ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ବରଗଡ଼ ଜିଲା ପ୍ରିମିୟର ଲିଗ୍ (ବିଡିପିଏଲ) ରବିବାର ଉଦ୍ଯାପିତ ହୋଇଛି । ଫାଇନାଲ ମ୍ୟାଚରେ ବରଗଡ଼ ଯୋଦ୍ଧାସକୁ ହରାଇ ଅତାବିରା ହ୍ବାଇଟ ହର୍ସ ଷଷ୍ଠଥର ପାଇଁ ଚାମ୍ପିୟନ ହୋଇଛି। ଶନିବାର ହ୍ବାଇଟ ହର୍ସ ଅତାବିରା ଓ ବରଗଡ଼ ଯୋଦ୍ଧାସ ମଧ୍ୟରେ ଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଥିଲା । ବରଗଡ଼ ଯୋଦ୍ଧାସ ଦଳର ଅଧିନାୟକ ମନୋଜ ଶର୍ମା ଟସ୍ ଜିଣି ପ୍ରଥମେ ପ୍ରତିପକ୍ଷ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ଅତାବିରା ହ୍ବାଇଟ ହର୍ସ ବ୍ୟାଟିଂ ଆରମ୍ଭ କରି ରୋହନ କୁମାରଙ୍କ ୨୩ ବଲରେ ୮ ଚୌକା ସହ ୩୬ ରନ୍, ଦେବବ୍ରତ ପ୍ରଧାନଙ୍କ ୧୭ ରନ୍, ସୌମ୍ୟ ଲେଙ୍କାଙ୍କ ୧୦ ବଲରେ ୨ ଛକା ସହ ୧୮ ରନ୍, ଶୁଭମ ବିଷ୍ଟଙ୍କ ୧୪ ବଲ୍ରେ ୨ ଚୌକା, ୧ ଛକା ସହ ୧୮ ରନ,ଅତୁଲ୍ୟ କର୍ଣ୍ଣଙ୍କ ୧୮ ବଲ୍ରେ ୧ ଚୌକା, ୧ ଛକା ସହ ୧୪ ରନ୍ ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍ ହରାଇ ୧୫୯ ରନ୍ ସଂଗ୍ରହ କରିଥିଲା।
ପ୍ରତିପକ୍ଷ ବରଗଡ଼ ଯୋଦ୍ଧାସ ପକ୍ଷରୁ ସେକ ହେୟାନ୍ ୩ ରନ୍ ବିନିମୟରେ ୨, ଅଂଶୁମାନ ମିଶ୍ର ୧୫ରନ୍ ବିନିମୟରେ ୨, ପ୍ରକାଶ ମାହାନା ୨୬ରନ ବିନିମୟରେ ୨, ଜ୍ୟୋତି ପ୍ରକାଶ ସେଠ ୩୩ରଳ ବିନିମୟରେ ୨, ଶୟଦ ଜାକି ୨୩ରନ ବିନିମୟରେ ଗୋଟିଏ ଓ୍ବିକେଟ ନେଇଥିଲେ । ଜବାବରେ ବରଗଡ଼ ଯୋଦ୍ଧାସ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ମ୍ୟାଚର ଦିତୀୟ ଓଭରର ପଞ୍ଚମ ବଲ ଚାଲିଥିବା ବେଳେ ଦଳୀୟ ସ୍କୋର ୬ ଥିଲା । ଏହି ସମୟରେ ଝଡ଼ତାଫାନ ସହ ଘଡଘଡ଼ି ସହ ପ୍ରବଳ ବର୍ଷା ହେବା ଯୋଗୁ ମ୍ୟାଚ୍ ଆଉ ଖେଲା ଯାଇ ପାରି ନ ଥିଲା। ପ୍ରତିଯୋଗିତାର ନିୟମରେ ଫାଇନାଲ ପାଇଁ ଗୋଟିଏ ଦିନ ରିଜର୍ଭ ଥିବାରୁ ରବିବାର ପୁଣି ଖେଳ ସେହି ୧.୫ ଓଭରରୁ ଆରମ୍ଭ ହୋଇଥିଲା। ରବିବାର ବ୍ୟାଟିଂ ଆରମ୍ଭ କରି ବରଗଡ ଯୋଦ୍ଧାସ ଦଳ ପକ୍ଷରୁ ପ୍ରକାଶ ମାହାନାଙ୍କ ୬ ଚୌକା, ୪ ଛକା ସହ ୬୧ ରନ , ବିନୟ ଶର୍ମାଙ୍କ ୧୫ ରନ, ଅଂଶୁମାନ ମିଶ୍ରଙ୍କ ୧୫ ରନ , ସଞ୍ଜୟ ଡୁଙ୍ଗୁରିଙ୍କ ୧୪ ରନ ସଂଗ୍ରହ କରିବା ଫଳରେ ଦଳ ୨୦ ଓଭରରେ ୮ ଉଇକେଟ୍ ହରାଇ ୧୩୨ ରନ କରିବାକୁ ସକ୍ଷମ ହେବାରୁ ଅତାବିରା ହ୍ବାଇଟ ହର୍ସ ଫାଇନାଲ ମ୍ୟାଚକୁ ୨୭ ରନରେ ଜିତିବା ସହିତ ଚାମ୍ପିୟନ ହେବା ସହ ଷଷ୍ଠଥର ପାଇଁ ଚାମ୍ପିୟନ ହୋଇଥିଲା । ଫାଇନାଲ ମ୍ୟାଚର ଖେଳ ପରିଚାଳନା କରିଥିଲେ ଓସିଏ ପ୍ୟାନେଲ ଅମ୍ପାୟାର ହନୁ ଅଗ୍ରୱାଲ ଓ ଅକ୍ଷୟ ସାହାଣୀ। ତୃତୀୟ ଅମ୍ପାୟାର ଥିଲେ ସାଜନ ସାହୁ ଓ ଶୁଭମ ପାତ୍ର ଚତୁର୍ଥ ଅମ୍ପାୟର ଥିଲେ । ସ୍କୋରର ଥିଲେ ମନୋଜ କୁମାର ପାତ୍ର ଓ ଅଶୋକ ସାହୁ। ମ୍ୟାଚ ରେଫରି ଥିଲେ ହରିହର ପ୍ରଧାନ। ଭାଷ୍ୟକାର ଭାବରେ ସନ୍ତୋଷ ନାୟାର ଓ ମନୋଜ ସିଂ କାର୍ଯ୍ୟ ତୁଲାଇଥିଲେ। ଲାଇଭ ଷ୍ଟ୍ରିମିଙ୍ଗ କରିଥିଲେ ନିଶିକାନ୍ତ ରାଉତ ।
ମ୍ୟାଚ ପରେ ଜିଲା କ୍ରିକେଟ ଆସୋସିଏଶନ୍ର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ୱ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବର ଅତିଥି ଭାବରେ ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ବଶିଷ୍ଠ ଶିଳ୍ପପତି ତଥା କ୍ରୀଡ଼ା ସଂଗଠକ ଚନ୍ଦ୍ର ଶେଖର ବାଗ ଯୋଗଦେଇ ଚାମ୍ପିୟନ ଦଳ, ଉପବିଜେତା ଦଳ, ପ୍ରତିଯୋଗିତା ଶ୍ରେଷ୍ଠ ଖେଳାଳି, ମ୍ୟାଚ ଅଫିସିଆଲମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ। ଚାମ୍ପିୟନ ଅତାବିରା ହ୍ବାଇଟ ହର୍ସ ଦଳକୁ ନଗଦ ୧ ଲକ୍ଷ ଟଙ୍କା ସହ ଚମ୍ପିୟନ ଟ୍ରଫି , ଉପ ବିଜେତା ବରଗଡ ଯୋଦ୍ଧାସକୁ ନଗଦ ୬୦ ହଜାର ଟଙ୍କା ସହ ରନର୍ସ ଅପ୍ ଟ୍ରଫି ପ୍ରଦାନ କରାଯାଇଥିଲା । ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଚେୟାରମ୍ୟାନ ସୁମନ ସାଓ୍ବଡିଆ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଅତାବିରା ହ୍ବାଇଟ ହର୍ସ ଦଳର ଦେବବ୍ରତ ପ୍ରଧାନଙ୍କୁ ଟ୍ରଫି ସହ ନଗଦ ୨୦୦୦ ଟଙ୍କା , ଗୁରୁ ନାନକ ରଙ୍ଗରାଜ ପକ୍ଷରୁ ଯଶଓ୍ବନ୍ତ ସିଂ ପ୍ରତିଯୋଗିତାର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବରେ ମହମ୍ମଦ ସଲିମ ସ୍ମାରକୀ ଟ୍ରଫି ସହ ନଗଦ ୫୦୦୦ ଟଙ୍କା ବରଗଡ ଯୋଦ୍ଧାସ ଦଳର ପ୍ରକାଶ ମାହାନାଙ୍କୁ ପ୍ରଦାନ କରିଥିଲେ। ଗୁରୁ ନାନକ ରଙ୍ଗରାଜ ପକ୍ଷରୁ ଅମରଜିତ ସିଂ ଶ୍ରେଷ୍ଠ ବୋଲରଭାବେ ବରଗଡ଼ ଯୋଦ୍ଧାସ ଦଳର ସୟଦ ଜେକିଙ୍କୁ ନଗଦ ୫୦୦୦ ଟଙ୍କା ସହ ଓ୍ବିଲସନ ସିଂ ସ୍ମାରକୀ ଟ୍ରଫି, ଏ.ଇ ମିଶନ ଇଂଲିଶ ମିଡିୟମ ସ୍କୁଲର ଚେୟାରମ୍ୟାନ ଯଶବୀର ସିଂ ଶ୍ରେଷ୍ଠ ଖେଳାଳିଭାବେ ମା’ ସମଲେଶ୍ୱରୀ ଇଲେଭେନ ଦଳର ଦେବବ୍ରତ ପ୍ରଧାନଙ୍କୁ ମାରିଓ ମେଲେଟା ସ୍ମାରକୀ ଟ୍ରଫି ସହ ନଗଦ ୧୦୦୦୦ ଟଙ୍କା ସହ ଟ୍ରଫି, ହାର୍ଦ୍ଧିକ ପଟାଡିଆ ଶ୍ରେଷ୍ଠ ଉଦୀୟମାନ ଯୁବ ଖେଳାଳିଭାବେ କ୍ରୀଷ୍ଣା ବିକାଶ କ୍ରିକେଟ କ୍ଲବର ସ୍ପରିତ ଦାଶଙ୍କୁ ସଂଗ୍ରାମାଦିତ୍ୟ ସ୍ମାରକୀ ଟ୍ରଫି ସହ ଶ୍ରୀଜି ଜ୍ବେଲର୍ସ ପକ୍ଷରୁ ପ୍ରଦତ୍ତ ଦୁଇଗ୍ରାମ ରୁପା ମୁଦ୍ରା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଆୟୋଜକ କମିଟି ପକ୍ଷରୁ ଅତିଥି ଓ ଫ୍ରାଞ୍ଚାଇଜି ଦଳ ମାନଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦ୍ଯାପନୀ ଉତ୍ସବରେ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ପ୍ରତିଯୋଗିତାରେ ଅତାବିରା ହ୍ବାଇଟ ହର୍ସ, ବରଗଡ଼ ସ୍ପାର୍ଟାନ୍ସ, ବରଗଡ଼ ଯୋଦ୍ଧାସ ,ମା’ସମଲେଶ୍ୱରୀ ଇଲେଭେନ, କ୍ରିଷ୍ଣା ବିକାଶ କ୍ରିକେଟ କ୍ଲବ ଭାଗ ନେଇଥିଲେ।