ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍ ୨ ତାରିଖ ଦିନ ବାପୁ ଯାଜପୁର ପାର୍ ହୋଇ ଭଦ୍ରକ ଜିଲା (ନବଗଠିତ)ରେ ପାଦଦେଲେ ଏବଂ ସେଦିନ ତାଙ୍କୁ ବଳିଘାଇ ଘାଟରୁ ମଞ୍ଜୁରୀ ଗ୍ରାମକୁ ପାଛୋଟି ଆଣିଥିଲେ ଭଣ୍ଡାରିପୋଖରୀ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ। ପଦଯାତ୍ରୀ ଦଳ ସହିତ ଆସିଥିଲେ ନରସିଂହ ଚୋଧୁରୀ, ଗୋଲୋକ ନାୟକ, ଗୋକୁଳାନନ୍ଦ ମହାନ୍ତି, ଧନେଶ୍ୱର ଦାସ, ମୁକ୍ତିକାନ୍ତ ପତି, ଦୁର୍ଗା ପ୍ରସାଦ ଧଳ, ଅନନ୍ତ ମହାପାତ୍ର ଓ ଶରତ ରାଉତ ପ୍ରମୁଖ ସ୍ଥାନୀୟ ନେତା। ସାରେ ମଞ୍ଜୁରୀ ଗ୍ରାମରେ ଏକ ସଭାର ଆୟୋଜନ ହୋଇଥିଲା, ଯେଉଁଠି ପ୍ରତିକୂଳ ପାଗ ସତ୍ତ୍ୱେ ଏକାଠି ହୋଇଥିଲେ ସାତଶହରୁ ଅଧିକ ଲୋକ। ବାପୁ ସେଠାରେ ଅସ୍ପୃଶ୍ୟତା ନିବାରଣ ଓ ହିନ୍ଦୁ ମୁସଲମାନ ଭାଇଚାରାକୁ ନେଇ ଶୁଣେଇଥିଲେ ସଦ୍ଭାବନା ବାର୍ତ୍ତା। ସେଦିନ ସେ ମଞ୍ଜୁରୀ ରକ୍ଷାକାଳୀ ମନ୍ଦିର କୋଠଘରେ ଅବସ୍ଥାନ କରିଥିଲେ ଏବଂ ତାଙ୍କ ରାତ୍ରି ଭୋଜନ ପାଇଁ ଅମୃତଭଣ୍ଡା ସିଝା ଓ ଦୁଗ୍ଧ ବ୍ୟବସ୍ଥା କରିଥିଲେ ସତ୍ୟାଗ୍ରହୀ ଶରତ ରାଉତଙ୍କ ମା’। ପରଦିନ ଦ୍ବିପହର ରହଣିସ୍ଥଳ ଥିଲା ଭଣ୍ଡାରିପୋଖରୀ। ପଦଯାତ୍ରା ଦେଖିବା ପାଇଁ ସେଠାରେ ଆସି ପହଞ୍ଚିଥିଲେ ହରିଜନ ସେବକ ସଂଘର ସଭାପତି ତଥା ଭାରତର ବିଶିଷ୍ଟ ଶିଳ୍ପପତି ଘନଶ୍ୟାମ ବିରଳା। ସେ ପଦଯାତ୍ରାରେ ସାମିଲ ହୋଇ ଚାଲିଚାଲି ଯାଇଥିଲେ ଭଣ୍ଡାରିପୋଖରୀରୁ ତୋଡଙ୍ଗା ପର୍ଯ୍ୟନ୍ତ। ତୋଡଙ୍ଗାରେ ପହଞ୍ଚିଲା ବେଳକୁ ସା ଆଗତପ୍ରାୟ। ବାପୁଙ୍କୁ ଦେଖିବା ପାଇଁ ଧୀରେ ଧୀରେ ବଢ଼ିଲା ଭିଡ଼। ହରେକୃଷ୍ଣ ମହତାବଙ୍କ ଖଜଣା ଆଦାୟ ଗୃହରେ ଗାନ୍ଧୀ ଓ ଅନ୍ୟମାନଙ୍କ ପାଇଁ ରହିବା ବ୍ୟବସ୍ଥା କରାଯାଇଥିଲା, ଯାହା ଏବେ ତୋଡଙ୍ଗା ନୋଡାଲ ବିଦ୍ୟାଳୟ ନାମରେ ନାମିତ। ସେଠାରେ ଆୟୋଜିତ ସଭାରେ ଅସ୍ପୃଶ୍ୟତା ନିରାକରଣ ଓ ବିଦେଶୀ ବସ୍ତ୍ର ବର୍ଜନ ନିମନ୍ତେ ବାପୁ ଲୋକଙ୍କୁ ଅନୁରୋଧ କରିଥିଲେ ଏବଂ ସଭାସ୍ଥଳରେ ସ୍ବରାଜ୍ୟ ପାଣ୍ଠି ପାଇଁ ସଂଗୃହୀତ ହୋଇଥିଲା ୫ ଟଙ୍କା ୭ ଅଣା ପଇସା।
ମେ ୪ ତାରିଖ ବାପୁଙ୍କ ମୌନ ଦିବସ ଥିବାରୁ ୫ ତାରିଖ ସକାଳୁ ପଦଯାତ୍ରା ବାହାରିଥିଲା ଭଦ୍ରକ ଅଭିମୁଖେ। ବାଟରେ ବାରିକପୁର ଛକରେ ସାମାନ୍ୟ ବିଶ୍ରାମ ନେଇ ଏକାଦିକ୍ରମେ ୯ ମାଇଲ ବାଟ ଚାଲିଲା ପରେ ପଡ଼ିଲା ଭଦ୍ରକ ଗରଦପୁରସ୍ଥିତ ବାଳାଶ୍ରମ। ଜୀବରାମ କଲ୍ୟାଣଜୀ କୋଠାରୀଙ୍କ ଦ୍ବାରା ପ୍ରତିଷ୍ଠିତ ସେହି ଆଶ୍ରମରେ ବାପୁ ତିନିଦିନ (ଜୁନ୍ ୫ରୁ ଜୁନ୍ ୭) ରହିଲେ, ଯେଉଁଠି ତାଙ୍କୁ ଦେଖିବା ପାଇଁ ଛୁଟିଥିଲା ଆବାଳବୃଦ୍ଧବନିତାଙ୍କ ଧାଡ଼ି। ୬ ତାରିଖ ଦିନ ଭଦ୍ରକରେ ଏକ ବିରାଟ ସାଧାରଣ ସଭାର ଆୟୋଜନ ହୋଇଥିଲା, ଯାହାକୁ ଭଣ୍ଡୁର କରିବା ପାଇଁ ସବୁମତେ ଉଦ୍ୟମ କରିଥିଲେ ଭଦ୍ରକର ତତ୍କାଳୀନ ଉପଜିଲାପାଳ ଦୁର୍ଗା ଦାସ। ସେ ସର୍ବସାଧାରଣ ସ୍ଥାନରେ ସଭା କରେଇ ନ ଦେବାରୁ ତାହା ଅନୁଷ୍ଠିତ ହେଲା ଜୀବରାମ କଲ୍ୟାଣଜୀଙ୍କ ଆଶ୍ରମ ପ୍ରାଙ୍ଗଣରେ। ଏଠାରେ ଗାନ୍ଧିଜୀ ତାଙ୍କ ବକ୍ତବ୍ୟରେ କୃଷି, ଗୋପାଳନ ଓ ଅସ୍ପୃଶ୍ୟତା ନିରାକରଣ କଥା କହିବା ସହିତ ସାମ୍ପ୍ରଦାୟିକ ସଦ୍ଭାବନାକୁ ନେଇ ଶୁଣେଇଥିଲେ ଭାଇଚାରାର ଗୁରୁମନ୍ତ୍ର। ସେତେବେଳେ ସତ୍ୟାଗ୍ରହ ଆନ୍ଦୋଳନ ମାନ୍ଦା ପଡ଼ିଥିବାରୁ ସତ୍ୟାଗ୍ରହୀମାନେ ଜେଲ ବାହାରେ ଥିଲେ ଏବଂ ଗାନ୍ଧିଜୀଙ୍କ ଠାରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଜାଣିବା ପାଇଁ ଭଦ୍ରକରେ ଆସି ଲଗେଇଥିଲେ ଭିଡ଼। ବଙ୍ଗଳାରୁ ମଧ୍ୟ ଆସି ପହଞ୍ଚିଥିଲେ ଅନେକ ମୁଖିଆ କଂଗ୍ରେସ କର୍ମୀ। ଆଇନ ଅମାନ୍ୟ ଆନ୍ଦୋଳନକୁ ସ୍ଥଗିତ ରଖି ହରିଜନ କାମରେ ଦେଶଟାକୁ ମତେଇବା ନିମନ୍ତେ ଗାନ୍ଧିଜୀଙ୍କ ପଦଯାତ୍ରାକୁ ଥୋକେ କଂଗ୍ରେସ ଲୋକ ପସନ୍ଦ କରୁ ନଥିଲେ ଏବଂ କହୁଥିଲେ ଏହା ହାରିଗଲି ବୋଲି ମାନିଯିବା ସହିତ ସମାନ। ଏହି ପ୍ରସଙ୍ଗରେ ସେମାନଙ୍କ ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇଥିବା ବାପୁଙ୍କର ଉତ୍ତର ଥିଲା-‘ଜଣେ ସେନାପତି ଯୁଦ୍ଧରେ ସୈନ୍ୟ ଚାଳନା କରି ଆଗକୁ ମାଡି ଚାଲିଥିବାବେଳେ ହଠାତ ଯଦି ନଈ ବା ପାହାଡ଼ ଆସିଯାଏ, ତାକୁ ଅତିକ୍ରମ କରିବା ପାଇଁ କ’ଣ ଟିକିଏ ସମୟ ଲାଗିବ ନାହିଁ? ତେବେ ବିଳମ୍ବକୁ ଆଳକରି ସେନାପତି ହଟିଗଲା ବୋଲି କହିବା କେତେ ଦୂର ଯଥାର୍ଥ ? ବାପୁ ସର୍ବଦା ଗଠନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ କହିଛନ୍ତି ସତ୍ୟାଗ୍ରାହୀମାନେ ଏହାକୁ ଲଢ଼େଇର ଏକ ପ୍ରଧାନ ଅଙ୍ଗ ଭାବି କାମ କରିବା ଉଚିତ। ଏହା ହିଁ ରାଜନୈତିକ ଜାଗରଣର ଅସଲ ସୂତ୍ର।
ଜୁନ୍ ୭ ତାରିଖ ଦିନ ପଦଯାତ୍ରା ଗରଦପୁର ଆଶ୍ରମରୁ ବାହାରି ପହଞ୍ଚିଲା ଭଦ୍ରକ ଥାନାଛକରେ ଅବସ୍ଥିତ ମହତାବ କୋଠିରେ। ସେତେବେଳେ ସେଠାରେ ମହତାବ କୋଠି ଥିଲା ସତ୍ୟାଗ୍ରାହୀଙ୍କର ଏକ ପ୍ରମୁଖ କେନ୍ଦ୍ର। ଏଠାରେ ଅନେକ କଂଗ୍ରେସ ନେତା ଏକାଠି ହୋଇ ପ୍ରସ୍ତୁତ କରୁଥିଲେ ଆନ୍ଦୋଳନର ପରବର୍ତ୍ତୀ ଖସଡ଼ା। ବାପୁ ସେଦିନ ହରେକୃଷ୍ଣ ମହତାବଙ୍କ ଆତିଥ୍ୟ ସ୍ବୀକାର କରିବାରୁ ତାଙ୍କ ହରିଜନ ପଦଯାତ୍ରାର ଅନ୍ତିମ ରାତି କଟିଲା ମହତାବ କୋଠିରେ।
ଏଠାରେ ସେ ହରେକୃଷ୍ଣ ମହତାବ ଓ ସୁଭଦ୍ରା ଦେବୀଙ୍କଠାରୁ ସୂତାକଟା ଦକ୍ଷତା ପରୀକ୍ଷା ନେବା ସହିତ କଂଗ୍ରେସ କର୍ମୀମାନଙ୍କୁ ବସେଇ ଶୁଣେଇଥିଲ କର୍ଣ୍ଣମନ୍ତ୍ର। ହରିଜନ ସଂଘର କର୍ମୀମାନେ ଗାଁରେ ବୁଲି କାମ କରିବାକୁ ସେ ପରାମର୍ଶ ଦେବାରୁ କେହି ଜଣେ ପଚାରିଥିଲେ-ଆମେ ଗାଁରେ ଯାଇ କରିବୁ କ’ଣ? ଉତ୍ତରରେ ବାପୁ କହିଥିଲେ ଯେଉଁମାନେ ଏ ତୀର୍ଥଯାତ୍ରାରେ ପ୍ରତ୍ୟକ୍ଷରେ ଯୋଗ ଦେଇଛନ୍ତି, ସେମାନେ ଲକ୍ଷ୍ୟ କରିସାରିଥିବେ ଯେ କାମ କରିବାର ପ୍ରକୃଷ୍ଠ ସ୍ଥାନ ହେଉଛି ଗାଁ। ଗାଁ ଗଣ୍ଡାରେ ଅଧିକ ହରିଜନ ବାସ କରନ୍ତି ଏବଂ ସେଠାରେ ଦାରିଦ୍ର୍ୟର ଚିତ୍ର ଖୁବ୍ ଭୟାନକ। ଏଥିରୁ ମୁକୁଳିବା ପାଇଁ ଗାଁ ଗଣ୍ଡାର ଲୋକଙ୍କ ଭିତରେ ସଚେତନତା ସୃଷ୍ଟି ହେବା ଦରକାର। ଏହି ସନ୍ଦର୍ଭରେ ସେ ଏକ ଗଳ୍ପର ଅବତାରଣା କରିଥିଲେ, ଯାହାର ମର୍ମାର୍ଥ ହେଉଛି-ସୁପ୍ତ ଅବସ୍ଥାରେ ଥିବା ସିଂହକୁ ଉଠେଇବା ତୁମମାନଙ୍କ କାମ।
ମହତାବ କୋଠିରୁ ପଦଯାତ୍ରା ସମାପ୍ତି ଘୋଷଣା କରି ଗାନ୍ଧିଜୀ ଚାଲିଚାଲି ଯାଇଥିଲେ ଭଦ୍ରକ ରେଳ ଷ୍ଟେଶନ ପର୍ଯ୍ୟନ୍ତ। ବାପୁଙ୍କୁ ମେଲାଣି ଦେବାକୁ ସାଙ୍ଗରେ ଅନେକ ଲୋକ ଯାଇଥିଲେ ଏବଂ ରାସ୍ତା କଡ଼ରେ ଧାଡ଼ି ବାନ୍ଧି ଠିଆ ହୋଇଥିଲେ ଶହଶହ ମହିଳା ଓ ପୁରୁଷ। ଲୋକାରଣ୍ୟ ହୋଇଯାଇଥିଲା ଭଦ୍ରକ ରେଳ ଷ୍ଟେଶନ। ପାଖରେ ଘେରି ଛିଡ଼ା ହୋଇଥିବା ଝିଅ ବୋହୂମାନଙ୍କୁ ହସି ହସି ବାପୁ କହିଥିଲେ – ତୁମମାନଙ୍କ ହାତରେ ତ ଆଉ ସୁନା ଚୁଡ଼ି ନାହିଁ। ମୁଁ ନେବି କ’ଣ? ସେଦିନର ସେହି ସ୍ମରଣୀୟ ବିଦାୟ ବେଳାରେ ଜନତାଙ୍କ ଉଦ୍ଦେଶ୍ୟରେ ତାଙ୍କର ବକ୍ତବ୍ୟ ଥିଲା -ମୋ ସହିତ ପଦଯାତ୍ରାରେ ଯେତେ ସାଥୀ ଥିଲେ, ସେମାନଙ୍କ କଷ୍ଟ ସହିବାର ଶକ୍ତି ମୋତେ ଯେତିକି ଚକିତ କରିଛି, ସେତିକି ମୁଗ୍ଧ କରିଛି ଏଠାକାର ଅନାବିଳ ଆତିଥ୍ୟ। ଆଜି ମୋତେ କୋହଭରା ହୃଦୟରେ ମେଲାଣି ନେବାକୁ ପଡୁଛି ଏବଂ ମନ ଭିତରେ ସାଇତା ହୋଇ ରହିଛି ପୁଣିଥରେ ଆପଣମାନଙ୍କ ପାଖକୁ ଆସିବାର ଇଚ୍ଛା।
ଡ.ପ୍ରଫୁଲ୍ଲ କୁମାର ସାହୁ
ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ,
ବିଜୁ ପଟ୍ଟନାୟକ ନଗର, ଭଦ୍ରକ
ମୋ:୬୩୭୧୬୪୨୪୬୪