ବନାଗ୍ନି

ବ୍ରାଜିଲର ଆମାଜନ ଜଙ୍ଗଲକୁ ବିଶ୍ୱର ଫୁସ୍‌ପୁସ୍‌ କୁହାଯାଇଥାଏ। ବିଡ଼ମ୍ବନାର ବିଷୟ ଯେ, ଆମାଜନରେ ଭୟଙ୍କର ନିଆଁ ଦୁଇ ବର୍ଷ ହେଲା ଲଗାତର ଜଳିଆସୁଛି। ଏହା ସେଠାକାର ବନ୍ୟପ୍ରାଣୀ ଓ ଜୈବମଣ୍ଡଳକୁ ଘୋର କ୍ଷତି ପହଞ୍ଚାଇ ଚାଲିଛି। ଏବେ ମଧ୍ୟ ସେହି ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ। ମିଳିଥିବା ତଥ୍ୟରୁ ଜଣାପଡ଼ିଛି ଯେ ଏହି ନିଆଁ ୨୦୧୯ ତୁଳନାରେ ୨୦୨୦ରେ ୨୮ ପ୍ରତିଶତ ବଢ଼ିଥିଲା। ସେହିପରି ଏଭଳି ଭୟଙ୍କର ନିଆଁ ଅଷ୍ଟ୍ରେଲିଆରେ ବ୍ୟାପକ କ୍ଷତି ଘଟାଇଥିଲା। ବିଶେଷକରି ୩୦୦ କୋଟି ଜନ୍ତୁଙ୍କ ଜୀବନ ଯାଇଥିଲା କିମ୍ବା ସ୍ଥାନଚ୍ୟୁତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଓଡ଼ିଶାର ଶିମିଳିପାଳ ଭାରତର ଅନ୍ୟତମ ସବୁଜ ଜଙ୍ଗଲସମ୍ପଦ ଭାବେ ଜଣାଶୁଣା ଥିବାବେଳେ ତାହା ଏବେ ହୁତୁହୁତୁ ହୋଇ ଜଳୁଛି। ଏତେବଡ଼ ବିଶାଳ ଜଙ୍ଗଲରେ ଦୁଇ ସପ୍ତାହ ଧରି ନିଅଁା ଲାଗିବାରୁ ବନ ସମ୍ପଦ କ୍ଷତିଗ୍ରସ୍ତ ହେବା ସହ ଅନେକ ବଣୁଆ ଜନ୍ତୁଙ୍କ ପ୍ରାଣହାନି ଘଟିଲାଣି। ନିଆଁ ଲିଭାଇବା ସକାଶେ ବନ ବିଭାଗ ପଦକ୍ଷେପ ନେଉଥିବା କହୁଥିଲେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଆସିପାରି ନାହିଁ। ଆହୁରି ଆଶ୍ଚର୍ଯ୍ୟର ବିଷୟ ଯେ ଦେଶବ୍ୟାପୀ ୧,୫୨୨ ଜଙ୍ଗଲ ଜଳୁଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ଏବେ ୯୧୮ରେ ପହଞ୍ଚିଲାଣି। ବାଲେଶ୍ୱରର କୁଲଡିହା, ଢେଙ୍କାନାଳର କପିଳାସ, ଅନୁଗୋଳର ହଣ୍ଡପା ରେଞ୍ଜ, ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ପାଲଲହଡ଼ା, କଳାହାଣ୍ଡିର ଜୁନାଗଡ଼ ରେଞ୍ଜ, ବୌଦ୍ଧର କଣ୍ଟାମାଳ, ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳକୁ ମିଶାଇ ରାଜ୍ୟର ୩୦ ଜିଲା ମଧ୍ୟରୁ ପ୍ରାୟ ୨୬ ଜିଲାରେ ଜଙ୍ଗଲ ନିଆଁ ଅସହ୍ୟ ସ୍ଥିତି ସୃଷ୍ଟି କଲାଣି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ) ତଥ୍ୟ ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ୩୦୦ରୁ ଊର୍ଦ୍ଧ୍ୱ ଜଙ୍ଗଲରେ ନିଆଁ ଲାଗିବା ଜଙ୍ଗଲ ସମ୍ପଦ ପ୍ରତି ବିପଦ ସୃଷ୍ଟି କରିଛି।
ଶିମିଳିପାଳରେ ନିଆଁ ଲାଗିବା ବିଷୟ ୩ ମାର୍ଚ୍ଚରେ ରାଷ୍ଟ୍ର ହେବା ପରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ବିଭାଗୀୟ ବରିଷ୍ଠ ଅଧିକାରୀଙ୍କଠାରୁ ରିପୋର୍ଟ ମାଗିଲେ। ଏପଟେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଲାଗି ଏକ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି। ଏଥିରେ ଡେରାଡୁନ୍‌ ଓ ହାଇଦ୍ରାବାଦର ୩ ବିଶେଷଜ୍ଞ ଅଛନ୍ତି। ଏମାନେ ଜଙ୍ଗଲ ନିଆଁର କାରଣ ଓ ନିରାକରଣ ନେଇ ସମୀକ୍ଷା କରିବେ ବୋଲି କୁହାଯାଇଛି। ଓଡ୍ରାଫ୍‌ ଟିମ୍‌କୁ ସମ୍ପୃକ୍ତ ଅଞ୍ଚଳକୁ ପଠାଯିବ ବୋଲି ରାଜ୍ୟ ସରକାର କହିଛନ୍ତି।
ବନାଗ୍ନିକୁ ରୋକିବା ଏକ ଜଟିଳ ବ୍ୟାପାର। ଏଥିରେ ବିଭିନ୍ନ ପ୍ରକାର ପ୍ରଚେଷ୍ଟା, ବିଶେଷଜ୍ଞଙ୍କ ସହ ସ୍ଥାନୀୟ ଅଧିବାସୀଙ୍କ ଯୋଗଦାନ ଏବଂ ପୂର୍ବର ବୈଜ୍ଞାନିକ ତଥା ବାସ୍ତବ ଅଭିଜ୍ଞତାକୁ ପାଥେୟକରି ଆଗକୁ ବଢ଼ିବାକୁ ପଡ଼େ। ଉଦାହରଣ ସ୍ବରୂପ, କେତେକ କ୍ଷେତ୍ରରେ କଣ୍ଟ୍ରୋଲ୍‌ଡ ବର୍ନିଂ ବା ନିୟନ୍ତ୍ରିତ ବନାଗ୍ନି ସୃଷ୍ଟି କରିବାକୁ ଯାଇ ନିଆଁ ଲଗାଇ ବନବିଭାଗ କରିଡର ସୃଷ୍ଟିକରେ, ଯେଉଁଥିରେ ନିଆଁ ଅପରପାର୍ଶ୍ୱର କରିଡରକୁ ଯାଇପାରେ ନାହିଁ। ଅର୍ଥାତ୍‌ ଘଞ୍ଚ ଅଞ୍ଚଳରେ ଏକ ବ୍ୟବଧାନ ବା ଗ୍ୟାପ୍‌ ସୃଷ୍ଟି ହୋଇଯାଏ।
ଜଙ୍ଗଲ ଜଳିବା ନେଇ ଅନେକ କାରଣ ରହିଛି। ବିଶେଷଜ୍ଞଙ୍କ ମତରେ ଶିକାରୀମାନେ ଜଙ୍ଗଲ ଭିତରକୁ ଯାଇ ବୁଲିବା ବେଳେ ବିଡି କିମ୍ବା ସିଗାରେଟ୍‌ ଖାଇ ଜଳୁଥିବା ଅବଶିଷ୍ଟାଂଶ ଫୋପାଡ଼ି ଦେଇ ଆସିଥାଆନ୍ତି। ଆଉ କେତେକେ ଉଦ୍ଦେଶ୍ୟମୂଳକ ଭାବେ ଅଙ୍ଗାର ସଂଗ୍ରହ କରିବାକୁ ଯାଇ ନିଆଁ ଲଗାଇ ଦେଉଛନ୍ତି। ଏହାଦ୍ୱାରା ଶିକାରୀଙ୍କୁ ଦୁଇ ପ୍ରକାର ଲାଭ ହେଉଛି। ଗୋଟିଏ ପଟେ ନିଆଁ ଲାଗିଯାଉଥିବାରୁ ବନ୍ୟଜନ୍ତୁମାନେ ଆରପଟକୁ ପ୍ରାଣ ବିକଳରେ ଦୌଡ଼ି ଆସିଥାଆନ୍ତି। ଏହାର ସୁଯୋଗ ନେଇ ଶିକାରୀ ତା’ ଲକ୍ଷ୍ୟ ହାସଲ କରିଥାଏ। ସେହିପରି କେନ୍ଦୁପତ୍ର ମୂଳିକୁ ଉଚ୍ଛେଦ କରାଗଲେ ସେହି ସ୍ଥାନରୁ ନୂଆ ଗଛ ଉଠିଥାଏ। କୁହାଯାଉଛି ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସରକାରୀ କର୍ମଚାରୀ ଏଥିସକାଶେ ନିଆଁକୁ ସହଜ ମାଧ୍ୟମ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ଓଡ଼ିଶା ଜଙ୍ଗଲରେ ଖରାଦିନେ ନିଆଁ ଲାଗିବା ସହଜ ହେଉଥିବାରୁ ଘଞ୍ଚ ବଣରେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଘାସ କଟାଯାଇଥାଏ। ହେଲେ ସେଭଳି ଆଗୁଆ ପଦକ୍ଷେପ ନିଆଯାଉ ନ ଥିବାରୁ ଜଙ୍ଗଲ ନିଆଁକୁ କରାୟତ୍ତ କରିବା କଷ୍ଟକର ହୋଇପଡ଼ୁଛି। ଓଡ଼ିଶାରେ ଚଳିତବର୍ଷ ତାପମାତ୍ରା ପୂର୍ବବର୍ଷ ଅପେକ୍ଷା ଫେବୃୟାରୀ-ମାର୍ଚ୍ଚରେ ବୃଦ୍ଧି ପାଇଛି। ଏଥିସହିତ ଶୀତ ଋତୁ ଗଲା ପରେ ବର୍ଷା ହୋଇ ନ ଥିବା ହେତୁ ଜଙ୍ଗଲ ଶୁଖିଲା ରହିଆସିଛି। ଫଳରେ ଏହା ବନାଗ୍ନିକୁ ବଢ଼ିବାରେ ଖୋରାକ ଯୋଗାଇଛି।
ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଦିନକୁ ଦିନ ବଢ଼ିବାରେ ଲାଗୁଥିବାରୁ ବନାଗ୍ନିର ପ୍ରଭାବ ମଣିଷ ଉପରେ ଅଧିକ ପଡ଼ିବ। କୋଭିଡ୍‌-୧୯ ଭଳି ଶ୍ୱାସକ୍ରିୟାଜନିତ ରୋଗକୁ ବନାଗ୍ନି ପରି ସ୍ଥିତି ଅଧିକ ମାରାତ୍ମକ କରିଦେବାର ଆଶଙ୍କା ମଧ୍ୟ ରହିଛି। ବନାଗ୍ନି କେବଳ ଯେ ପରିବେଶ, ବନ୍ୟଜନ୍ତୁ, ଜଙ୍ଗଲ ସମ୍ପଦ ପାଇଁ ବିପଦ ତାହା ନୁହେଁ, ମଣିଷର ସ୍ଥିତି ପ୍ରତି ଆହ୍ବାନ ସୃଷ୍ଟି କଲାଣି। ଏଭଳି ସ୍ଥଳେ ବହୁବିଧ ପଦକ୍ଷେପ ସହ ନିରନ୍ତର ଉଦ୍ୟମ ନିତାନ୍ତ ଜରୁରୀ। ଟାସ୍କଫୋର୍ସ ଗଢ଼ି କିଛିଦିନ ପାଇଁ ତଥ୍ୟ ସଂଗ୍ରହରେ ଲାଗିପଡ଼ିଲେ ସମସ୍ୟାର ସମାଧାନ ମିଳିପାରିବ ନାହିଁ। ଅନ୍ୟସବୁ ଦେଶରେ ଏଭଳି ସମସ୍ୟାର ପ୍ରତିକାର କିଭଳି କରାଯାଇଛି, ତାହା ଅନୁଧ୍ୟାନ କରି ସେଥିରୁ ଓଡ଼ିଶାରେ କେଉଁ ପଦ୍ଧତିସବୁ ଆପଣାଯାଇ ପାରିବ ସେ ଦିଗରେ ଅଭିଯାନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri