ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇ ପଡ଼ିଛି। ବେଆଇନ ନିଶା କାରବାର ଯୋଗୁ ସହରରେ ଅପରାଧ ବଢ଼ି ଚାଲିଛି। ଦିନ ଦ୍ୱିପ୍ରହରେ ଘଟୁଥିବା ନିଶାଜନିତ ଅପରାଧିକ କାର୍ଯ୍ୟକଳାପ ଯୋଗୁ ସହରବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ଗତ କିଛିଦିନ ତଳେ ସ୍ଥାନୀୟ କୋର୍ଟ ସମ୍ମୁଖରେ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫ୍ଙ୍କ ପ୍ରତି ମଦ ବୋତଲରେ ହୋଇଥିବା ମରଣାନ୍ତକ ଆକ୍ରମଣରୁ ସହରର ଆଇନଶୃଙ୍ଖଳା ପଦାରେ ପଡ଼ିଯାଇଛି। ଏହାକୁ ନେଇ ଜିଲା ଓକିଲ ସଂଘ ଉଦ୍ବେଗ ପ୍ରକାଶ କରିଛି। ଏହି କ୍ରମରେ ସୋମବାର ଓକିଲ ସଂଘର କର୍ମକର୍ତ୍ତା କାର୍ଯ୍ୟବନ୍ଦ କରି ଏକ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ।
ସ୍ମାରକପତ୍ରରେ ବିଭିନ୍ନ ଦାବି କରାଯାଇଛି। ନିଶା ବ୍ୟବସାୟୀ, ବ୍ୟବହାରକାରୀ ତଥା ଅସାମାଜିକତତ୍ତ୍ୱଙ୍କୁ ଦୃଢ଼ ଦମନ, ବରଗଡ଼ ସହରସ୍ଥିତ କୋର୍ଟ ପରିସରରେ ପୋଲିସ ଫାଣ୍ଡି ସ୍ଥାପନ, ତାହା ସ୍ଥାପନ ହେବା ପର୍ଯ୍ୟନ୍ତ କୋର୍ଟ ପରିସରରେ ଦକ୍ଷ ସୁରକ୍ଷାକର୍ମୀଙ୍କୁ ମୁତୟନ, ସହରସ୍ଥିତ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଲାଗିଥିବା ସିସିଟିଭିଗୁଡ଼ିକୁ ସକ୍ରିୟ କରିବାକୁ ଦାବି ହୋଇଛି। ଏହା ସହିତ ଓକିଲଙ୍କ ସୁରକ୍ଷା, ନିରାପତ୍ତା ଦୃଷ୍ଟିରୁ ଓକିଲ ସୁରକ୍ଷା ଆଇନକୁ ପାରିତ କରିବା ପାଇଁ ସରକାରଙ୍କ ଜରିଆରେ ବିଧାନସଭାରେ ଅତିଶୀଘ୍ର ଉପସ୍ଥାପନ କରାଯିବା, ସହରସ୍ଥିତ ସମ୍ବେଦନଶୀଳ ସ୍ଥାନରେ ସାଧା ପୋଷାକରେ ପୋଲିସ ମୁତୟନ, ଦିନରାତି ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବା, ନିଶା ବେପାରୀଙ୍କ ସହିତ ସମ୍ପର୍କ ରଖିଥିବା ଏବଂ ନିଶାସକ୍ତ ଅବସ୍ଥାରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ନିଶା କାରବାରରେ ପ୍ରଭାବଶାଳୀ ରାଜନେତାଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ ହୋଇ ଆସୁଥିବା ଯୋଗୁ ତାକୁ ମଧ୍ୟ ଗୁରୁତର ସହିତ ନେଇ ସେମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଓକିଲ ସଂଘ ଦାବି କରିଛି।
ଏନ୍ଡ଼ିପିଏସ୍ ଆଇନ ତଥା ଅନ୍ୟ ଫୌଜଦାରୀ ଆଇନରେ ସଂଶ୍ଳିଷ୍ଟ ଅପରାଧିଙ୍କ ବିରୋଧରେ ଜାରି ହୋଇଥିବା ଗିରଫଦାରୀ ୱାରେଣ୍ଟକୁ ଶୀଘ୍ର କାର୍ଯ୍ୟକାରୀ କରିବା, ଓକିଲ ସଂଘ ସଭାପତିଙ୍କ ପ୍ରତି ହୋଇଥିବା ଆକ୍ରମଣ ମାମଲାର ଚାର୍ଜସିଟ୍ ୧୫ଦିନ ମଧ୍ୟରେ ଦାଖଲ ଓ ଏହାର ତୁରନ୍ତ ଫଇସଲା, ଗାନ୍ଧୀଛକ, ଘରୋଇ ବସଷ୍ଟାଣ୍ଡ, ଏସ୍ପି ଅଫିସ ଛକ, ଥାନାଛକ, କଚେରୀ ଛକ, କାଳୀମନ୍ଦିର ଛକ, ଲେଙ୍ଗୁ ମିଶ୍ର ଛକ ଆଦି ସ୍ଥାନରେ ରାତି ୯ଟା ପର୍ଯ୍ୟନ୍ତ ଟ୍ରାଫିକ ସମୟ ରଖାଯିବା, ସହର ଭିତରକୁ ବାଇକ୍, ୪ଚକିଆ ଗାଡ଼ି ଚଳାଚଳ ଗତି ଉପରେ ନିୟନ୍ତ୍ରଣ, ଆଣ୍ଟି ଡ୍ରଗସ୍ ଡ୍ରାଇଭ୍ ପାଇଁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ଉପରେ ସଚେତନତା ଆଦି ଦାବି ମଧ୍ୟ ହୋଇଛି। ଆସନ୍ତା ୧୫ଦିନ ମଧ୍ୟରେ ଉପରୋକ୍ତ ଦାବି ସମୂହ ପୂରଣ ନ ହେଲେ ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦାବିପତ୍ରରେ ଚେତାବନୀ ଦେଇଛି। ଦାବିପତ୍ର ପ୍ରଦାନ ସମୟରେ ସଂଘର ଉପସଭାପତି ଉତ୍ତର କୁମାର ସାହୁ, ସମ୍ପାଦକ ହରିହର ପ୍ରଧାନଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା, ସଭ୍ୟାସଭ୍ୟ ଉପସ୍ଥିତ ଥିଲେ।