Categories: ଖେଳ

ବାଲାଦେବୀ, ମନୀଷାଙ୍କୁ ଏଆଇଏଫ୍‌ଏଫ୍‌ ପୁରସ୍କାର

ନୂଆଦିଲ୍ଲୀ, ୨୧।୭(ପି.ଟି.)-  ଭାରତୀୟ ଟିମ୍‌ ଫରଓ୍ବାର୍ଡ ବାଲାଦେବୀ ଏଆଇଏଫ୍‌ଏଫ୍‌ (ସର୍ବଭାରତୀୟ ଫୁଟ୍‌ବଲ ଫେଡେରେଶନ) ଓମେନ୍ସ ଫୁଟବଲର ଅଫ୍‌ ଦି ଇୟର ପୁରସ୍କାର ପାଇଛନ୍ତି। ଯୁବ ଖେଳାଳି ମନୀଷା କଲ୍ୟାଣ ୨୦୨୦-୨୧ ସିଜନ ପାଇଁ ଇମର୍ଜିଂ ପୁରସ୍କାର ହାସଲ କରିଛନ୍ତି। ବାଲାଦେବୀ ତୃତୀୟ ଥର ପାଇଁ ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ପୂର୍ବରୁ ସେ ୨୦୧୪ ଓ ୨୦୧୫ରେ ଏହି ପୁରସ୍କାର ହାସଲ କରିଥିଲେ। ସମ୍ପ୍ରତି ସ୍କଟ୍‌ଲାଣ୍ଡରେ ରେଞ୍ଜର୍ସ ଏଫ୍‌ସି ପକ୍ଷରୁ ବାଲା ଖେଳୁଛନ୍ତି। ଗତବର୍ଷ ଫେବୃୟାରୀରେ ଏହି କ୍ଲବ ପକ୍ଷରୁ ଖେଳିବା ଆରମ୍ଭ କରିଥିବା ବାଲା ଡିସେମ୍ବରରେ ପ୍ରଥମ ଗୋଲ ସ୍କୋର କରି ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ମହିଳା ଫୁଟ୍‌ବଲ ଖେଳାଳିଭାବେ ସେ ୟୁରୋପରେ ଚୁକ୍ତିଭିତ୍ତିରେ ପେସାଦାର ଫୁଟବଲ ଖେଳୁଛନ୍ତି। ପୁରସ୍କାର ଗ୍ରହଣ ଅବସରରେ ୩୧ ବର୍ଷୀୟା ବାଲା ରେଞ୍ଜର୍ସ କ୍ଲବ ଏବଂ ଜାତୀୟ ଦଳ ସହ ନିଜର ସମସ୍ତ କୋଚ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ବ୍ୟତୀତ ସେ ନିଜ ପରିବାରବର୍ଗ ଏବଂ ସାଥି ଖେଳାଳିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ଭୁଲି ନାହାନ୍ତି। ୧୯ ବର୍ଷୀୟା ମନୀଷା ପ୍ରଥମଥର ପାଇଁ ଏହି ପୁରସ୍କାର ପାଇଛନ୍ତି। ଏହା ତାଙ୍କୁ ଲକ୍ଷ୍ୟ ପଥରେ ଆଗେଇବାରେ ଉତ୍ସାହିତ କରିବ ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ୧୭ ଏବଂ ୧୯ ବର୍ଷରୁ କମ୍‌ ଭାରତୀୟ ଦଳରୁ ଖେଳିଥିବା ମନୀଷା ୨୦୧୯ରେ ହଂକଂ ବିପକ୍ଷରେ ସିନିୟର କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଦିନକୁ ଦିନ ତାଙ୍କ ପ୍ରଦର୍ଶନରେ ଉନ୍ନତି ଆସିବାରେ ଲାଗିଛି।

Share