ଭବାନୀପାଟଣା, ,୨୦।୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଶନିବାର ସନ୍ଧ୍ୟାରେ ସହରର ଜନବସତି ଅଞ୍ଚଳରେ ଏକ ଜଙ୍ଗଲୀ ଭାଲୁ ମୁକ୍ତ ଭାବେ ବୁଲୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହରର ବାପୁଜୀ ସ୍କୁଲ ନିକଟରେ ରହୁଥିବା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଉଦୟଭାନୁ ଜେନାଙ୍କ ବାସଭବନ ହତା ଭିତରକୁ ହଠାତ୍ ଗୋଟିଏ ଜଙ୍ଗଲୀ ଭାଲୁ ପଶିଯାଇଥିଲା। ଘର ବଗିଚାରେ ଭାଲୁକୁ ଦେଖି ପରିବାର ଲୋକେ ଓ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ।
ତେବେ କିଛି ସମୟ ପରେ ଭାଲୁଟି ସେହି ସ୍ଥାନ ପାର ହୋଇ ଦେୱାନ ସାହେବ ପଡ଼ା ମେଡ଼ିକାଲ ପଛପଟ ନିକଟକୁ ଚାଲିଯାଇଥିଲା ଏବଂ ବର୍ତ୍ତମାନ ସେହି ଅଞ୍ଚଳରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଛନ୍ତି।
ସହର ଭିତରକୁ ଭାଲୁ ପଶିବା ଖବର ପାଇ ବନ ବିଭାଗ ତୁରନ୍ତ ଆକ୍ସନ ମୋଡ୍କୁ ଆସିଛି। ବନ୍ୟପ୍ରାଣୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭାଲୁଟିକୁ ସୁରକ୍ଷିତ ଭାବେ କାବୁ କରିବା ପାଇଁ ଜାଲ ଓ ଅନ୍ୟାନ୍ୟ ସରଞ୍ଜାମ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି।
ଭାଲୁଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବାରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭାଲୁଟିକୁ ଘଉଡ଼ାଇବା ପାଇଁ ଚେଷ୍ଟା ନକରି ତାର ଗତିବିଧି ଉପରେ ନଜର ରଖିବାକୁ ଏବଂ ବନ ବିଭାଗକୁ ସହଯୋଗ କରିବାକୁ କୁହାଯାଇଛି।