ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଭାରତୀୟ ଅଣସିଡ୍ ଯୋଡ଼ି କ୍ୱାର୍ଟର ଫାଇନାଲରେ ଚାଇନାର ଜିଆ ୟି ଫାନ୍ ଓ ଝାଙ୍ଗ୍ ଶୁ ଜିଆନ୍ଙ୍କୁ ୧୬-୨୧, ୨୧-୧୫, ୨୧-୧୩ରେ ହରାଇ ଦେଇଛନ୍ତି। ଏହା ହେଉଛି ସେମାନଙ୍କ କ୍ୟାରିୟରର ଅନ୍ୟତମ ବଡ଼ ବିଜୟ।
ସେମିଫାଇନାଲରେ ପ୍ରବେଶ ଦ୍ୱାରା ତ୍ରିସା-ଗାୟତ୍ରୀ ଯୋଡ଼ି ଅତିକମ୍ରେ ଏକ ବ୍ରୋଞ୍ଜ ପଦକ ପକ୍କା କରିଛନ୍ତି। ଭାରତ ଗତଥର ୨୦୧୧ରେ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନଶିପ୍ ମହିଳା ଡବଲ୍ସରେ ଏକ ପଦକ ହାସଲ କରିଥିଲା। ସେତେବେଳେ ଲଣ୍ଡନରେ ଜ୍ୱାଲା ଗୁଟ୍ଟା ଓ ଅଶ୍ୱିନ ପୋନ୍ନାପ୍ପା ଯୋଡ଼ି ବ୍ରୋଞ୍ଜ୍ ଜିତିଥିଲା।
ସୂଚନାଯୋଗ୍ୟ, ଅତୀତରେ ତ୍ରିସା ଓ ଗାୟତ୍ରୀ ୨୦୨୨ ଓ ୨୦୨୩ ଅଲ୍ ଇଂଲଣ୍ଡ ଆଣ୍ଡ ଓପନ୍ ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମାନେ ଆହୁରି ମଧ୍ୟ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଗତବର୍ଷ ସେମାନେ ର଼୍ୟାଙ୍କିଙ୍ଗ୍ ତାଲିକାର ଟପ୍ ୧୦ରେ ପ୍ରବେଶ କରିଥିଲେ। ତେବେ ଚଳିତବର୍ଷ ପ୍ରାରମ୍ଭରେ ଏସିଆ ବ୍ୟାଡ୍ମିଣ୍ଟନ ଚାମ୍ପିୟନଶିପ୍ ଓ ଉବର କପ୍ ପୂର୍ବରୁ ଟ୍ରେନିଂ ବେଳେ ତ୍ରିସାଙ୍କ ପାଦରେ ଆଘାତ ଲାଗିଥିଲା। ରିହାବିଲିଟେଶନ ପରେ ତ୍ରିସା ଓ ଗାୟତ୍ରୀ ଇଣ୍ଡୋନେସିଆ ଓପନ୍ ଏବଂ ୟୁଏସ୍ ଓପନ୍ ଖେଳିଥିଲେ। ଚଳିତମାସ ପ୍ରାରମ୍ଭରେ ସେମାନେ ଫିଲିପିନ୍ ଇଣ୍ଟରନ୍ୟାଶନାଲ ଚ୍ୟାଲେଞ୍ଜରେ ଅଂଶଗ୍ରହଣ କରିଥିଲେ।

