକିଓ ଗେମ୍ସ ପାଇଁ ଏ’ ଯୋଗ୍ୟତା ଅଙ୍କ ହାସଲ କରିପାରି ନାହାନ୍ତି। ଫିନା ସ୍ବୀକୃତିପ୍ରାପ୍ତ ଏହି ଅଲିମ୍ପିକ କ୍ୱାଲିଫାୟରରେ ପ୍ରକାଶ ୨୦୦ ମିଟର ବଟରଫ୍ଲାଏ ରେସ୍‌ ୧:୫୬.୯୬ ଟାଇମିଂରେ ଶେଷ କରି ଥିଲେ। ଏଥି ସହିତ ସେ ୨୦୧୮ରେ ୧:୫୭.୭୩ ସେକେଣ୍ଡ ଟାଇମିଂରେ ନିଜ ଦ୍ୱାରା ପ୍ରତିଷ୍ଠା ଜାତୀୟ ରେକର୍ଡକୁ ସେ ଭଙ୍ଗ କରିଥିଲେ। ତେବେ କେରଳର ଏହି ୨୭ ବର୍ଷୀୟ ସନ୍ତରଣକାରୀ ଅଲିମ୍ପିକ ପାଇଁ ରହିଥିବା ଯୋଗ୍ୟତା ଅଙ୍କଠାରୁ ୦.୪୮ ସେକେଣ୍ଡ ପଛରେ ରହିଯାଇଥିଲେ। ଅନ୍ୟପକ୍ଷରେ ନଟରାଜ ୫୪.୪୫ ସେକେଣ୍ଡ ଟାଇମିଂରେ ୧୦୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟ ଜିତିଥିଲେ। କିନ୍ତୁ ୨୦ବର୍ଷୀୟ ଏହି ସନ୍ତରଣକାରୀ ଟୋକିଓ ଗେମ୍ସ ପାଇଁ ଏ’ ଯୋଗ୍ୟତା ଅଙ୍କ ହାସଲ କରିପାରି ନ ଥିଲେ। ଉଭୟ ପ୍ରକାଶ ଓ ନଟରାଜ କିନ୍ତୁ ପୂର୍ବରୁ ଯଥାକ୍ରମେ ୨୦୦ମିଟର ଓ ୧୦୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ବି’ ଅଙ୍କ ହାସଲ କରିସାରିଥିଲେ। ସେମାନେ ଏ’ ଯୋଗ୍ୟତା ଅଙ୍କ ହାସଲ କରିବା ଲାଗି ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏହାଦ୍ୱାରା ଆପେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପକ୍କା ହୋଇଯିବ। ୨୦୦ମିଟର ବଟରଫ୍ଲାଏ ପାଇଁ ଯୋଗ୍ୟତା ଅଙ୍କ ୧:୫୬.୪୮ ସେକେଣ୍ଡ ରହିଥିବାବେଳେ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପାଇଁ ୫୩.୮୫ ସେକେଣ୍ଡ ରହିଛିି। ଏ ପର୍ଯ୍ୟନ୍ତ କୌଣସି ଭାରତୀୟ ଏ’ ମାନଦଣ୍ଡ ହାସଲ କରିପାରିନାହାନ୍ତି।

Share