ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା ଚର୍ବିଯୁକ୍ତ ତେଲ ବା ପାମ୍‌ ଅଏଲ୍‌ ଏବଂ କେମିକାଲର ଏକ ମିଶ୍ରଣ। ବହୁ ଦଶନ୍ଧି ଧରି ଭାରତର ବଡ଼ ବଡ଼ ଆଇସ୍‌କ୍ରିମ୍‌ ବ୍ରାଣ୍ଡ୍‌ଗୁଡ଼ିକ ଅଧିକ ଲାଭ ପାଇବା ଆଶାରେ ସ୍ବଚ୍ଛ ଦୁଗ୍ଧ ଚର୍ବି ବା ମିଲ୍କ ଫ୍ୟାଟ୍‌ ବଦଳରେ ଶସ୍ତା ପାମ୍‌ ଅଏଲ ବ୍ୟବହାର କରି ଆସୁଛନ୍ତି। ଫଳରେ ଲୋକଙ୍କ ସ୍ବାସ୍ଥ୍ୟ ଗମ୍ଭୀର ସଙ୍କଟ ଆଡ଼କୁ ଗତି କରୁଛି। ଭାରତୀୟ ସ୍ବାସ୍ଥ୍ୟ ମାନକ ସଂସ୍ଥା (ଏଫ୍‌ଏସ୍‌ଏସ୍‌ଏଆଇ)ର ନିୟମ ଅନୁଯାୟୀ, ଯେଉଁ ଖାଦ୍ୟ ପଦାର୍ଥରେ ସର୍ବନିମ୍ନ ୧୦% ଗୋଦୁଗ୍ଧ ବା ମିଲ୍କ ଫ୍ୟାଟ୍‌ ବ୍ୟବହାର ହୁଏ, କେବଳ ତାହାକୁ ହିଁ ‘ଆଇସ୍‌କ୍ରିମ୍‌’ କୁହାଯିବ। କିନ୍ତୁ ଯେଉଁଥିରେ ଉଦ୍ଭିଦଜାତ ତେଲ ବା ପାମ୍‌ ଅଏଲ୍‌ ବ୍ୟବହାର କରାଯାଏ, ତାହାକୁ ‘ଫ୍ରୋଜେନ୍‌ ଡେଜର୍ଟ’ କୁହାଯାଏ। ବଡ଼ ବଡ଼ କମ୍ପାନୀଗୁଡ଼ିକ ସାଧାରଣ ଲୋକଙ୍କ ଅଜ୍ଞତାର ସୁଯୋଗ ନେଇ ପ୍ୟାକେଟ୍‌ ଉପରେ ଅତି ଛୋଟ ଅକ୍ଷରରେ ‘ଫ୍ରୋଜେନ୍‌ ଡେଜର୍ଟ’ ଲେଖି ବଜାରରେ ଏହାକୁ ଆଇସ୍‌କ୍ରିମ୍‌ କହି ବିକ୍ରି କରୁଛନ୍ତି। ଗ୍ରାହକମାନେ ଏହାକୁ କ୍ଷୀରର ଏକ ସୁସ୍ବାଦୁ ଖାଦ୍ୟ ଭାବି କିଣୁଥିବାବେଳେ ବାସ୍ତବରେ ସେମାନେ ନିଜ ଶରୀରକୁ ପାମ୍‌ ଅଏଲ୍‌ ଭଳି ଶସ୍ତା ଚର୍ବି ପଠାଉଛନ୍ତି। ଅନ୍ୟପକ୍ଷରେ ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ ଦେଶ। ଉତ୍ପାଦନ ଅଧିକ ହେଉଥିବାବେଳେ ଦୁଗ୍ଧ ଚାଷୀମାନେ ଦୈନିକ ସବୁ କ୍ଷୀର ବିକ୍ରି କରିବା ଏବଂ ଉଚିତ ମୂଲ୍ୟ ପାଇବା ପାଇଁ ସଂଘର୍ଷ କରୁଛନ୍ତି। ଉଦାହରଣ ଭାବେ ଦେଖିଲେ ଗତ ମେ’ ୨୯ରେ ଓଡ଼ିଶା ସରକାରଙ୍କ ସଂସ୍ଥା ଓମ୍‌ଫେଡ୍‌ କ୍ଷୀର କିଣିବାକୁ ମନା କରିଦେବାରୁ ନବରଙ୍ଗପୁର ଜିଲାର ଉମରକୋଟଠାରେ ଦୁଗ୍ଧଚାଷୀମାନେ ପ୍ରତିବାଦ ସ୍ବରୂପ ୩୦ ହଜାର ଲିଟର କ୍ଷୀର ରାସ୍ତାରେ ଢାଳି ଦେଇଥିଲେ। ଏଭଳି ସ୍ଥିତିରେ ବାହାର ଦେଶରୁ ଶସ୍ତାରେ ଆସୁଥିବା ପାମ୍‌ ଅଏଲ୍‌ ବ୍ୟବହାର କରି ‘ଆଇସ୍‌କ୍ରିମ୍‌’ ନାଁରେ ବିକ୍ରି କରିବା କମ୍ପାନୀଗୁଡ଼ିକର କେବଳ ଲୋଭକୁ ଦର୍ଶାଉଛି। ନିଜର ଉତ୍ପାଦନ ଖର୍ଚ୍ଚ କମାଇ ବହୁ କୋଟି ଟଙ୍କାର ଲାଭ କରିବା ପାଇଁ ଦେଶର ଚାଷୀ ଏବଂ ଗ୍ରାହକ ଉଭୟଙ୍କୁ ବଳି ପକାଯାଉଛି। ନିକଟରେ ମାଲେସିଆରୁ ପାମ୍‌ ଅଏଲ୍‌ ରପ୍ତାନି ବନ୍ଦ ହୋଇଯିବା ପରେ ଏବେ କମ୍ପାନୀଗୁଡ଼ିକ ‘ଫ୍ରୋଜେନ୍‌ ଡେଜର୍ଟ’ରୁ ‘ଦୁଗ୍ଧଭିତ୍ତିକ’ ଆଇସ୍‌କ୍ରିମ୍‌ ପ୍ରସ୍ତୁତ କରିବାକୁ ଆଗେଇ ଆସିଛନ୍ତି। ଏନେଇ ଏବେ ‘କ୍ୱାଲିଟି ଓ୍ବାଲ୍‌ସ’ କମ୍ପାନୀ ଏ ସମ୍ପର୍କିତ ଘୋଷଣା କରିଛି, ଯାହା ବର୍ଷ ବର୍ଷ ଧରି ପାମ୍‌ ଅଏଲ୍‌ରୁ ‘ଫ୍ରୋଜେନ୍‌ ଡେଜର୍ଟ’ ପ୍ରସ୍ତୁତ କରି ବିକ୍ରି କରୁଛି। ତାହାକୁ ଲୋକେ ଆଇସ୍‌କ୍ରିମ୍‌ ଭାବି ଖାଉଛନ୍ତି। କେବଳ ଭାରତରେ ହିଁ ଆଇସ୍‌କ୍ରିମ୍‌ ନାଁରେ ‘ଫ୍ରୋଜେନ୍‌ ଡେଜର୍ଟ’ ବିକ୍ରି କରାଯାଉଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଆଇସ୍‌କ୍ରିମ୍‌ ନାଁରେ ମିଳୁଥିବା ଏହି ଫ୍ରୋଜେନ୍‌ ଡେଜର୍ଟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ପାମ୍‌ ଅଏଲ୍‌ରେ ପ୍ରଚୁର ପରିମାଣରେ ସାଚୁରେଟେଡ୍‌ ଫ୍ୟାଟ୍‌ ଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟରଲ୍‌ (ଏଲ୍‌ଡିଏଲ୍‌) ବଢ଼ାଇଥାଏ। ଏହା ରକ୍ତନଳୀକୁ ଜାମ୍‌ କରି ହୃଦ୍‌ଘାତ ଭଳି ସମସ୍ୟା ସୃଷ୍ଟି କରେ। ଶିଶୁମାନେ ଏହାକୁ ଅଧିକ ଖାଉଥିବାରୁ ସେମାନଙ୍କଠାରେ ଅଳ୍ପ ବୟସରୁ ଓଜନ ବୃଦ୍ଧି ଏବଂ ଟାଇପ୍‌-୨ ମଧୁମେହର ଲକ୍ଷଣ ଦେଖାଯାଉଛି। କ୍ରମାଗତ ଭାବେ ଏଭଳି ପ୍ରକ୍ରିୟାକୃତ ଚର୍ବି ଖାଇବା ଦ୍ୱାରା ଫ୍ୟାଟି ଲିଭର୍‌ ସମସ୍ୟା ଉପୁଜିଥାଏ।
ଜଗନ୍ନାଥ ହସ୍ପିଟାଲ ଶିଶୁରୋଗ ବିଶେଷଜ୍ଞ ଡା. ଅରିଜିତ୍‌ ମହାପାତ୍ର କହିଛନ୍ତି, ପାମ୍‌ ଅଏଲ ସ୍ବାସ୍ଥ୍ୟ ପାଇଁ ହାନିକାରକ ଏବଂ କେଉଁ ଦ୍ରବ୍ୟରେ ଏହାର ପରିମାଣ କେତେ ଅଛି ତାହା ଆମେ କହିପାରିବାନି। ତେଣୁ ପାମ୍‌ ଅଏଲ୍‌ରେ ପ୍ରସ୍ତୁତ ଦ୍ରବ୍ୟର ଲେଭଲ୍‌ ଚେକ୍‌ କରିବା ଆବଶ୍ୟକ। ଏଥିରେ ପ୍ରସ୍ତୁତ ଫ୍ରୋଜେନ ଡେଜର୍ଟ ଖାଇଲେ ମେଦବହୁଳତା, ଡାଇବେଟିସ୍‌, ଉଚ୍ଚରକ୍ତଚାପ ଆଦି ରୋଗର ଆଶଙ୍କା ରହିଛି। ଡାଏଟିସିଆନ୍‌ ଗୁରୁପ୍ରସାଦ ଦାସ କୁହନ୍ତି, ସ୍ବାସ୍ଥ୍ୟଗତ ଦୃଷ୍ଟିରୁ କୌଣସି ଆଇସ୍‌କ୍ରିମ୍‌ ଏବଂ ଫ୍ରୋଜେନ୍‌ ଡେଜର୍ଟ ଦେହ ପାଇଁ ଭଲ ନୁହେଁ। କାରଣ ଏଥିରେ ସୁଗାର୍‌, କ୍ଷୀରରେ ସଲିଡ୍‌ ଫ୍ୟାଟ୍‌ ରହୁଛି। ମାତ୍ର ଦୁଗ୍ଧ ଆଧାରିତ ଆଇସ୍‌କ୍ରିମ୍‌ରୁ କିଛି ମାତ୍ରାରେ ପ୍ରୋଟିନ୍‌ ମିଳିଥାଏ। ମାତ୍ର ପାମ୍‌ ଅଏଲ୍‌ ଆଧାରିତ ଫ୍ରୋଜେନ୍‌ ଡେଜର୍ଟରେ ସାଚୁରେଟେଡ୍‌ ଫ୍ୟାଟ୍‌ ଅଧିକ ରହୁଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ।
ପାମ୍‌ ଅଏଲ୍‌ରୁ ପ୍ରସ୍ତୁତ ‘ଫ୍ରୋଜେନ୍‌ ଡେଜର୍ଟ’କୁ ଦେଶରେ ଆଇନଗତ କଟକଣା ନାହିଁ। କିନ୍ତୁ ଯଦି ତାହା ଆଇସ୍‌କ୍ରିମ ନାଁରେ ବିକ୍ରି କରାଯାଏ, ତା’ହେଲେ ଖାଦ୍ୟ ସୁରକ୍ଷା ମାନକ ଆଇନ (ଏଫ୍‌ଏସ୍‌ଏସ୍‌ ଆକ୍ଟ) ୨୦୦୬ ଅନୁଯାୟୀ ତାହା ଗମ୍ଭୀର ଆଇନ ଉଲ୍ଲଂଘନ ବୋଲି ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ବିଶେଷକରି ଏନେଇ ୩ ଲକ୍ଷ ଟଙ୍କା ଜରିମାନା ରହିଛି। ଯଦି ତାହା ନିମ୍ନମାନର ପ୍ରସ୍ତୁତ ହୋଇଥାଏ ତା’ହେଲେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି।
ନିକଟରେ ‘କ୍ୱାଲିଟି ଓ୍ବାଲ୍‌’ ଭଳି ଦେଶର କିଛି ବଡ଼ କମ୍ପାନୀ ଜନଅସନ୍ତୋଷ ଯୋଗୁ ନିଜର ଉତ୍ପାଦକୁ ସମ୍ପୂର୍ଣ୍ଣ ଦୁଗ୍ଧଭିତ୍ତିକ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଗତ କିଛି ଦଶନ୍ଧି ଧରି ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ସହ ଯେଉଁ ଖେଳ ଖେଳାଯାଇଛି, ସେଥିପାଇଁ ସରକାର ଏବଂ ଖାଦ୍ୟ ସୁରକ୍ଷା ବିଭାଗ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍‌। ଗ୍ରାହକମାନେ ମଧ୍ୟ କୌଣସି ଜିନିଷ କିଣିବା ପୂର୍ବରୁ ପ୍ୟାକେଟ୍‌ ପଛପଟେ ଥିବା ଉପାଦାନ (ଇନ୍‌ଗ୍ରିଡିଏଣ୍ଟସ୍‌)କୁ ଭଲଭାବେ ପଢ଼ିବା ଆବଶ୍ୟକ, ଯେପରି ସେମାନେ ଆଇସ୍‌କ୍ରିମ ନାଁରେ ପାମ୍‌ ଅଏଲ୍‌ ଖାଇବାରୁ ରକ୍ଷା ପାଇପାରିବେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?