Categories: ଖେଳ

ବାତ୍ରା ପୁଣି ହେଲେ ଏଫ୍‌ଆଇଏଚ୍‌ ସଭାପତି

ନୂଆଦିଲ୍ଲୀ, ୨୩ା୫ (ପି.ଟି.)-ନରିନ୍ଦର ବାତ୍ରା ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ହକିି ମହାସଂଘ (ଏଫ୍‌ଆଇଏଚ୍‌)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। କୋଭିଡ୍‌ ଯୋଗୁ ଅନ୍‌ଲାଇନରେ ଅନୁଷ୍ଠିତ ହୋଇଥିବା ଏଫ୍‌ଆଇଏଚ୍‌ର ୪୭ତମ ବାର୍ଷିକ ଅଧିବେଶନରେ ସଭାପତି ପାଇଁ ନିର୍ବାଚନ ହୋଇଥିଲା। ବାତ୍ରା ଆରମ୍ଭରୁ ଫେଭରାଇଟ୍‌ ଥିଲେ। କିନ୍ତୁ ସେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲେ।
ବାତ୍ରା ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ଏବଂ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି)ର ଜଣେ ସଦସ୍ୟ ରହିଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବେଲଜିୟମ ହକି ମହାସଂଘର ମୁଖ୍ୟ ମାର୍କ କୋଡ୍ରନ ଦେଶର ଅଲିମ୍ପିକ୍‌ ପ୍ୟାନେଲର ମଧ୍ୟ ଜଣେ ସଦସ୍ୟ। ଅନ୍‌ଲାଇନ୍‌ ଭୋଟିଂ ପ୍ରକ୍ରିୟାରେ ମୋଟ ୧୨୪ଜଣ ସଦସ୍ୟ ଭାଗ ନେଇଥିଲେ। ବାତ୍ରା ୬୩ଟି ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ୬୧ଟି ଭୋଟ ପାଇଥିଲେ। ବାତ୍ରା ୨୦୨୪ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ସଭାପତି ପଦବୀରେ ରହିବେ। ସୂଚନାଯୋଗ୍ୟ, ଏଫ୍‌ଆଇଏଚ୍‌ର ୪୭ତମ ବାର୍ଷିକ ଅଧିବେଶନ ଗତବର୍ଷ ନୂଆଦିଲ୍ଲୀରେ ହେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର କରୋନା ମହାମାରୀର ପ୍ରକୋପ ଯୋଗୁ ଏହାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା। ତେଣୁ ଏଥର ସଭାପତିଙ୍କ କାର୍ଯ୍ୟକାଳ ୪ବର୍ଷ ପରିବର୍ତ୍ତେ ୩ ବର୍ଷ ରଖାଯାଇଛି। ୨୦୧୬ରେ ଅନୁଷ୍ଠିତ ୪୫ତମ ଅଧିବେଶନରେ ବାତ୍ରା ପ୍ରଥମ ଅଣ-ୟୁରୋପୀୟ ଭାବେ ବିପୁଳ ଭୋଟ ବ୍ୟବଧାନରେ ଏଫ୍‌ଆଇଏଚ୍‌ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଭାରତର ଏହି ଭେଟେରାନ କ୍ରୀଡ଼ା ପ୍ରଶାସକ ସେତେବେଳେ ହକି ଇଣ୍ଡିଆର ମୁଖ୍ୟ ଥିଲେ। ୯୨ ବର୍ଷର ଇତିହାସରେ ପ୍ରଥମ ଏସୀୟ ଭାବେ ବାତ୍ରା ଏଫ୍‌ଆଇଏଚ୍‌ର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଥିଲେ।

Share