‘ଦି ଚିପ୍‌କୋ ମୁଭମେଣ୍ଟ’ ଲେଖକ

– ଜିତେନ୍ଦ୍ର କୁମାର ନାୟକ

 

ଦ୍ରୁତ ଜଙ୍ଗଲକ୍ଷୟ ରୋକିବା ଓ ପରିବେଶ ସଚେତନତା ଦିଗରେ ଉତ୍ତରାଖଣ୍ଡ (ଉତ୍ତରପ୍ରଦେଶର ଏକ ଅଂଶ ଥିଲା)ରେ ୧୯୭୩ରେ ଆରମ୍ଭ ହୋଇଥିବା ‘ଚିପ୍‌କୋ ମୁଭମେଣ୍ଟ’ ବା ‘ଚିପ୍‌କୋ ଆନ୍ଦୋଳନ’ ସେତେବେଳେ ବିଶ୍ୱକୁ ନୂଆ ଦିଗ ଦେଖାଇଥିଲା। ବୃକ୍ଷକୁ ବଞ୍ଚାଇବା ସକାଶେ ଯେଉଁ ଅହିଂସା ଅଭିଯାନ ହୋଇଥିଲା, ତାହାର ପୁରୋଧା ଥିଲେ ଗାନ୍ଧୀ ଆଦର୍ଶବାଦୀ ବିଶିଷ୍ଟ ପରିବେଶବିତ୍‌ ସୁନ୍ଦରଲାଲ ବହୁଗୁଣା। ଏବର ପିଢ଼ି ଯଦି ଚିପ୍‌କୋ ଆନ୍ଦୋଳନର ସେହି ସମୟର ଚିତ୍ରକୁ ଖୋଜିବେ ସେମାନେ ଦେଖିବାକୁ ପାଇବେ ମହିଳାମାନେ କିଭଳି ଗଛକୁ ବଞ୍ଚାଇବା ପାଇଁ ତାହାକୁ ଜାବୁଡ଼ି ଧରିଥିଲେ। ଏ ବିଷୟରେ ଆଲୋଚନା ହେଲା ବେଳେ ସୁନ୍ଦରଲାଲ ବହୁଗୁଣା ଓ ରମଣ ମାଗସେସେ ପୁରସ୍କାର ବିଜେତା ଚଣ୍ଡିପ୍ରସାଦ ଭଟ୍ଟଙ୍କ ସହ ଅନେକ ପରିବେଶବିତ୍‌ଙ୍କ କଥା ଉଠିଥାଏ। କିନ୍ତୁ ଯେଉଁ ସାଧାରଣ ମହିଳା ଓ ପୁରୁଷ ଏହାକୁ ଏକ ମିଶନ ଭାବେ ନେଇ ଜଙ୍ଗଲ ସୁରକ୍ଷା ଓ ହିମାଳୟ ଜୈବବିବିଧତାକୁ ବଜାୟ ରଖିବା ଦିଗରେ ନିଜକୁ ନିୟୋଜିତ କରି ଆନ୍ଦୋଳନକୁ ସଫଳ କରିଥିଲେ, ସେହିମାନଙ୍କ କଥା କ୍ୱଚିତ ଶୁଣିବାକୁ ମିଳେ। ହେଲେ ଏବେ ସେହି ଗଛ ଆଢ଼ୁଆଳରେ ରହିଯାଇଥିବା ବ୍ୟକ୍ତିଙ୍କ କାହାଣୀ ଓ ଅବଦାନକୁ ଉତ୍ତରାଖଣ୍ଡର ଐତିହାସିକ, ଲେଖକ ତଥା ଶିକ୍ଷାବିତ୍‌ ଶେଖର ପାଠକ ତାଙ୍କ ପୁସ୍ତକ ‘ଦି ଚିପ୍‌କୋ ମୁଭମେଣ୍ଟ’ରେ ସ୍ଥାନ ଦେଇଛନ୍ତି। ତାଙ୍କ ବର୍ଣ୍ଣନା ଅତି ଜୀବନ୍ତ ହୋଇଥିବାରୁ ସେ ‘କମଳାଦେବୀ ଚଟ୍ଟୋପାଧ୍ୟାୟ ଏନ୍‌ଆଇଏଫ୍‌ ବୁକ୍‌ ପ୍ରାଇଜ୍‌ ୨୦୨୨’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ବୋଲି ନ୍ୟୁ ଇଣ୍ଡିଆ ଫାଉଣ୍ଡେଶନ (ଏନ୍‌ଆଇଏଫ୍‌) ପକ୍ଷରୁ ନିକଟରେ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, ଏହି ପୁରସ୍କାର ୨୦୧୮ରେ ପ୍ରତିଷ୍ଠା କରାଯାଇଥିଲା। ସ୍ବାଧୀନତା ସଂଗ୍ରାମରେ ମହିଳା ଆନ୍ଦୋଳନ, ଶରଣାର୍ଥୀ ଥଇଥାନ ଓ ହସ୍ତଶିଳ୍ପ ପ୍ରସାର ଦିଗରେ କମଳାଦେବୀଙ୍କ ଭୂମିକା ଥିଲା ଅନନ୍ୟ। ତେବେ ଆଧୁନିକ ଓ ସମକାଳୀନ ଭାରତ ଉପରେ ବାସ୍ତବଧର୍ମୀ ଲେଖାକୁ ମାନ୍ୟତା ଦେବା ଲାଗି ଏହାର ଲେଖକଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯାଇଆସୁଛି। ଶେଖର ପାଠକଙ୍କୁ ୨୦୨୨ ସମ୍ମାନ ଦିଆଯିବାର ବିଶେଷତ୍ୱ ବହନ କରୁଥିବା ମୁଖ୍ୟ କାରକ ହେଲା ଚିପ୍‌କୋ ମୁଭମେଣ୍ଟ ଉପରେ ତାଙ୍କର ଗଭୀର ଅନ୍ତର୍ଦୃଷ୍ଟି। ସାମୂହିକ ପଦକ୍ଷେପର ରୂପାନ୍ତରଣ ଶକ୍ତି କିଭଳି ପ୍ରାମାଣିକ ଅନୁସ୍ମାରକ ବହନ କରିଥାଏ, ତାହା ଏହି ପୁସ୍ତକରୁ ସ୍ପଷ୍ଟ ପ୍ରତୀତ ହୋଇଛି ବୋଲି ବିଚାରକମଣ୍ଡଳୀ ମତବ୍ୟକ୍ତ କରିଛନ୍ତି। ସେମାନଙ୍କ ମତରେ ଏହା କେବଳ ଏକ ସମୟର ଇତିହାସକୁ ସୂଚାଉ ନାହିଁ, ବରଂ ପରିବେଶ ଓ ଗଣତନ୍ତ୍ର ସମ୍ମୁଖୀନ ହେଉଥିବା ସଙ୍କଟକୁ ଦର୍ଶାଇଛି। ଏଭଳି ଅନୁଶୀଳନ କରିଥିବା ଚଳିତବର୍ଷର ୬ ବିଚାରକମଣ୍ଡଳୀ ହେଲେ-ରାଜନୀତି ବିଜ୍ଞାନୀ ତଥା ଲେଖକ ନିର୍‌ଜା ଗୋପାଳ ଜୟାଲ, ଉଦ୍ୟୋଗୀ ମନୀଷ ସଭରଓ୍ବାଲ, ଐତିହାସିକ-ଲେଖକ ଶ୍ରୀନାଥ ରାଘବନ, ଐତିହାସିକ-ଲେଖକ ନୟନଜ୍ୟୋତ୍‌ ଲାହିରି, ପୂର୍ବତନ କୂଟନୀତିଜ୍ଞ-ଲେଖକ ନଭ୍‌ତେଜ୍‌ ସର୍‌ନା ଏବଂ ଆଟର୍ନି-ଲେଖକ ରାହୁଲ ମଟ୍ଟହାନ୍‌।
ଦୀର୍ଘବର୍ଷ ପରେ ଚିପ୍‌କୋ ଆନ୍ଦୋଳନ ବିଷୟରେ ପୁନଶ୍ଚ ଚର୍ଚ୍ଚା କରିବା ଲାଗି ଅବସର ସୃଷ୍ଟି କରିଥିବା ଶେଖର ପାଠକଙ୍କ ଜନ୍ମ ଡେରାଡୁନ୍‌ରେ ୧୯୪୮ରେ ହୋଇଥିବା ଜଣାପଡ଼େ। ସେ ନୈନିତାଲସ୍ଥିତ କୁମାୟୁନ୍‌ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଥିଲେ। କିନ୍ତୁ ୧୯୭୪, ୧୯୮୪, ୧୯୯୪ ଓ ୨୦୦୪ ଯାଏ ପ୍ରତି ୧୦ ବର୍ଷରେ ଥରେ ହିମାଳୟ ପରିରକ୍ଷଣ ଦିଗରେ ପଦଯାତ୍ରାରେ ଯାଇଥାଆନ୍ତି। ତାହା ଅସକଟ୍‌-ଅରାକଟ୍‌ରୁ ଆରମ୍ଭ ହୋଇଥାଏ। ସୂଚନା ଦିଆଯାଇପାରେ ଯେ, ୧୯୭୪ରେ କେତେଜଣ ଯୁବକ ପ୍ରକୃତି ଓ ପର୍ବତ ସୁରକ୍ଷା ଦିଗରେ ଏହି ପଦଯାତ୍ରା ଆରମ୍ଭ କରିଥିଲେ। ଏହା ଏବେ ୫ ଦଶନ୍ଧି ଦେଖି ଏକ ଅଭିଯାନରେ ପରିଣତ ହୋଇଯାଇଛି। ଶିକ୍ଷାଦାନ ସହ ପରିବେଶ ପ୍ରତି ତାଙ୍କ ପ୍ରତିବଦ୍ଧତା ଶେଖରଙ୍କୁ ଏକ ସଙ୍ଗଠନ ଗଢ଼ିବାକୁ ପ୍ରେରଣା ଦେଇଥିଲା। ହିମାଳୟ ଲୋକଙ୍କ ଉପରେ ଗବେଷଣା କରିବା ଲାଗି ୧୯୮୩ରେ ଗଢ଼ାଯାଇଥିବା ନୈନିତାଲଭିତ୍ତିକ ଅଣଲାଭଦାୟକ ସଂସ୍ଥା ପିପୁଲ୍ସ ଆସୋସିଏସନ୍‌ ଫର୍‌ ହିମାଲୟ ଏରିଆ ରିସର୍ଚ୍ଚ (ପାହାର)ର ସେ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ତାଙ୍କ କାର୍ଯ୍ୟ ବିଶ୍ୱସ୍ତରୀୟ ସଙ୍ଗଠନକୁ ଆକର୍ଷିତ କରିଛି। ୨୦୦୨ ଏପ୍ରିଲରେ ସିକ୍କିମ୍‌ର ୟୁକ୍‌ସୋମଠାରେ ଅନୁଷ୍ଠିତ ଓ୍ବାର୍ଲଡ ମାଉଣ୍ଟେନ୍‌ ପିପୁଲ ଆସୋସିଏସନ୍‌ର ଏସିଆ ବୈଠକରେ ଶେଖର ଭାରତୀୟ ଚାପ୍ଟରର ଜାତୀୟ ସଂଯୋଜକ ଦାୟିତ୍ୱ ନେବା ଲାଗି ବଛାଯାଇଥିଲେ। ରମଣ ମାଗ୍‌ସେସେ ପୁରସ୍କାର ବିଜେତା ଚଣ୍ଡିପ୍ରସାଦ ଭଟ୍ଟଙ୍କ ସହ ମିଶି ହିମାଳୟ ଲୋକଙ୍କ ଉପରେ ଗବେଷଣା କରିବା ଲାଗି ୩ ବର୍ଷିଆ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଖର ଲେହରୁ ଅରୁଣାଚଳ ପ୍ରଦେଶ ଯାତ୍ରା କରିଥିଲେ। ୨୦୦୭ରେ ଭାରତ ସରକାରଙ୍କ ‘ପଦ୍ମଶ୍ରୀ’ ସମ୍ମାନ ସହ ଅନେକ ପୁରସ୍କାର ପାଇଥିବା ଶେଖର ପ୍ରକୃତି, ପରିବେଶ, ପାହାଡ଼ ଓ ଏହା କଡ଼େ କଡ଼େ ବାସ କରୁଥିବା ଲୋକଙ୍କ ଉପରେ ଅନବରତ କାର୍ଯ୍ୟ କରି ସମାଜ ଆଗରେ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।