ବସୁଧୈବ କୁଟୁମ୍ବକମ୍‌

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

କେଉଁ କାଳରୁ ଗଡ଼ି ଗଡ଼ି ଆସୁଛି ମଣିଷ ଜୀବନକୁ ଅମୃତମୟ କରି ଗଢ଼ି ତୋଳିବାର ପ୍ରଚେଷ୍ଟାକୁ ନେଇ ଆମ ସଂସ୍କାରର ଏହି ମହାନ୍‌ ମନ୍ତ୍ର ‘ବସୁଧୈବ କୁଟୁମ୍ବକମ୍‌’। କେବଳ ପିତାମାତା, ଭାଇ ଭଉଣୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ପତିପତ୍ନୀ ଓ ସେମାନଙ୍କ ପିଲାଛୁଆଙ୍କୁ ନିଜ କୁଟୁମ୍ବ ବିଚାରିବାର ପ୍ରବଣତା ମଧ୍ୟରୁ ଉତ୍ତୀର୍ଣ୍ଣ ହୋଇ ସମଗ୍ର ବସୁଧାକୁ ନିଜ କୁଟୁମ୍ବ ମନେ କରିବାର ଶୁଦ୍ଧ ଚେତନା ମଧ୍ୟରୁ ଜନ୍ମ ନେଇଛି ଏହି ଅମୃତମୟ ଉଚ୍ଚାରଣ। ନିଜ ପରିବାରର ସଂକୀର୍ଣ୍ଣ ଗଣ୍ଡି ମଧ୍ୟରୁ ମୁକୁଳି ଆସି ଶ୍ରୀଲଙ୍କାରୁ ସାଇବେରିଆଯାଏଁ ସମଗ୍ର ବସୁଧାକୁ ନିଜ କୁଟୁମ୍ବ ମନେକରିବାର ଏହି ଦିବ୍ୟ ଆହ୍ବାନ ଭିତରେ ମଣିଷ ନିଜକୁ ଏକ ଐଶ୍ୱରୀୟ ଚେତନାର ନିକଟବର୍ତ୍ତୀ କରିବାର ସୁଯୋଗ ପାଇଥାଏ। ଥରେ ଏହି ଚେତନାର ସ୍ପର୍ଶ ମିଳିଲେ ମଣିଷ ନିଜକୁ ବିସ୍ତାରିତ ମନେକରେ। ଭୁବନରେ ନିଆଁ ଲାଗିଲେ ତାହାର ତାତି ଭୁବନେଶ୍ୱରକୁ ଜଣାପଡ଼େ। ପ୍ୟାରିସ୍‌ରେ ବୋମା ଫୁଟିଲେ ପୀଡ଼ିତଙ୍କ ବିକଳ ଆର୍ତ୍ତନାଦ ପୁରୀଯାଏଁ ଶୁଣାଯାଏ। ଚିହ୍ନାଠାରୁ ଅଚିହ୍ନାଙ୍କଯାଏଁ, ଶତ୍ରୁଠାରୁ ମିତ୍ର ପର୍ଯ୍ୟନ୍ତ ସଭିଏଁ ନିଜର ଲାଗନ୍ତି। ସେମାନଙ୍କ ସୁଖରେ ଖୁସି ମିଳେ; ସେମାନଙ୍କ ଦୁଃଖ ମନେପକାଏ ହୃଦୟକୁ ଦାରୁଣ ବେଦନାରେ।
ଅଥଚ ଏଠି ବି ମଣିଷ ଏକା ହୋଇଯାଏ। ଚରମ ଏକାକୀତ୍ୱ ମଧ୍ୟରେ ରୁନ୍ଧି ହୋଇ ଆମତ୍ହତ୍ୟା କରେ। ନିଜ ହାତରେ ନିଜେ ଲିଭାଇଦିଏ ଜଳୁଥିବା ଜୀବନ ଦୀପଟିକୁ। ସୃଷ୍ଟି ଓ ସମାଜ ପ୍ରତି ବିମୁଖ ହୋଇ ଜୀବନଠୁଁ ମୁହଁ ମୋଡ଼ିନିଏ। ଜୀବନ ଯାତ୍ରାରେ ବାରମ୍ବାର ଝୁଣ୍ଟିପଡ଼ି ଆହତ ହୋଇ ସେ ମଝିବାଟରୁ ଓହରିଯାଏ। ସେ ଚାଲିଗଲା ପରେ ବହୁ ଲୋକ ବହୁ କଥା କହନ୍ତି। ‘ଭୀରୁ’, ‘କାପୁରୁଷ’, ‘ପଳାତକ’ ଆଦି ଶବ୍‌ଦପୁଞ୍ଜରେ ପୋତି ପକାନ୍ତି ତା’ର ସ୍ମୃତିକୁ। ଜୀବନ ରାସ୍ତାରେ ଠିକ୍‌ ଭାବେ ଚାଲି ଜାଣି ନ ଥିବାରୁ ତା’ର ଅସାମର୍ଥ୍ୟକୁ ଢେର ଗାଳିଦିଅନ୍ତି। ମାତ୍ର ସେ ଚାଲୁ ଚାଲୁ ବାରମ୍ବାର ଝୁଣ୍ଟି ପଡୁଥିଲା ବେଳେ ଏମାନଙ୍କ ମଧ୍ୟରୁ କେହି ଜଣେ ଆଗେଇ ଆସି ତା’ ହାତ ଧରି ନେଇଥିଲେ ସେ ହୁଏତ ଅଣ୍ଟା ସଳଖି ଛିଡ଼ାହୋଇ ପାରିଥାନ୍ତା। ବାକି ବାଟ ଅତିକ୍ରମିବାକୁ ସାହସ ପାଇଥାନ୍ତା। ଅକାଳରେ ଝଡ଼ିଯାଇ ନ ଥାଆନ୍ତା ଏକ ଅମୂଲ୍ୟ ଜୀବନ!
‘ଏମାନେ’ ବୋଇଲେ ହୋଇପାରନ୍ତି ସଂପର୍କୀୟ ବା ଏକ ବୃହତ୍ତର ପରିସରରେ ସମାଜ। ତେବେ ସମାଜ ହେଉ କି ସଂପର୍କୀୟ, ଯିଏ ଯାହା ରାସ୍ତାରେ ଆଗେଇ ଚାଲୁଥିଲା ବେଳେ ଅସମର୍ଥ ସହଯାତ୍ରୀଟି ପ୍ରତି ସହଯୋଗର ହାତ ବଢ଼ାଇବାକୁ କାହାରି ସମୟ ନ ଥାଏ କି ସ୍ପୃହା ବି ନ ଥାଏ। ନିଜ ଗତିରେ ନିଜେ ବାଟ ନ ଚାଲି ଅକ୍ଷମ ସହଯାତ୍ରୀର ହାତ ଧରି ମନ୍ଥର ଗତିରେ ପାଦ ପକାଇଲେ ଆଧୁନିକ ଜୀବନଧାରା ସହ ତାଳଦେଇ ମଣିଷ ଚାଲିପାରିବ ତ! ଏଠି ଯେମିତି ଦ୍ରୁତ ଗତିରେ ଦୌଡ଼ିବାର ପାଗଳ ପ୍ର୍ରତିଯୋଗିତା, ଜଣେ ଅନ୍ୟ ଜଣଙ୍କର ହାତ ଟାଣି ଅଟକାଇ ଦେଇ ନିଜେ ଆଗକୁ ମାଡ଼ିଯିବାକୁ ତତ୍ପର; ସେଠି ସମଗ୍ର ବସୁଧାକୁ କୁଟୁମ୍ବ ବିଚାରି ଆଉ କାହା ପାଇଁ ଅଟକିଗଲେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ହେବ ତ! ଏମିତି ସବୁ ସ୍ବାର୍ଥକୈନ୍ଦ୍ରିକ ବିଚାର ଭିତରେ ଯେତେବେଳେ ପରିଚାଳିତ ବହୁ ଭାଗ ବ୍ୟକ୍ତିସତ୍ତା, ସେତେବେଳେ କେଉଁଠୁ ବା ଶୁଭିବ ସେଇ ଦିବ୍ୟ ଅନୁଭବର ଓଁକାର ଉଚ୍ଚାରଣ- ‘ବସୁଧୈବଂ କୁଟୁମ୍ବକମ’!
ସୁତରାଂ, ମଣିଷ ଆଗେଇ ଯାଉ ତା’ ନିଜ ବାଟରେ, ଆଉ କାହାରି ପତନ ପ୍ରତି ସାମାନ୍ୟ ଭ୍ରୂକ୍ଷେପ ନ କରି। ସ୍ବାର୍ଥପରତାର ଶିଡି ଚଢ଼ି ଢେର ଉପରକୁ ଉଠୁ କେବଳ ନିଜକୁ ଅବା ନିଜ ପରିବାରକୁ ନିଜର ବସୁଧା ମନେକରି। ସକଳ ସମୃଦ୍ଧିର ଔଜ୍ଜ୍ୱଲ୍ୟରେ ଉଦ୍‌ଭାଷିତ ହେଉ ତା’ର ଜୀବନ ଯାତ୍ରା। ଦୂରେଇ ଯାଉ ତା’ର ଗତିପଥରୁ ପରୋପକାର ଭଳି ଶ୍ରୁତି-ମଧୁର ଅଥଚ ଅର୍ଥହୀନ ଆହ୍ବାନର ଅନ୍ଧକାର! ମାତ୍ର ଜୀବନର ଏହି ଆଧୁନିକ ଆଚାର ବିଚାର ମଧ୍ୟରେ ନିଜ ଜୀବନକୁ ଲାଳିତ କରୁଥିବା ମଣିଷ ଭିତରୁ ମଣିଷପଣିଆ ଟିକକ ଅପହୃତ ହୋଇ ହୋଇ ନ ଯାଉ। ସ୍ନେହ, ଶ୍ରଦ୍ଧା, ବୁଦ୍ଧି, ବିବେକ, କୃପା, କରୁଣା ବା ସଦିଚ୍ଛା ସମ୍ବେଦନା ଭଳି ମାନବୀୟ ଗୁଣରାଜି ଯୋଗୁଁ ଯେଉଁ ମଣିଷ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଶ୍ରେଷ୍ଠ ଭାବେ ପରିଗଣିତ, ସେଇ ମଣିଷ ପାଖରୁ ଏସବୁ ଗୁଣଗୁଡ଼ିକ ଅକସ୍ମାତ୍‌ ଉଭାନ୍‌ ହୋଇଗଲେ ତାକୁ ମଣିଷ ବୋଲି ଚିହ୍ନିବାରେ ଯେ କଷ୍ଟ ହେବ, ଏକଥା ସେ ଭୁଲି ନ ଯାଉ। କେଇଦିନ ତଳେ ରାଜଧାନୀର ଏକ ବସ୍ତି ଅଞ୍ଚଳରେ ସଂଘଟିତ ହୋଇଥିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାଟିକୁ ଯେଉଁମାନେ ପ୍ରତ୍ୟକ୍ଷ କରିଥିବେ, ସେମାନେ ଜାଣିଥିବେ ଯେ ଘଟଣାଟିକୁ ଘଟାଇଥିବା ମଣିଷଙ୍କୁ ମଣିଷ କହିବା କେକେ କଷ୍ଟଦାୟକ!
ଥୋକେ ମଣିଷଙ୍କ ମଧ୍ୟରୁ ମଣିଷତ୍ବ ଉଜୁଡ଼ି ଯାଇଥିବାର ଏହି ଦୁଃଖଦ ଦୃଶ୍ୟପଟର କେନ୍ଦ୍ରସ୍ଥଳରେ ଥିଲା ଜଣେ ପାଗଳ ଯୁବକ, ଯିଏ ମୋବାଇଲ ଭଳି ଏକ ମହଙ୍ଗା ଚିଜଟିକୁ ନିଜ ପାଖରେ ରଖିବା ଭଳି ଏକ ବିରାଟ ଅପରାଧ କରିପକାଇଥିଲା। ମସ୍ତିଷ୍କ ବିକୃତି ଭଳି ଏକ ଅଭିଶପ୍ତ ବ୍ୟାଧିରେ ପୀଡ଼ିତ ଥିବା ବାରବୁଲା ଯୁବକଟି ପାଖରେ ପୁଣି ମୋବାଇଲ ଭଳି ଏକ ଆଧୁନିକ ବସ୍ତୁ! ନିହାତି ଅଗ୍ରହଣୀୟ ଏ ପ୍ରକାର ଏକ ଦୃଶ୍ୟ ବସ୍ତିର ପିଲାମାନଙ୍କୁ ଏକ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚାଇ ଦେଇଥିଲା ଯେ, ପାଗଳଟି କାହାର ମୋବାଇଲ ଚୋରାଇ ଆଣିଛି। ମୋବାଇଲଟି ଯେ ଅନ୍ୟ କେହି ହଜାଇ ଦେଇ ପାରିଥା’ନ୍ତି ଓ ତାହାକୁ ପାଗଳ ଯୁବକଟି ପାଇ ପାରିଥାଏ; ଏ ପ୍ରକାର ଏକ ସମ୍ଭାବନାକୁ ସ୍ବୀକାର ନ କରି ତା’ ପାଖରୁ ଜୋର କରି ଛଡାଇ ନେଇଥା’ନ୍ତି ବସ୍ତିର ବାହୁବଳୀ ତରୁଣମାନେ। ମସ୍ତିଷ୍କବିକୃତ ଯୁବକଟି ଏ ପ୍ରକାର ଅନ୍ୟାୟକୁ ପ୍ରତିବାଦ କରିଥିଲା। ତା’ ନିଜ ଢଙ୍ଗରେ ସେ ମେଞ୍ଚାଏ ଗାଳି ଦେଲା ଓ ବଦଳରେ ପ୍ରତିପକ୍ଷଙ୍କଠାରୁ ଫିଙ୍ଗା ହୋଇଥିବା ଗୋଡ଼ିମାଡ଼ ଖାଇଲା ପରେ ପରେ ନିଜ ପ୍ରତିରକ୍ଷା ପାଇଁ ଟେକାଟିଏ ଫିଙ୍ଗିଦେଲା ଯେ ଜଣେ ପିଲାର କପାଳରେ ବାଜି ତାକୁ ରକ୍ତାକ୍ତ କରିଦେଲା। ତଡ଼ିତ୍‌ ବେଗରେ ବସ୍ତିସାରା ପ୍ରଚାର ହୋଇଗଲା ଏକଥା- ‘ଭଲ ମଣିଷଙ୍କ ଇଲାକାରେ ମତ୍ତ ମଣିଷଟିଏ ମାତିଛି।’ ବାସ୍‌, ପିଲାମାନଙ୍କ ସହ ମିଶି ବସ୍ତିର ବଡ଼ମାନେ ମଧ୍ୟ ପାଗଳ ଯୁବକଟି ପଛରେ ଲାଗିଗଲେ।
କିଛି ସମୟ ପରେ ପାଗଳଟିକୁ କାବୁ କରିନେଲେ ଲୋକମାନେ। ମତ୍ତହସ୍ତୀ ବା ମଣିଷଖିଆ ବାଘକୁ କାବୁ କରି ନେଇଥିବାର ବିକ୍ରମ ନେଇ ତାକୁ ଖଣ୍ଡେ ଦଉଡ଼ିିରେ ବାନ୍ଧି ପକାଇଲେ ସେମାନେ ଓ ଲଦି ଦେଇଗଲେ ନିର୍ଘାତ ପାହାର। ବିକଳଭାବେ ଚିତ୍କାର ଛାଡ଼ୁଥିବା ପାଗଳଟିର କରୁଣ ବିଳାପ ପ୍ରତି ସଭିଏଁ ଥିଲେ ପ୍ରତିକ୍ରିୟାଶୂନ୍ୟ। ସତେ ଯେମିତି ଏ ଦୁନିଆଟା କେବଳ ମଣିଷମାନଙ୍କ ପାଇଁ। ତହିଁରେ ପ୍ରଥମେ ମଣିଷ ହୋଇ ଜନ୍ମ ନେଇଥିବା ଓ ପରେ ପାଗଳ ହୋଇ ଯାଇଥିବା ଏହି ହତଭାଗ୍ୟଟି ପାଇଁ ସାମାନ୍ୟ ସ୍ଥାନ ନାହିଁ ସେଠାରେ।
ଏ ତ ଗଲା ବସ୍ତି ଅଞ୍ଚଳରେ ରହୁଥିବା ଶିକ୍ଷା, ସଭ୍ୟତା ବା ସଂସ୍କାର ବିବର୍ଜିତ ଲୋକମାନଙ୍କ ଆଚରଣର କଥା। ମା’ବାପାଙ୍କଠାରୁ ଉପଯୁକ୍ତ ସଂସ୍କାର ପାଇ ସେମାନଙ୍କ ଅର୍ଥରେ ପାଠ ପଢ଼ି ଶିକ୍ଷିତ ବୋଲାଇବାକୁ ଯାଉଥିବା ପିଲାମାନଙ୍କ କଥା କିଛି ଭିନ୍ନ ନୁହେଁ। ଜଣେ ବନ୍ଧୁଙ୍କର ଆଖିଦେଖା କଥା ୟେ। ବସରେ ବସି ଯାତ୍ରା କରୁଥିବା ବନ୍ଧୁଙ୍କ ଗାଡ଼ିଟି ବହୁ ସମୟ ଧରି ଅଟକି ରହିଥିଲା ସହରର ଏକ ଷ୍ଟାଣ୍ଡରେ ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ପାଇଁ। ବସ୍‌ ଭିତରେ ବସି ବନ୍ଧୁ ଲକ୍ଷ୍ୟ କଲେ, ଦୁଇଜଣ ଚକ୍ଷୁହୀନ ବ୍ୟକ୍ତି ପରସ୍ପରର ହାତ ଧରି ନିଜ ନିଜର ବାଡ଼ି ସାହାଯ୍ୟରେ ବାଟ ଠଉରାଇ ଆଗକୁ ବଢୁଛନ୍ତି। ସଂସାରର ଚକ୍ଷଷ୍ମାନ୍‌ମାନଙ୍କ ଭିଡ଼ ଭିତରେ ଦୁଇଜଣ ଚକ୍ଷୁହୀନଙ୍କ ଜୀବନ ସଂଗ୍ରାମ ବନ୍ଧୁଙ୍କ ଅନ୍ତରକୁ ଆଲୋଡ଼ିତ କରୁଥିଲା ବେଳେ ସେ ହଠାତ୍‌ ଲକ୍ଷ୍ୟ କଲେ, ସେମାନଙ୍କ ଗତିପଥରେ ଅଟୋ ରିକ୍ସାଟିଏ ଆସି ଅଟକିଗଲା। କେହି ଜଣେ ସେମାନଙ୍କୁ ବାଟ କଢ଼ାଇ ନ ନେଲେ ଦିବ୍ୟାଙ୍ଗ ଦୁହେଁ ଯେ ଅଟୋଟି ସହ ନିଶ୍ଚିତ ଧକ୍କା ଖାଇବେ, ଏହା ଜାଣି ବନ୍ଧୁ ଅସ୍ଥିର ହୋଇ ଉଠିଲେ। ମାତ୍ର ସଡ଼କ ଏ ପଟରେ ଛାଡ଼ିବାକୁ ଯାଉଥିବା ଏକ ବସ୍‌ ଭିତରେ ବସିଥିବା ବନ୍ଧୁ ସଡ଼କ ସେପଟରେ ଥିବା ବିବଶ ଚକ୍ଷୁହୀନ ଦୁହିଁଙ୍କୁ କେମିତି ବା ସାହାଯ୍ୟ କରିପାରନ୍ତେ!
ଯାହା ଘଟିବାର ଆଶଙ୍କା କରୁଥିଲେ ବନ୍ଧୁ, ତାହାହିଁ ଘଟିଲା। ଚକ୍ଷୁହୀନ ଦୁହେଁ ଧକ୍କା ଖାଇଲେ ଅଟୋ ଦେହରେ। ‘ଏଇ ବାଜିଲା’ ବୋଲି ଏକ ସହାସ୍ୟ ଧ୍ୱନି ସହ ଚିତ୍କାର କରୁଥିବା ତରୁଣ ଦୁହେଁ ଥିଲେ କେଉଁ ଏକ କଲେଜର ଛାତ୍ର ବୋଲି ତାଙ୍କ ୟୁନିଫର୍ମରୁ ଜଣାପଡ଼ୁଥିଲା। ସେ ଦୁହେଁ ବୋଧହୁଏ ଆମ ବନ୍ଧୁଙ୍କ ପରି ଅସହାୟ ଚକ୍ଷୁହୀନ ଦୁହିଁଙ୍କ ସମ୍ଭାବ୍ୟ ପରିଣତି ସମ୍ପର୍କରେ ଆଶଙ୍କା କରୁଥିଲେ। ଅଥଚ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବାକୁ ଉଚିତ ମଣିଲେ ନାହିଁ। ପାଖରେ ଶିକ୍ଷାଦୀକ୍ଷା ସବୁ ଥାଇ ବି ଏ କଥା ଭୁଲିଗଲେ ଯେ, ମାନବିକତାର ସ୍ବତଃସ୍ଫୂର୍ତ୍ତ ପରିସ୍ଫୁଟନ ପାଇଁ ଚକ୍ଷୁହୀନଙ୍କୁ ବାଟ ଦେଖାଇଦେବାଠାରୁ ଆଉ କିଛି ସହଜତମ ଅବସର ବୋଧହୁଏ ଥାଇ ନ ପାରେ।
ବଦଳି ଚାଲିଛି ସମୟ। ତା’ ସହ ବଦଳି ମଧ୍ୟ ଚାଲିଛି ମଣିଷର ଚରିତ୍ର। ଜ୍ଞାନ, ବିଜ୍ଞାନ ଓ ବୌଦ୍ଧିକତାରେ ମଣିଷ ଶୀର୍ଷତମ ସୋପାନକୁ ଦ୍ରୁତ ଆଗେଇ ଚାଲୁଥିବା ବେଳେ ମାନବଙ୍କ ମଧ୍ୟରୁ ସେହି ବେଗରେ ଉଜୁଡିଯାଉଛି ତା’ର ଶ୍ରେଷ୍ଠତମ ସଂପଦ ମାନବିକତା। ମଣିଷ ନିଜ ବ୍ୟତୀତ ଅନ୍ୟ ସବୁଙ୍କୁ ପର ମନେକରୁଛି। ଗାଁ ତୁଳନାରେ ସହରରେ ଏହି ମାନବୀୟ ସଂସ୍କୃତିର ଦ୍ରୁତ ଅବକ୍ଷୟ ଘଟୁଛି। ଅବସ୍ଥା ଏମିତି ହୋଇଛି ଯେ, ସହରରେ ଏପଟ ଘରର କେହି ମରିଗଲେ ତାଙ୍କ ପୁଅ ନାତିମାନେ ଲଣ୍ଡା ନ ହେବାଯାଏଁ ସେପଟ ଘରର କେହି ଜାଣିପାରୁନାହାନ୍ତି। ଏମିତି ବିଡ଼ମ୍ବନା ମଧ୍ୟରେ ମଣିଷ ତା’ର ଆଧୁନିକ ଅବରୋଧ ନେଇ ଯେ ବିଶ୍ୱ ଗ୍ରାମର ବାସିନ୍ଦା, ଏହା ବିଶ୍ୱାସ କରିବାକୁ କଷ୍ଟ ହେଉଛି।
ଅଳ୍ପଦିନ ତଳେ ଏକ ନରମ ଅପରାହ୍ନରେ କାଉମାନଙ୍କ କର୍କଶ ରାବରେ ମୁଖରିତ ହୋଇଉଠିଲା ଏକ ଘରର ଅଗଣା। କାଉମାନଙ୍କ ଶ୍ରୁତିକଟୁ କୋଳାହଳରେ ଗୃହସ୍ବାମୀ ଘରୁ ବାହାରି ଆସି ଦେଖିଲେ ଅସଂଖ୍ୟ କାଉଙ୍କ ବିଶାଳ ସମାବେଶ। ଏହି ସମ୍ମେଳନର ହେତୁ ବୁଝିବାକୁ ଯାଇ ସେ ଦେଖିଲେ, ଏକ କୁଆର ଡେଣା ଭାଙ୍ଗିଯାଇ ସେ ତଳେ ପଡ଼ିଛି ଓ ଆହତ ସାଥୀର ଦୁର୍ଭାଗ୍ୟ ପାଇଁ ବିକଳରେ ଚିତ୍କାର କରି ଗଗନ ମଣ୍ଡଳ କଂପାଇ ଦେଉଛନ୍ତି କାଉକୁଳ। ଉଦାର ଗୃହସ୍ବାମୀ ଆହତ କୁଆଟିକୁ ତଳୁ ଉଠାଇ ନେଇ ତାକୁ ସାଷ୍ଟାଙ୍ଗ କରିବାକୁ ପ୍ରାଥମିକ ଉପଚାର ଗ୍ରହଣ କରିବା ମାତ୍ରେ ରାଣ ଦେଲା ଭଳି କୁଆମାନଙ୍କ କର୍କଶ ରାବ ପ୍ରଶମିତ ହୋଇଗଲା। କାଁ ଭଁା କେତୋଟି କାଉ କା କା ରାବ ଦେଇ ଗୃହସ୍ବାମୀଙ୍କ ଉଦାରତା ପ୍ରତି କୃତଜ୍ଞତା ପ୍ରକଟ କରୁଥିଲେ। ବୁଦ୍ଧି, ବିବେକ, ଜ୍ଞାନ ଓ ସଭ୍ୟତା ବା ଶିଷ୍ଟତା ଆଦି ମାନବୀୟ ଗୁଣସମ୍ପନ୍ନ ମଣିଷ ନ ଥିଲେ ସେମାନେ। ସେମାନେ ଥିଲେ ଉଚ୍ଛିଷ୍ଟଭକ୍ଷୀ ଗୋଟିଏ ଗୋଟିଏ ଇତର ପକ୍ଷୀ, ଯାହାଙ୍କ ପାଇଁ ସେଇ ଆହତ କୁଆଟି ଥିଲା ତାଙ୍କ ବସୁଧାର କୁଟୁମ୍ବ। ଆଉ ଆମେ ପରା ମଣିଷ!
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର-୧୦
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri