Categories: ଖେଳ

ଅଷ୍ଟ୍ରେଲିଆ- ଜିମ୍ବାଓ୍ବେ ଦିନିକିଆ ସିରିଜ ସ୍ଥଗିତ

ମେଲବୋର୍ନ,୩୦।୬(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉ ଏକ ସିରିଜ୍‌ ପ୍ରଭାବିତ ହୋଇଛି। ଅଷ୍ଟ୍ରେଲିଆ ଓ ଜିମ୍ବାଓ୍ବେ ମଧ୍ୟରେ ଆୟୋଜନ ହେବାକୁ ଥିବା ଦିନିକିଆ ସିରିଜକୁ ଏହି ମହାମାରୀ ପାଇଁ ସ୍ଥଗିତ ରଖିବାକୁ ଦୁଇ ଦେଶର ବୋର୍ଡ ମିଳିତ ଭାବେ ମଙ୍ଗଳବାର ସହମତିରେ ନିଷ୍ପତ୍ତି ନେଇଛନ୍ତି।
୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଆସନ୍ତା ଅଗଷ୍ଟରେ ଖେଳାଯିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଅଷ୍ଟ୍ରେଲିଆରେ କୋଭିଡ୍‌-୧୯ ମହାମାରୀ ପୁଣିଥରେ ସଂକ୍ରମଣର ଶୀର୍ଷରେ ପହଞ୍ଚିଛି। ଅଷ୍ଟ୍ରେଲିଆରେ ଏପର୍ଯ୍ୟନ୍ତ ୭୫୦୦ଜଣ କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି ଓ ୭,୦୦୦ ସୁସ୍ଥ ହୋଇଛନ୍ତି। ତେବେ ଗତ କିଛିଦିନ ମଧ୍ୟରେ ୧୦୪ ଜଣ ମୃତ୍ୟୁବରଣ କରିଛନ୍ତି। ଦୁଇ ଦେଶର ବୋର୍ଡ ସିରିଜ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି କ୍ରିକେଟ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ଖେଳାଳି, ମ୍ୟାଚ୍‌ ଅଫିସିଆଲ ଓ ଭଲ୍ୟୁଣ୍ଟିୟର୍ସଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ସିରିଜ ସ୍ଥଗିତ ରଖିବା ନିଷ୍ପତ୍ତି ପୂରା ଠିକ୍‌ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ନିକ୍‌ ହୋକ୍‌ଲି କହିଛନ୍ତି। ତେବେ ସିରିଜ ସ୍ଥଗିତ ନିଷ୍ପତ୍ତି ନିହାତିଭାବେ ନିରାଶଜନକ। କ୍ରିକେଟର, ମ୍ୟାଚ୍‌ ଅଫିସିଆଲ, ଭଲ୍ୟୁଣ୍ଟିୟର୍ସ ଓ ପ୍ରଶଂସକଙ୍କ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେବାକୁ ହେଲା ବୋଲି ସେ କହିଛନ୍ତି। ଏହି ସିରିଜ ଆୟୋଜନ କରିବାକୁ ଏବେ ଜିମ୍ବାଓ୍ବେ କ୍ରିକେଟ ସହ ଆମେ କାର୍ଯ୍ୟକରିବୁ ଓ ନୂଆ ତାରିଖ ଧାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।
ବିଦେଶରୁ ଅଷ୍ଟ୍ରେଲିଆରେ ପହଞ୍ଚୁଥିବା ଖେଳାଳିଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବା ବାଧ୍ୟତାମୂଳକ କରାଯାଇଛି। ୨୦୦୩- ୦୪ ପରଠାରୁ ଜିମ୍ବାଓ୍ବେ ଅଷ୍ଟ୍ରେଲିଆ ଗସ୍ତ କରିନାହିଁ। ତେବେ ୨୦୧୪ରେ ହରାରେ ମାଇକେଲ କ୍ଲାର୍କଙ୍କ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ଘରୋଇ ଜିମ୍ବାଓ୍ବେକୁ ଏକ ତ୍ରିରାଷ୍ଟ୍ରୀୟ ସିରିଜରେ ପରାସ୍ତ କରିଥିଲା। ସିରିଜର ନୂଆ କାର୍ଯ୍ୟସୂଚୀ ନେଇ କ୍ରିକେଟ ଅଷ୍ଟ୍ରେଲିଆ ସହ କାର୍ଯ୍ୟକରିବୁ ବୋଲି ଜିମ୍ବାଓ୍ବେ କ୍ରିକେଟ କାର୍ଯ୍ୟକାରୀ ମ୍ୟାନେଜର ଗିଭମୋର ମାକୋନୀ କହିଛନ୍ତି।

Share