ଜୀବନ ଜୀବିକାରେ ମହୁମାଛି

ହୁମାଛିକୁ ଆନ୍ତର୍ଜାତିକ ଆର୍ଥୱାଚ ଅନୁଷ୍ଠାନ ପୃଥିବୀପୃଷ୍ଠର ସର୍ବୋତ୍କୃଷ୍ଟ ଜୀବର ମାନ୍ୟତା ଦେଇଛି। ମହୁମାଛିର ପ୍ରକୃତି ଉପରେ କୌଣସି କୁପ୍ରଭାବ ନ ଥାଏ, ମାତ୍ର ଏହାର ଅନୁପସ୍ଥିତି ଯୋଗୁ ଫସଲରେ ପରାଗସଙ୍ଗମ ହ୍ରାସ ଜନିତ କ୍ଷତି ହେବା ସହିତ ବିବିଧ ବୃକ୍ଷରାଜି ବିଶେଷକରି ଜୀବଜଗତ ଲୋପପାଇଯିବାର ଆଶଙ୍କା କରାଯାଏ। ସାଧାରଣତଃ ଲୋକମାନେ ବିଶୁଦ୍ଧ ମହୁ ପାଇବା ପାଇଁ ମହୁମାଛି ପାଳନ କରିଥାନ୍ତି ଓ ଦିନକୁ ଦିନ ମହୁମାଛି ପାଳନର ଚାହିଦା ଆମ ରାଜ୍ୟ ତଥା ଦେଶବିଦେଶରେ ବଢ଼ିଚାଲିଛି। ମହୁମାଛି ପାଳନର ବ୍ୟାପକତା ପାଇଁ ସରକାରୀ ସ୍ତରରେ ମଧ୍ୟ ଯଥେଷ୍ଟ ସୁବିଧା ସୁଯୋଗ ଓ ଆର୍ଥିକ ସାହାଯ୍ୟ ଯୋଗାଇ ଦିଆଯାଉଛି। ଅପରପକ୍ଷରେ ଆଜିକାଲି ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ କୀଟନାଶକ ପ୍ରୟୋଗ ଦ୍ୱାରା ବହୁଳ ଭାବରେ ମହୁମାଛି ଓ ଅନ୍ୟାନ୍ୟ ପରାଗସଙ୍ଗମକାରୀ କୀଟମାନେ ବିଲୋପ ହେବାରେ ଲାଗିଛନ୍ତି। ଏହାଦ୍ୱାରା ଫସଲ ଅମଳରେ ହ୍ରାସ ଦେଖାଯାଉଛି।
ପରାଗସଙ୍ଗମରେ ସାହାଯ୍ୟ କରୁଥିବା ମହୁମାଛିଙ୍କ ଦ୍ୱାରା ପ୍ରସ୍ତୁତ ମହୁ ମଣିଷ ପାଇଁ ଖାଦ୍ୟୋପଯୋଗୀ। ଏହି ଜୀବ ପରିବେଶ ସନ୍ତୁଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏତତବ୍ୟତୀତ ଏହି କୀଟ ବ୍ୟବହାରିକ ଦୃଷ୍ଟିକୋଣରୁ ଉନ୍ନତ, ଗଢ଼ିତୋଳିବାର କଳାରେ ଉତ୍କର୍ଷ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ସର୍ବୋତ୍କୃଷ୍ଟ। ଉକ୍ତ ଜୀବ ବିଭିନ୍ନ କଳା ଯଥା; କଠିନ ପରିଶ୍ରମ, ମିତବ୍ୟୟୀ, ସ୍ବାର୍ଥତ୍ୟାଗୀ, ଶୃଙ୍ଖଳିତ, ସଞ୍ଚୟ କରିବାରେ ଧୁରନ୍ଧର, ସୁସଂଗଠିତ, ସାମାଜିକ ଦାୟିତ୍ୱବାନ, ଅନନ୍ୟ ଯୋଗାଯୋଗ ଇତ୍ୟାଦି କୌଶଳରେ ନିପୁଣ ଏବଂ ଆହୁରି ଅନେକ କିଛି ମଧ୍ୟ ଏମାନଙ୍କଠାରୁ ଆମ୍ଭେ ଶିଖିପାରିବା।
ମହୁମାଛି ପାଳନ ଦ୍ୱାରା ଅନ୍ୟ କୃଷି ଉଦ୍ୟୋଗ ପ୍ରଭାବିତ ହୋଇ ନ ଥାଏ ଏବଂ ବ୍ୟବହୃତ ନ ହୋଇ ନଷ୍ଟ ହୋଇଯାଉଥିବା ପ୍ରାକୃତିକ ଦ୍ରବ୍ୟ (ମକରନ୍ଦ)ରୁ ମହୁ ଭଳି ଉନ୍ନତ ଦ୍ରବ୍ୟ ମିଳିଥାଏ। ନିରନ୍ତର ପ୍ରଜନନ ପ୍ରକୃତି ଯୋଗୁ ମହୁମାଛି ପାଳନ ଥରେ ଆରମ୍ଭ ହେଲେ ଏହା ଅବିରାମ ଚାଲିଥାଏ ଓ ଏହି ଶିଳ୍ପରୁ ଅନେକ ମୂଲ୍ୟବାନ ଦ୍ରବ୍ୟ ଯଥା ମହୁ, ମହମ, ରୟାଲ ଜେଲି, ମହୁମାଛି ବିଷ, ପରାଗରେଣୁ ଏବଂ ପ୍ରୋପୋଲିସ ଇତ୍ୟାଦି ମିଳିଥାଏ। ଏହା ଶିଳ୍ପରେ ବିଭିନ୍ନ ସୂତ୍ରରୁ ରୋଜଗାର କରିବାର ସୁବିଧା ଉପଲବ୍ଧ। ଏହା ପାଇଁ ବହୁଳ ବିନିଯୋଗ କିମ୍ବା ଅଧିକ ପରିଶ୍ରମର ଆବଶ୍ୟକତା ପଡ଼େ ନାହିଁ। ଉକ୍ତ ପରିପ୍ରେକ୍ଷୀରେ ମହୁମାଛିମାନଙ୍କର ସୁରକ୍ଷା ନିମନ୍ତେ ବିଶ୍ୱ ମହୁମାଛି ଦିବସ ପାଳନର ଗୁରୁତ୍ୱ ଯଥାର୍ଥ। ଏହି ଦିବସ ପ୍ରଥମେ କେତେକ ମହୁମାଛି ଚାଷୀଙ୍କ ଦ୍ୱାରା ୨୦୦୯ରେ ଆମେରିକାରେ ପାଳନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ପ୍ରସାର ହେଲା ଓ ବିଶ୍ୱ ସ୍ତରରେ ପ୍ରତିବର୍ଷ ଅଗଷ୍ଟ ତୃତୀୟ ଶନିବାର ଦିନ ପାଳନ କରିବାକୁ ସ୍ଥିର କରାଗଲା। ଭାରତରେ ଏହା ପ୍ରଥମ କରି ୨୦୧୯ରୁ ପାଳନ କରିବାକୁ କେନ୍ଦ୍ର ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ଓ ବିଭିନ୍ନ ରାଜ୍ୟରେ ପାଳିତ ହୋଇଥିଲା। ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଏହା ଅନେକ ସ୍ଥାନରେ ବିଶେଷକରି ଓଡ଼ିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଉଦ୍ୟାନ ନିର୍ଦ୍ଦେଶାଳୟର ସହଭାଗିତାରେ ପାଳିତ ହୋଇଥିଲା। ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ନାବାର୍ଡ ମଧ୍ୟ ଏ ଦିବସକୁ ଅତି ଆଗ୍ରହର ସହ ପାଳନ କରିଥିଲେ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହୁ୍‌ମାଛିର ସୁରକ୍ଷା।
ପରେ ସ୍ଲୋଭେନିଆନ ବୀ କିପିଙ୍ଗ ଆସୋସିଏଶନ ଦ୍ୱାରା ୨୦୧୪ରେ ଉପସ୍ଥାପିତ ପ୍ରସ୍ତାବକୁ ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ) ମହାନିର୍ଦ୍ଦେଶକ ଗ୍ରଜିଆନୋ ଡା ସିଲ୍‌ଭା ଏବଂ ସ୍ଲୋଭେନିଆର ଉପପ୍ରଧାନମନ୍ତ୍ରୀ ତଥା କୃଷି, ଜଙ୍ଗଲ ଓ ଖାଦ୍ୟ ମନ୍ତ୍ରୀ ଡେଜାନଙ୍କ ମିଳିତ ଉଦ୍ୟମ ଫଳରେ ସାମାଜିକ ଓ ଖାଦ୍ୟ ନିରାପତ୍ତା ନିମନ୍ତେ ଜାତିସଂଘ ମେ ୨୦ ରେ ଏହି ମହୁମାଛି ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ମେ ମାସରେ ଉତ୍ତର ଗୋଲାର୍ଦ୍ଧରେ ମହୁମାଛିଙ୍କର ବଂଶ ବୃଦ୍ଧି ଏବଂ ପୃଥିବୀରେ ମଡର୍ନ ବୀ କିପିଙ୍ଗର ପ୍ରଥମ ଶିକ୍ଷକ ଆଣ୍ଟୋନ ଜନସା (୧୭୩୪-୧୭୭୩) ଜନ୍ମ ତାରିଖ ମେ ୨୦କୁ ମନେରଖିବା ଉଦ୍ଦେଶ୍ୟରେ ଏହି ଦିନଟିକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା ପରେ ଆମ ଦେଶ ଓ ରାଜ୍ୟରେ ୨୦୧୯ ରୁ ମେ ୨୦ରେ ଏହି ଦିନଟିକୁ ପାଳନ କରୁଛେ ଏବଂ ପରବର୍ତ୍ତୀ ବର୍ଷଗୁଡିକରେ ମଧ୍ୟ ଏହି ଦିନଟିକୁ ବିଶ୍ୱ ମହୁମାଛି ଦିବସ ଭାବେ ପାଳନ କରାଯିବ ବୋଲି ଆଶା। ମହୁମାଛିଙ୍କର ସୁରକ୍ଷା ଏହି ଦିବସ ପାଳନର ଲକ୍ଷ୍ୟ।
ପ୍ରତିବର୍ଷ ବିଶ୍ୱ ମହୁମାଛି ଦିବସ ବିଭିନ୍ନ ଆଭିମୁଖ୍ୟ ନେଇ ପାଳନ କରାଯାଇଥାଏ। ମହୁମାଛି ଏବଂ ମହୁମାଛି ଚାଷର ଗୁରୁତ୍ୱ, ଜୀବନ ଓ ଜୀବିକାରେ ସେମାନଙ୍କ ଭୂମିକା ତଥା ପରିବେଶ ସୁରକ୍ଷା ଆଦି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ବର୍ଷ ବିଶ୍ୱ ମହୁମାଛି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରାଗ ସଙ୍ଗମରେ ମହୁମାଛିମାନଙ୍କର ଭୂମିକା ସମ୍ପର୍କରେ ସଚେତନ କରିବା। ମହୁମାଛି ଏବଂ ମହୁଚାଷର ପରିବେଶ ପ୍ରତି ଅନେକ ଅବଦାନ ରହିଛି ଯଥା ପରାଗସଙ୍ଗମ, ଯାହା କି ବିଭିନ୍ନ କୃଷି ଓ ଉଦ୍ୟାନଭିତ୍ତିକ ଫସଲର ଅମଳ ବୃଦ୍ଧିରେ ସହାୟକ ହୋଇଥାଏ। କୀଟମାନଙ୍କ ଦ୍ୱାରା ପାଖପାଖି ୮୫ ପ୍ରତିଶତ ପରାଗସଙ୍ଗମ ହେଉଥିବା ବେଳେ କେବଳ ମହୁମାଛି ଦ୍ୱାରା ୮୦ ପ୍ରତିଶତ ଫୁଲ ଗଛର ପରାଗସଙ୍ଗମ ହୋଇଥାଏ। ମହୁମାଛିଙ୍କୁ ନିୟୋଜିତ କରି ନିୟନ୍ତ୍ରିତ ଉପାୟରେ ବିଭିନ୍ନ ଫସଲ ଯଥା ସେଓ, ଲିଚୁ, ଅଙ୍ଗୁର, ପିଆଜ, କାକୁଡି, କୋବି, ସୂର୍ଯ୍ୟମୁଖୀ, ସୋରିଷ, ଅଳଶି ଇତ୍ୟାଦି ଫସଲରେ ଅମଳ ବହୁ ମାତ୍ରାରେ ବୃଦ୍ଧି କରାଯାଇପାରୁଛି। ମହୁବାକ୍ସରୁ ମିଳୁଥିବା ଉତ୍ପାଦ (ମହୁ, ମହମ ଇତ୍ୟାଦି)ଠାରୁ ମହୁମାଛି ଦ୍ୱାରା ପରାଗସଙ୍ଗମ ହୋଇ ବର୍ଦ୍ଧିତ ଫସଲ ଉତ୍ପାଦର ମୂଲ୍ୟ ପାଖାପାଖି ୧୫-୨୦ ଗୁଣ ଅଧିକ। ତେଣୁ ମହୁମାଛିର ସୁରକ୍ଷା ପ୍ରତି ଆମେମାନେ ଯତ୍ନବାନ ହେବା ଉଚିତ।

– ସ୍ବପ୍ନାଲିସା ମହାପାତ୍ର  |  ଡ. ଚିତ୍ତରଞ୍ଜନ ଶତପଥୀ
କୀଟତତ୍ତ୍ୱ ବିଭାଗ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର, ମୋ:୯୪୩୭୦୧୩୬୭୭


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri