ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ ଓ ଅବହେଳାର ଶିକାର ହୋଇଆସୁଛି। ୧୯୯୪ରେ ପ୍ରତିଷ୍ଠିତ ଏହି ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟରେ ବର୍ତ୍ତମାନ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ୪୬ଜଣ ଛାତ୍ରୀଛାତ୍ର ପଢୁଥିବାବେଳେ ମାତ୍ର ୨ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟ ଝରକାର କବାଟ ଭାଙ୍ଗି ଯାଇଥିବାବେଳେ ଛାତ ଉପରେ ଅନାବନା ଗଛ ଉଠିଗଲାଣି। ବିଦ୍ୟାଳୟରେ ମାତ୍ର ୨ଟି ଶ୍ରେଣୀଗୃହ ଥିବାବେଳେ ଅଫିସ ରୁମ୍ କିମ୍ବା ଲାଇବ୍ରେରି ନାହିଁ। ଜରୁରୀ କାଗଜପତ୍ର ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ଆଲ୍ମିରା ମଧ୍ୟ ନାହିଁ।
ଏହି ବଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ମୌଳିକ ସୁବିଧା ଯଥା ଆବଶ୍ୟକ ଟେବୁଲ, ଚେୟାର୍ ଓ ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀର ଅଭାବ ରହିଥିବାରୁ ପିଲାମାନେ ଚଟାଣରେ ବସି ପଢ଼ୁଛନ୍ତି। ବୈଜ୍ଞାନିକ ଓ ଭୌଗୋଳିକ ଶିକ୍ଷଣ ଉପକରଣ ନ ଥିବାରୁ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି। ଆବଶ୍ୟକ ସଂଖ୍ୟାରେ ପଙ୍ଖା ଓ ଆଲୋକ ବ୍ୟବସ୍ଥା ନ ଥିବାରୁ ଗ୍ରୀଷ୍ମ ଦିନରେ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନୁଦାନପ୍ରାପ୍ତ ସ୍କୁଲ ହୋଇଥିବାରୁ ପିଲାମାନଙ୍କୁ କେବଳ ପୋଷାକ ଏବଂ ମଧ୍ୟାହ୍ନ ଭୋଜନ ମିଳୁଥିବାବେଳେ ଅନ୍ୟସମସ୍ତ ସୁବିଧାରୁ ସେମାନେ ବଞ୍ଚତ୍ତ ହୋଇ ରହିଛନ୍ତି। ବିଦ୍ୟାଳୟରେ ଖେଳପଡ଼ିଆର ଅଭାବ ସହ ଆବଶ୍ୟକ ଖେଳ ସାମଗ୍ରୀ ମଧ୍ୟ ନାହିଁ। ପିଲାମାନେ ଗାଡ଼ିମୋଟର ଯିବାଆସିବା ରାସ୍ତାରେ ଖେଳାବୁଲା କରୁଥିବାରୁ, ଯେକୌଣସି ସମୟରେ ଦୁର୍ଘଟଣାର ଆଶଙ୍କା ରହିଛି। ଏନେଇ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ପଟ୍ଟନାୟକ କହିଛନ୍ତି, ବ୍ଲକ୍ ଗ୍ରାଣ୍ଟ ବିଦ୍ୟାଳୟ ହୋଇଥିବାରୁ ସରକାରଙ୍କ ତରଫରୁ ଆବଶ୍ୟକ ଅନୁଦାନ ମିଳୁନାହିଁ। ଫଳରେ ବିଦ୍ୟାଳୟରେ ଯାହା କିଛି ଭାଙ୍ଗିଯାଉଛି ତାହାର ମରାମତି କରିବା ମଧ୍ୟ ସମ୍ଭବ ହେଉନାହିଁ। ଏପରିକି ଖାତା ଓ ଚକ୍ଖଡ଼ି ଭଳି ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ବେଳେବେଳେ ନିଜ ପକେଟରୁ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ସେ କହିଛନ୍ତି। ବିଦ୍ୟାଳୟର ଶୌଚାଳୟ କବାଟ ଦୀର୍ଘଦିନ ଧରି ଭାଙ୍ଗି ଯାଇଥିଲା। ଏବେ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ସହଯୋଗରେ ତାହାର ମରାମତି କରାଯାଇ ନୂତନ କବାଟ ଲାଗିଛି। ୮ ରୁ ୧୦ ବର୍ଷ ତଳେ ଏହି ବିଦ୍ୟାଳୟରେ ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାଠ ପଢ଼ୁଥିଲେ। ମାତ୍ର ସମୟ ବିତିବା ସହ ବିଦ୍ୟାଳୟରେ ଆବଶ୍ୟକ ଭିତ୍ତିଭୂମି ଓ ମୌଳିକ ସୁବିଧାର ଅଭାବ ଦେଖାଦେବାରୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଇ ଏବେ ୪୬ରେ ପହଞ୍ଚତ୍ଛି। ଆବଶ୍ୟକ ସୁବିଧା ନ ମିଳିବାରୁ ଅଭିଭାବକମାନେ ନିଜ ପିଲାଙ୍କୁ ଏଠାରୁ ନେଇ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ପ୍ରଧାନ ଶିକ୍ଷକ ପଟ୍ଟନାୟକ କହିଛନ୍ତି। ଅପରପକ୍ଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାନେତ୍ରୀ ଅଞ୍ଜଳୀ ପ୍ରଧାନ ନିକଟରେ ଦାୟିତ୍ୱ ନେଇଛନ୍ତି। କୌଣସି ବୈଠକ ହୋଇ ନ ଥିବାରୁ ସେ କୌଣସି ମତାମତ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏନେଇ ବ୍ଲକ ଏବିଇଓ ବିନତି କୁମାରୀ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏହା ବ୍ଲକ ଗ୍ରାଣ୍ଟ ବିଦ୍ୟାଳୟ ହୋଇଥିବାରୁ ସରକାରଙ୍କ ପକ୍ଷରୁ ନିୟମିତ ଅନୁଦାନ ମିଳୁନାହିଁ। ଅଭିଭାବକ ରାମଚନ୍ଦ୍ର ପଲାଇ କହିଛନ୍ତି, ସରକାରୀ ଅନୁଦାନ ନ ଥିବାରୁ ବର୍ତ୍ତମାନ ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ଚାଲିଛି। ଏହି ପୁରାତନ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ସହ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ଯୋଗାଇବା ପାଇଁ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ପଲାଇ କହିଛନ୍ତି।
Dharitri – Odisha’s No.1 Odia Daily

