Categories: ଖେଳ

ଭାରତୀୟ ଦଳରେ ସ୍ଥାନ ପାଇବା ନେଇ ବରୁଣ ଚକିତ

ଶାରଜା : ଭାରତୀୟ ଟି୨୦ ଦଳରେ ସ୍ଥାନ ପାଇବା ପରେ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଚକିତ ହେବା ସହ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଆଗାମ ଅଷ୍ଟ୍ରେଲିଆ ଗସ୍ତ ପାଇଁ ତାଙ୍କୁ ଦଳରେ ସାମିଲ କରାଯାଇଛି। ୨୯ ବର୍ଷୀୟ ବରୁଣ ଦଳରେ ସାମିଲ ହେବେ ବୋଲି ଭାବି ନ ଥିଲେ। ସୋମବାର କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ଆଇପିଏଲ୍‌ ମ୍ୟାଚ୍‌ ଖେଳିସାରିବା ପରେ ଜାତୀୟ ଦଳରେ ସାମିଲ ହୋଇଛି ବୋଲି ଜାଣିବାକୁ ପାଇଥିଲି। ଏହା ମୋ ପାଇଁ ଅବିଶ୍ୱସନୀୟ ଥିଲା ବୋଲି ବରୁଣ କହିଛନ୍ତି। କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ନିୟମିତ ଖେଳିବା ସହ ନିଜର ଯୋଗଦାନ କରିବା ପାଇଁ ଲକ୍ଷ୍ୟ ରଖିଥାଏ ଓ ଭାରତୀୟ ଦଳ ପାଇଁ ମଧ୍ୟ ଏହା କରିବା ମୋର ମୂଳ ଲକ୍ଷ୍ୟ। ମୋତେ ଭରସା କରିଥିବାରୁ ଚୟନକର୍ତ୍ତାମାନଙ୍କୁ ଧନ୍ୟବାଦ୍‌ ଜଣାଉଛି ଓ ଏଥିପାଇଁ ମୋ ପାଖରେ ଭାଷା ନାହିଁ ବୋଲି ସେ କହିଛନ୍ତି। ୨୦୧୮ରେ ବରୁଣ ସ୍ପିନ୍‌ ବୋଲିଂ କରିବା ଆରମ୍ଭ କରିଥିଲେ। ତାମିଲନାଡୁ ପ୍ରିମିୟର ଲିଗ୍‌ (ଟିଏନ୍‌ପିଏଲ୍‌)ରେ ଭଲ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଗତବର୍ଷ ଅଧିକ ସୁଯୋଗ ପାଇ ନ ଥିଲି। ତେବେ ଏବର୍ଷ ପ୍ରତ୍ୟାବର୍ତ୍ତନ କରିବାକୁ ସକ୍ଷମ ହୋଇଛି। ଦୀର୍ଘଦିନ ହେବ କଠିନ ପରିଶ୍ରମ କରି ଆସୁଛି। ସୁଯୋଗ ମିଳିଲେ ଭଲ ପ୍ରଦର୍ଶନ କରିବାକୁ ପ୍ରୟାସ କରିବି ବୋଲି ବରୁଣ କହିଛନ୍ତି।

Share