ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା। ଝଡ଼ବର୍ଷା ଯୋଗୁ ଗ୍ରାମର ଘରଦ୍ୱାର, ବୁଣାକାରଙ୍କ ମଙ୍ଗାଶାଳ ଭାଙ୍ଗି ଯାଇଥିଲା। ସେହିପରି ଗ୍ରାମରେ ବଡ଼ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଢଳି ପଡ଼ିଥିଲା। ଫଳରେ ଗ୍ରାମକୁ ଯାତାୟାତ, ବିଦ୍ୟୁତ୍ ସରବରାହ ବନ୍ଦ ହୋଇ ଯାଇଥିଲା। ଏବେ ମଧ୍ୟ ଗ୍ରାମର ପ୍ରଭାବିତ ଲୋକେ ବାସହରା ହୋଇପଡ଼ି ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଉଛନ୍ତି। କିନ୍ତୁ ଘଟଣାକୁ ୨ସପ୍ତାହ ପୂରିଯାଇ ଥିଲେ ସୁଦ୍ଧା ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପହଞ୍ଚି ନାହିଁ। ଅନ୍ୟପଟେ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କଠାରୁ ଘର ମରାମତି କ୍ଷତିପୂରଣ ପହଞ୍ଚି ସାରିଛି ଏବଂ ବରଗଡ଼ ତହସିଲଦାର ତୁରନ୍ତ ତାହା ବଣ୍ଟନ କରିବେ ବୋଲି ଜିଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି। ସେହିପରି ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ମାନଦଣ୍ଡ ଅନୁଯାୟୀ, ପ୍ରଭାବିତ ବୁଣାକାରମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଗୋୟଲ ସୂଚନା ଦେଇଛନ୍ତି। ଗ୍ରାମର ପ୍ରଭାବିତ ଲୋକେ ପିଲାଛୁଆ ଧରି ସହାୟତା ଆଶାରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ। ଜିଲାପାଳ ଗୋୟଲଙ୍କୁ ଭେଟି କ୍ଷତିପୂରଣ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଝଡ଼ବର୍ଷାରେ ଘର ଭାଙ୍ଗିଯିବା ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସହଯୋଗର ହାତ ବଢ଼ାଇ ଥିବାରୁ ପଡ଼ାବାସୀ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଜଣେ ପ୍ରଭାବିତ ଗ୍ରାମବାସୀ ଯତୀନ୍ଦ୍ର ଦୀପ୍ କହିଛନ୍ତି, ଝଡ଼ବର୍ଷାରେ ଗ୍ରାମରେ ବିପୁଳ କ୍ଷୟକ୍ଷତି ହୋଇଛି। ବୁଣାକାର ସବୁ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ସେହିପରି ସେମାନେ ଏବେ ବାସହରା ହୋଇପଡ଼ି ଥିବାବେଳେ ବିଭିନ୍ନ ମାଇକ୍ରୋଫାଇନାନ୍ସ କମ୍ପାନୀ ସେମାନଙ୍କୁ ଋଣ ଟଙ୍କା ମାଗି ଆସୁଥିବା ଯତୀନ୍ଦ୍ର ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟଜଣେ ପ୍ରଭାବିତ ମହିଳା କାନ୍ଦି ପକାଇ କହିଥିଲେ, ଝଡ଼ବର୍ଷା ପରେ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗ୍ରାମବାସୀ ଖାଇବାକୁ ଦେଉଥିଲେ। ସେମାନଙ୍କୁ ଧନ୍ୟବାଦ। ହେଲେ ଆଉ ବେଶୀ ଚାଉଳ ମଧ୍ୟ ନାହିଁ। ଛୁଆପିଲାର ଦେହ ଅସୁସ୍ଥ ହେଲେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ସେ ଅଭିଯୋଗ କରି କହିଥିଲେ।