Categories: ଖେଳ

ବିସିସିଆଇ ଏଜିଏମ୍‌: ଆଇପିଏଲ୍‌ ଦଳ ସଂଖ୍ୟା ବୃଦ୍ଧି, ଟ୍ୟାକ୍ସ ମାମଲା, କ୍ରିକେଟ କମିଟି ଗଠନ ନେଇ ଆଲୋଚନା ହେବ

ଅହମ୍ମଦାବାଦ,୨୪।୧୨(ପି.ଟି.): ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ୮୯ ତମ ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)। ଏହି ହାଇପ୍ରୋଫାଇଲ ବୈଠକରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୨ଟି ନୂଆ ଦଳ ସାମିଲ କରାଯିବା ନେଇ ବିଶେଷ ଭାବେ ଆଲୋଚନା ହେବ। ଏହା ବ୍ୟତୀତ ଭାରତରେ ଆୟୋଜନ ହେବାକୁ ଥିବା ଗ୍ଲୋବାଲ ଇଭେଣ୍ଟଗୁଡିକରେ ଟ୍ୟାକ୍ସ ଛାଡ଼ କରିବା ନେଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦାବି କରିଆସୁଛି। ଏହି ଟ୍ୟାକ୍ସ ମାମଲା ଓ ବିଭିନ୍ନ କ୍ରିକେଟ କମିଟି ଗଠନ ନେଇ ମଧ୍ୟ ବୈଠକରେ ସବିଶେଷ ଆଲୋଚନା କରାଯିବ।
ରାଜୀବ ଶୁକ୍ଳା ବିସିସିଆଇର ନୂଆ ଉପସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ବ୍ରିଜେଶ ପଟେଲ ଆଇପିଏଲ୍‌ ଗଭର୍ନିଂ କାଉନସିଲର ମୁଖ୍ୟ ଭାବେ ପୂର୍ବପରି ଦାୟିତ୍ୱ ସମ୍ଭାଳିବେ। ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ନେଇ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ତାଙ୍କଠାରୁ ଏ ନେଇ ସ୍ପଷ୍ଟୀକରଣ ମଗାଯିବ କି ନା ଅବଶ୍ୟ ସ୍ପଷ୍ଟ କରାଯାଇନାହିଁ। ତେବେ ଆଇପିଏଲ୍‌ରେ ୨ ନୂଆ ଦଳ ସାମିଲ କରାଯିବା ନେଇ ମୁଖ୍ୟତଃ ଏହି ବୈଠକରେ ଆଲୋଚନା କରାଯିବ।
ସେହିପରି ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ବିଶ୍ୱକପ୍‌ ଟି୨୦ ନେଇ ଟ୍ୟାକ୍ସ ଛାଡ କରିବାକୁ ଆଇସିସି ତା’ର ଦାବି ଦୋହରାଇଛି ଓ ଡେଡ୍‌ଲାଇନ୍‌ ଜାରି କରିଛି। ଡେଡ୍‌ଲାଇନ୍‌ ସରିବାକୁ ଆଉ ଗୋଟିଏ ସପ୍ତାହ ବାକି ରହିଛି। ତେଣୁ ଏନେଇ ବୈଠକରେ ନିଷ୍ପତ୍ତି ନିଆଯିବା ନିଶ୍ଚିତ ମନେହେଉଛି। ସେହିପରି ଆଇସିସିରେ ବିଭିନ୍ନ ବୈଠକରେ ଜୟ ଶାହା ବିସିସିଆଇର ପ୍ରତିନିଧିତ୍ୱ କରିବା ନେଇ ମଧ୍ୟ ଆଲୋଚନା ହେବ। ସେହିପରି ୨୦୨୮ ଲସ୍‌ ଏଞ୍ଜେଲସ୍‌ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ନେଇ ବିସିସିଆଇ ସମର୍ଥନ କରୁଛି। ତେବେ ଏହା ଦ୍ୱାରା ବିସିସିଆଇ ସ୍ବାୟତତା ହରାଇବା ସମ୍ଭାବନା ସୃଷ୍ଟି ହୋଇଛି। ତେଣୁ ଏନେଇ ମଧ୍ୟ ଆଲୋଚନା ହେବ। ଦୀର୍ଘଦିନ ହେବ ବିସିସିଆଇ କ୍ରିକେଟ ସବ୍‌କମିଟିଗୁଡିକ ଗଠନ କରିନାହିଁ। ତେଣୁ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଓ ଅମ୍ପାୟରିଂ କମିଟି ଓ ଟେକ୍‌ନିକାଲ କମିଟି ଗଠନ ନେଇ ମଧ୍ୟ ଆଲୋଚନା ହେବ।

Share