Categories: ଖେଳ

ସିଡ୍‌ନୀରେ ଅଷ୍ଟ୍ରେଲୀୟ ଆଇପିଏଲ୍‌ ଖେଳାଳିଙ୍କ କ୍ୱାରାଣ୍ଟାଇନ୍‌ ଖର୍ଚ୍ଚ ବିସିସିଆଇ ବହନ କରୁଛି: ସିଏ

ସିଡ୍‌ନୀ,୧୯।୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅଷ୍ଟ୍ରେଲିଆ କ୍ରିକେଟରମାନେ ଏବେ ସିଡ୍‌ନୀରେ ୧୪ ଦିନିଆ କ୍ୱାରାଣ୍ଟାଇନ୍‌ରେ ରହୁଛନ୍ତି। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଖେଳାଳିମାନଙ୍କ କ୍ୱାରାଣ୍ଟାଇନ ଖର୍ଚ୍ଚ ବହନ କରିବା ସହ ବିଲ୍‌ ପୈଠ କରୁଛି ବୋଲି କ୍ରିକେଟ ଅଷ୍ଟ୍ରେଲିଆ(ସିଏ) ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହକ୍‌ଲେ କହିଛନ୍ତି।
ପ୍ୟାଟ କୁମିନ୍ସ, ଷ୍ଟିଭ ସ୍ମିଥ୍‌ଙ୍କ ଭଳି ତାରକା ଖେଳାଳିଙ୍କ ସହ ଅଫିସିଆଲ, କମେଣ୍ଟେଟର୍ସ ଆଦି ୩୮ ସଦସ୍ୟ ବିଶିଷ୍ଟ ଏକ ଅଷ୍ଟ୍ରେଲିଆ ଦଳ ମାଳଦ୍ୱୀପରୁ ସୋମବାର ସିଡ୍‌ନୀ ବିମାନ ବନ୍ଦରରେ ପହଞ୍ଚିଥିଲେ। ମେ’ ୧୫ ପର୍ଯ୍ୟନ୍ତ ଭାରତ ଉପରେ ଅଷ୍ଟ୍ରେଲିଆ ସରକାର ଯାତ୍ରା କଟକଣା ଲାଗୁ କରିଥିଲେ। ଫଳରେ ଖେଳାଳିମାନେ ମାଳଦ୍ୱୀପରେ ୧୦ ଦିନ ବିତାଇବାକୁ ବାଧ୍ୟ ହୋଇଥିଲେ। ବିସିସିଆଇ ନିଜର ପ୍ରତିଶ୍ରୁତି ପୂରଣ କରିବା ସହ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଖର୍ଚ୍ଚ ବହନ କରୁଛି ବୋଲି ହକ୍‌ଲେ କହିଛନ୍ତି। ବିସିସିଆଇ ସହିତ ମିଳିତ ଭାବେ ଆମେ କାର୍ଯ୍ୟ କରୁଛୁ। ବିସିସିଆଇ ଏ ବାବଦରେ ଅତି ସୁନ୍ଦର ଭାବେ କାର୍ଯ୍ୟ ପରିଚାଳନା କରୁଛି ଓ ପ୍ରତିଶ୍ରୁତ ରକ୍ଷା କରିଛି। ଖେଳାଳିମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ବିସିସିଆଇ ତା’ର ଦାୟିତ୍ୱ ଅତି ସୁନ୍ଦରଭାବେ ସମ୍ପାଦନ କରିଛି। ଏଥିପାଇଁ ବିସିସିଆଇ ପ୍ରଶଂସାର ହକଦାର ବୋଲି ହକ୍‌ଲେ କହିଛନ୍ତି। ଯେଉଁ ଅଷ୍ଟ୍ରେଲିଆ ଖେଳାଳିମାନେ ଆଇପିଏଲ୍‌ରେ ଅଂଶଗ୍ରହଣ କରିଛନ୍ତି ସେମାନେ ନିଜ ନିଜର ବ୍ୟବସ୍ଥା କରନ୍ତୁ ବୋଲି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ କହିଛନ୍ତି।

Share