Categories: ଖେଳ

‘ବାଲା ଦେବୀଙ୍କ ରେଞ୍ଜର୍ସ ମୁଭ୍‌ ଆଶୀର୍ବାଦ ସଦୃଶ’

ନୂଆଦିଲ୍ଲୀ: ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ତରଫରୁ ବାଲା ଦେବୀ ଖେଳିବା ଆଗାମୀ ପିଢ଼ି ପାଇଁ ଆଶୀର୍ବାଦ ସଦୃଶ ହେବ ବୋଲି ଭାରତୀୟ ମହିଳା ଫୁଟବଲ ଦଳର ଅଧିନାୟିକା ଆଶାଲତା ଦେବୀ କହିଛନ୍ତି। ଏହା ଦ୍ୱାରା ଅନ୍ୟ ଭାରତୀୟ ଫୁଟବଲରମାନେ ବିଦେଶରେ ଖେଳିବାକୁ ଉତ୍ସାହିତ ହେବେ।
ଚଳିତବର୍ଷ ପ୍ରାରମ୍ଭରେ ଫରଓ୍ବାର୍ଡ ବାଲା ଦେବୀ ଭାରତର ପ୍ରଥମ ମହିଳା ଖେଳାଳିଭାବେ କୌଣସି ୟୁରୋପିଆନ୍‌ କ୍ଲବ ସ୍କଟ୍‌ଲାଣ୍ଡର ରେଞ୍ଜର୍ସ ଓମ୍ୟାନ ଏଫ୍‌ସି ସହ ଖେଳିବାକୁ ଚୁକ୍ତି କରିଥିଲେ। ରେଞ୍ଜର୍ସ ତରଫରୁ ସେ ସ୍କଟିଶ୍‌ ଓମ୍ୟାନ ଲିଗ୍‌ ଖେଳୁଛନ୍ତି। ବାଲା ଦେବୀ ରେଞ୍ଜର୍ସ ତରଫରୁ ଖେଳିବା ଆଗାମୀ ପିଢ଼ିକୁ ରାସ୍ତା ଦେଖାଇବ। ଯୁବ ପିଢ଼ି ତାଙ୍କଠାରୁ ପ୍ରେରଣା ପାଇବେ। କେବଳ ବାଲା ଦେବୀ ନୁହନ୍ତି ଆଦିତି ଚୌହାନଙ୍କଠାରୁ ଯୁବପିଢ଼ି ବହୁତ କିଛି ଶିକ୍ଷା କରିପାରିବେ। ଏକ ଶ୍ରେଷ୍ଠ କ୍ଲବ ପାଇଁ ଖେଳିବା ଲକ୍ଷ୍ୟରେ ସବୁ ଫୁଟବଲର ଥାନ୍ତି। ଏଥିପାଇଁ ଖେଳାଳିମାନେ ଉତ୍ସର୍ଗୀକୃତ ମନୋଭାବ ସହ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି। ଭବିଷ୍ୟତରେ ଯୁବ ଫୁଟବଲରଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିବ ବୋଲି ଆଶାଲତା କହିଛନ୍ତି।
୨୦୧୯ରେ ଏଏଫ୍‌ସି ମହିଳା ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ଜିତିଥିବା ୨୭ ବର୍ଷୀୟା ସେଣ୍ଟରବ୍ୟାକ୍‌ ଆଶାଲତା ମଧ୍ୟ ଏକ ବିଦେଶୀ କ୍ଲବ୍‌ ତରଫରୁ ଖେଳିବା ପାଇଁ ଇଚ୍ଛା ଜାହିର କରିଛନ୍ତି। କିନ୍ତୁ ଏବେ ସେ ୨୦୨୨ ଏଏଫ୍‌ସି ଓମ୍ୟାନ୍ସ ଏସିଆନ୍‌ କପ୍‌ ଖେଳିବା ଉପରେ ଫୋକସ୍‌ କରିଛନ୍ତି। ଏହି ମେଗା ଇଭେଣ୍ଟକୁ ଭାରତ ଆୟୋଜନ କରିବ। ଦେଶ ଓ ଜାତୀୟ ଦଳ ପାଇଁ ଖେଳିବାକୁ ପ୍ରଥମିକତା ଦେବି। ଜୁନିୟର ଖେଳାଳିଙ୍କୁ ମୋର ଅଭିଜ୍ଞତା ଶେୟାର କରିବାକୁ ଚାହିଁବି ବୋଲି ଆଶାଲତା କହିଛନ୍ତି। ଦେଶ ପାଇଁ ସବୁ କିଛି ଯୋଗଦାନ ଦେବା ପରେ ଅବସର ଘୋଷଣା କରିବି। ଆସନ୍ତାବର୍ଷ ସେ ଦେଶ ପାଇଁ ଖେଳିବାରେ ଗୋଟିଏ ଦଶନ୍ଧି ପୂରଣ କରିବେ। ଭାରତୀୟ ମହିଳା ଫୁଟବଲରେ ହୋଇଥିବା ଦୃଷ୍ଟାନ୍ତମୂଳକ ଉନ୍ନତିରେ ଆଶାଲତାଙ୍କ ଯଥେଷ୍ଟ ଯୋଗଦାନ ରହିଛି। ୨୦୧୯ରେ ଆୟୋଜକ ନେପାଳକୁ ହରାଇ ସାଫ୍‌ ଟାଇଟଲ ଜିତିବା ମୋ ପାଇଁ ସବୁଠାରୁ ବଡ଼ ଉପଲବ୍ଧି ଥିଲା ଓ ଏହା ଅଭୁଲା ହୋଇ ରହିବ ବୋଲି ସେ କୁହନ୍ତି।

Share