ନୀଳାଚଳକୁ ବାହୁଡ଼ିବେ ମହାବାହୁ

ପୁରୀ ଅଫିସ, ୧୯।୭: ମଙ୍ଗଳବାର ବାହୁଡ଼ା ଯାତ୍ରା। ଜନ୍ମବେଦି ଛାଡ଼ି ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ରଥ ଓ ପଥ ପ୍ରସ୍ତୁତ ହୋଇଥିବାବେଳେ ସେବାୟତମାନେ ରଥ ଟାଣିନେବାକୁ ଅପେକ୍ଷା କରି ରହିଛନ୍ତି। ବିନା ଭକ୍ତରେ ବାହୁଡ଼ା ଯାତ୍ରା ହେବ। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ସୋମବାର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସମର୍ଥ ବର୍ମା ଏବଂ ଏସ୍‌ପି କନୱର ବିଶାଲ ସିଂଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଓ ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମେତ ସୁନାବେଶ ପ୍ରସଙ୍ଗରେ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ବାହୁଡ଼ା ଯାତ୍ରା ଦିନ ଭୋର ୪ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଆରମ୍ଭ ହେବ। ୫ଟାରେ ଅବକାଶ ପୂଜା ସରିବ। ପରବର୍ତ୍ତୀ ନୀତିକାନ୍ତି ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୨ଟା ୩୦ ସୁଦ୍ଧା ପହଣ୍ଡି ସରି ୩ଟା ୩୦ ପର୍ଯ୍ୟନ୍ତ ଛେରାପହଁରା ନୀତି ହେବ। ଚାରମାଳ ଫିଟିବା ଓ ଘୋଡ଼ା ଲାଗିବା କାର୍ଯ୍ୟ ୩ଟାରେ ଆରମ୍ଭ ହୋଇ ୪ଟା ସୁଦ୍ଧା ସରିବ। ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। କେବଳ ସେବାୟତମାନେ ରଥ ଟାଣିବେ। ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାଇଁ ରଥଯାତ୍ରା ଭଳି ସମସ୍ତ ବ୍ୟବସ୍ଥା କରାଯିବ।

ପୁରୀ ସହରରେ ସୋମବାର ରାତି ୮ଟାରୁ କର୍ଫ୍ୟୁ ଜାରି ହୋଇଥିବାବେଳେ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।