ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭାରତରେ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯିବା ପରେ ଏଠାକାର ବୈଦେଶିକ ନୀତିରେ ଅସ୍ବାଭାବିକତା ଦେଖାଦେଇଛି। ସେହି କାରଣରୁ ମଧ୍ୟ ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରୋଶର ଶିକାର ହେବାକୁ ପଡୁଛି। ବାଂଲାଦେଶରେ ନୂଆ ସରକାର ଆସିବା ପରେ ଭାରତ ସହ ସମ୍ପର୍କରେ ଘଟିଥିବା ଅବନତି ନିକଟ ଭବିଷ୍ୟତରେ ସୁଧାର ଆସିବାର କ୍ଷୀଣ ଆଲୋକ ଦେଖାଉଛି। ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାକୁ ଆସିଛି ଯେତେବେଳେ ହାସିନା ଦୁଇ ବର୍ଷ ପରେ ନିଜ ଆଡ଼ୁ ସ୍ବଦେଶ ଫେରିଯିବାକୁ ଘୋଷଣା କରିଛନ୍ତି। ନିକଟରେ ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ‘ରୟଟର୍ସ’କୁ ଏକ ସାକ୍ଷାତ୍କାର ଦେଇ ସେ କହିଛନ୍ତି, ଯେ ଆସନ୍ତା ଡିସେମ୍ବର ଆଡ଼କୁ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ଗିରଫ ହେବା କିମ୍ବା ମୃତ୍ୟୁଦଣ୍ଡ ଭୋଗିବାକୁ ପଡ଼ିଲେ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି। ଉଲ୍ଲେଖ କରାଯାଇପାରେ ଯେ, ଆଭ୍ୟନ୍ତରୀଣ ରାଜନୈତିକ ଘଟଣାପ୍ରବାହ ଓ ଯୁବବର୍ଗଙ୍କ ବିରୋଧର ସମ୍ମୁଖୀନ ହେବା ପରେ ୨୦୨୪ ଅଗଷ୍ଟରେ ହାସିନା ଭାରତ ପଳାଇ ଆସିଥିଲେ। ବାଂଲାଦେଶର ଇଣ୍ଟରନ୍ୟାଶନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ (ଆଇସିଟି) ତାଙ୍କ ବିରୋଧରେ ମୃତ୍ୟୁଦଣ୍ଡ ଶୁଣାଇଛି। ତାଙ୍କୁ ପ୍ରତ୍ୟର୍ପଣ କରିବା ଲାଗି ବାଂଲାଦେଶ ବହୁବାର ଅନୁରୋଧ କରିଥିଲେ ମଧ୍ୟ ଭାରତ ସରକାର କର୍ଣ୍ଣପାତ କରି ନ ଥିଲେ। ଏବେ ହାସିନାଙ୍କ ଘୋଷଣା ଆଶ୍ଚର୍ଯ୍ୟ କରୁଛି।
ହାସିନାଙ୍କ ପାଇଁ ଭାରତ ସ୍ବୀକାର କରିଥିବା ତ୍ୟାଗର ମୂଲ୍ୟ କ’ଣ ମିଳିଲା ବୋଲି ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଉତ୍ତରରେ କୁହାଯାଇପାରେ ଯେ, ହାସିନାଙ୍କ ଦୀର୍ଘ ଶାସନକାଳରେ ଭାରତ ଓ ବାଂଲାଦେଶ ମଧ୍ୟରେ ସୁରକ୍ଷା, ଯୋଗାଯୋଗ, ବାଣିଜ୍ୟ, ସୀମା ପରିଚାଳନା କ୍ଷେତ୍ରରେ ଅଭୂତପୂର୍ବ ସହଯୋଗ ମିଳିଥିଲା। ବିଶେଷକରି ଉତ୍ତର-ପୂର୍ବାଞ୍ଚଳରେ ସକ୍ରିୟ ବିଦ୍ରୋହୀ ଗୋଷ୍ଠୀଗୁଡ଼ିକ ସମ୍ପର୍କରେ ସେ ଅନେକ ସମସ୍ୟାର ସମାଧାନ କରିଥିଲେ ଏବଂ ନୂଆଦିଲ୍ଲୀର ନିକଟତମ ଆଞ୍ଚଳିକ ସହଯୋଗୀ ହୋଇଥିଲେ। ବାଂଲାଦେଶ ଆଦାନୀ ଏନର୍ଜୀଠାରୁ ବିଦ୍ୟୁତ୍ କିଣିବା ସମ୍ପର୍କରେ ମଧ୍ୟ ଚର୍ଚ୍ଚା ହୋଇଥାଏ।
ଭାରତବାସୀ ଅନୁଭବ କରୁଛନ୍ତି ଯେ, ଗତ କିଛିବର୍ଷ ହେବ ପଡ଼ୋଶୀଙ୍କ ସହ ନୂଆଦିଲ୍ଲୀର ସମ୍ପର୍କ ଖରାପ ହୋଇଚାଲିଛି। ଅପେକ୍ଷାକୃତ ଭାବେ ବାଂଲାଦେଶ ସହିତ ସମ୍ବନ୍ଧ ଭଲ ରହିଥିଲା। କିନ୍ତୁ ଭାରତ ସରକାର ହାସିନାଙ୍କୁ ସୁରକ୍ଷା ଦେବାକୁ ଯାଇ ବାଂଲାଦେଶ ଲୋକଙ୍କ ମନୋଭାବକୁ ପଢ଼ିବାରେ ସକ୍ଷମ ନ ହେବାରୁ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ରସାତଳକୁ ଗଲାଣି।
ଭାରତ ଏକ ବୃହତ୍ ଦେଶ ଭାବେ ତାହାର ପଡ଼ୋଶୀ ରାଷ୍ଟ୍ରର ସାଧାରଣ ଲୋକଙ୍କ ମନୋଭାବ ସମ୍ପର୍କରେ ଅବଗତ ରହିବା ବୁଦ୍ଧିମାନର କାମ ହୋଇଥାଆନ୍ତା। କୂଟନୈତିକ ଆଖି କାନ ଭାବେ ଦୂତାବାସଗୁଡ଼ିକ କାର୍ଯ୍ୟ କରିଥାଏ। ଆଜିର ଭାରତରେ ଦୂତାବାସ ଓ ସେଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେହି ଦେଶର ଆଭ୍ୟନ୍ତରୀଣ ପରିସ୍ଥିତି ସମ୍ପର୍କରେ ବୁଝିବା ପରିବର୍ତ୍ତେ ନୂଆଦିଲ୍ଲୀକୁ ଅନାଇ ବସିଥିବା ଭଳି ମନେହୁଏ। କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ସବୁ ଦେଶ ସହିତ ସମ୍ପର୍କ ଗଢ଼ାଯାଉଥିବାରୁ ସେଥିରେ କୂଟନୀତିର ଅଭାବ ରହିଯାଉଛି। ବାଂଲାଦେଶରେ ତାହାହିଁ ଘଟିଥିଲା। ଭାରତ ସରକାର କୌଣସି ଭାବେ ସଜାଗ ରହିବାକୁ ଇଚ୍ଛା କଲେ ନାହିଁ। ବାଂଲାଦେଶର ସାଧାରଣ ନାଗରିକଙ୍କ ହାସିନା ବିରୋଧୀ କ୍ରୋଧକୁ ଢାକାର ଭାରତୀୟ ଦୂତାବାସ ନିଶ୍ଚିତ ଭାବେ ହୃଦ୍ବୋଧ କରିଥିବ। କିନ୍ତୁ ନୂଆଦିଲ୍ଲୀର ଏକଜିଦିଆ ନୀତି ଯୋଗୁ ସଜାଗ ରହିବାକୁ କେହି ଆଗଭର ହୋଇ ନ ଥିବା ଭଳି ମନେହେଉଛି। ଜଣେ ହାସିନାଙ୍କ ପାଇଁ ଗୋଟିଏ ବ୍ୟବସାୟୀ ଲାଭବାନ ହୋଇପାରେ। କିନ୍ତୁ ବାଂଲାଦେଶ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀକୁ ଆଜି ଭାରତ ହରାଇ ବସିଛି।