Categories: ଖେଳ

ସେଲ୍ଫ ଆଇସୋଲେଶନରେ ଅଷ୍ଟ୍ରେଲିଆ ଅଧିନାୟକ ପେନ୍‌

ସିଡ୍‌ନୀ: ଆଡିଲେଡ୍‌ରେ କୋଭିଡ୍‌ର ସାନି ପ୍ରକୋପ ଦେଖାଦେଇଛି। ଅଧିନାୟକ ଟିମ୍‌ ପେନ୍‌ଙ୍କ ସମେତ ଅଷ୍ଟ୍ରେଲିଆ କ୍ରିକେଟ ଦଳର ସମସ୍ତ ଖେଳାଳି ତୁରନ୍ତ ସେଲ୍ଫ ଆଇସୋଲେଶେନରେ ରହିଛନ୍ତି। ଏହା ସତ୍ତ୍ୱେ କାର୍ଯ୍ୟସୂଚୀ ଅନୁସାରେ ଡିସେମ୍ବର ୧୭ରୁ ଏଠାରେ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ଦେଶର କ୍ରିକେଟ ବୋର୍ଡ ଦୃଢ଼ତାର ସହ କହିଛି। ଆଡିଲେଡ୍‌ରେ କୋଭିଡ୍‌ ସଂକ୍ରମଣ ଦେଖିବାକୁ ମିଳିବା ପରେ ସାଉଥ ଅଷ୍ଟ୍ରେଲିଆର ସୀମାକୁ ଲାଗି ରହିଥିବା ଅନ୍ୟ ରାଜ୍ୟଗୁଡ଼ିକ ଯଥା ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ, ଟାସମାନିଆ ଏବଂ ନର୍ଦର୍ନ ଟେରିଟୋରି ସେମାନଙ୍କ ସୀମାକୁ ବନ୍ଦ କରିଦେଇଛନ୍ତି। ଆଡିଲେଡ୍‌ରୁ ଆସିଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୋମବାରଠାରୁ ୧୪ଦିନ ହୋଟେଲ କ୍ୱାରାଣ୍ଟାଇନ୍‌ରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଡିଲେଡ୍‌ରେ ରବିବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ରହିଥିବାବେଳେ ସୋମବାର ଏହା ୧୭ରେ ପହଞ୍ଚତ୍ଛି। କ୍ରିକେଟ ଅଷ୍ଟ୍ରେଲିଆ ପରିସ୍ଥିତି ଉପରେ ନଜର ରଖିଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ରହିଛି। ନଭେମ୍ବର ୯ ପରେ ସାଉଥ ଅଷ୍ଟ୍ରେଲିଆରୁ ଫେରିଥିବା ଟାସମାନିଆ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଏବେ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ଫଳସ୍ବରୂପ ନିକଟରେ ସାଉଥ ଅଷ୍ଟ୍ରେଲିଆରେ ଶେଫିଲ୍ଡ ଶିଲ୍‌ଡର ପ୍ରଥମ ରାଉଣ୍ଡ ମ୍ୟାଚଗୁଡ଼ିକ ଶେଷ କରିଥିବା ଟାସ୍‌ମାନିଆ ଦଳର ପେନ୍‌, ମାଥ୍ୟୁ ଓ୍ବେଡ୍‌ ଏବଂ ସେମାନଙ୍କ ଟିମ୍‌ମେଟ୍‌ଙ୍କୁ ଆଇସୋଲେଶନରେ ରହିବାକୁ ହୋଇଛି। କ୍ରିକେଟ ଟାସମାନିଆର ଜଣେ ମୁଖପାତ୍ର କହିଛନ୍ତି, ଟାସମାନିଆନ ଟାଇଗର୍ସ ଶେଫିଲ୍ଡ ଶିଲ୍ଡ ଦଳ ବର୍ତ୍ତମାନ ସେଲ୍ଫ ଆଇସୋଲେଶନରେ ରହିଛି। ସେମାନେ ସାଧାରଣ ସ୍ବାସ୍ଥ୍ୟ ବିଭାଗର ପରବର୍ତ୍ତୀ ପରାମର୍ଶ ଅପେକ୍ଷାରେ ଅଛନ୍ତି। ଖେଳାଳି ଏବଂ ଷ୍ଟାଫ୍‌ଙ୍କର କୋଭିଡ୍‌ ସ୍ବାବ୍‌ ଟେଷ୍ଟ ସୋମବାର କରାଯାଇଛି। ଭାରତୀୟ ଦଳ ଏବଂ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିମାନେ ସିଡ୍‌ନୀରେ ଗୁରୁବାରଠାରୁ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ (ଏସ୍‌ସିଜି)ରେ ନଭେମ୍ବର ୨୭ରୁ ଆରମ୍ଭ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିଆ ସିରିଜର ଦିନକ ପୂର୍ବରୁ ଆଇସୋଲେଶନ ଶେଷ ହେବ। ସିଡ୍‌ନୀରେ ପ୍ରଥମ ଦୁଇ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବାକୁ ଥିବାବେଳେ କାନବେରାଠାରେ ୩ୟ ଦିନିକିଆ ଏବଂ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ଅନୁଷ୍ଠିତ ହେବ। ଅବଶିଷ୍ଟ ଦୁଇ ଟି୨୦ ସିଡ୍‌ନୀଠାରେ ଖେଳାଯିବ। ଟେଷ୍ଟ ସିରିଜ ପୂର୍ବରୁ ଭାରତ ସିଡ୍‌ନୀଠାରେ ଅଷ୍ଟ୍ରେଲିଆ ଏ’ ବିପକ୍ଷରେ ଦୁଇଟି ଓ୍ବାର୍ମଅପ୍‌ ମ୍ୟାଚ ଖେଳିବ। ପ୍ରଥମଟି ଡିସେମ୍ବର ୬ରୁ ୮ ଏବଂ ପରେ ଦ୍ୱିତୀୟଟି ଏକ ଦିବାରାତ୍ର ମ୍ୟାଚ ଡିସେମ୍ବର ୧୧ରୁ ୧୩ ଏସସିଜିରେ ଖେଳାଯିବ। ପ୍ରଥମ ଟେଷ୍ଟରେ ମୋଟ ଆସନର ହାରାହାରି ୫୦ ପ୍ରତିଶତ ଦର୍ଶକଙ୍କୁ ସୁଯୋଗ ମିଳିବ। ଫଳରେ ଦୈନିକ ପ୍ରାୟ ୨୭,୦୦୦ ଟିକେଟ ଉପଲବ୍ଧ ହେବ।୍‌

Share