ଗଞ୍ଜାମ,୧୦।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ତ୍ରିବେଣୀ ମଠ ଛକରେ ଦୀର୍ଘ ୭୦ ବର୍ଷ ହେବ ରହି ଆସୁଛନ୍ତି ପୂଜକ କନ୍ଧ ଶତପଥୀ ଓ ତାଙ୍କ ପରିବାର । ପୂଜକଙ୍କ ଘର ଉଚ୍ଛେଦ ପାଇଁ ଦୀର୍ଘ ବର୍ଷ ହେବ ପ୍ରୟାସ କରାଯାଉଥିଲେ ମଧ୍ୟ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଓ ଦେବୋତ୍ତର ବିଭାଗ ନିରାଶ ହୋଇଛନ୍ତି । ପୋଲିସ ଫୋର୍ସ ସହ ଦେବୋତ୍ତର ବିଭାଗ, ତହସିଲ ଓ ପୋଲିସ ପ୍ରଶାସନ ପ୍ରମୁଖ ପୂଜକଙ୍କ ଘର ପାଖରେ ପହଞ୍ଚି ଘର ଉଚ୍ଛେଦ ନିମନ୍ତେ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଶୀଘ୍ର ଘର ଖାଲି କରିବାକୁ ପୂଜକଙ୍କ ପରିବାରଙ୍କୁ କହିଥିଲେ ।
ଶୁଣିବା ପରେ ପୂଜକ ଶତପଥୀ ଓ ତାଙ୍କ ସ୍ତ୍ରୀ ଘର ଆଗରେ ବସି ରହିଥିଲେ । ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଥିଲେ ମଧ୍ୟ ୨୦୧୬ରେ ସରକାର ଗ୍ରାମକଣ୍ଟକ ପଟ୍ଟା ପ୍ରଦାନ କାହିଁକି ପ୍ରଦାନ କରିଛନ୍ତି ବୋଲି ପୂଜକଙ୍କ ଓକିଲ ଦିଲ୍ଲୀପ କୁମାର ପଟ୍ଟନାୟକ ଯୁକ୍ତି କରିଥିଲେ । ଏହିସହ କିଛି ଦିନ ମହାଲତ ଦେବା ନିୟମ ଥିବା ଦାବି କରିଥିଲେ ପୂଜକଙ୍କ ଓକିଲ ଆଇନଜୀବୀ ପଟ୍ଟନାୟକ । ଓକିଲଙ୍କ ଯୁକ୍ତିକୁ ଯଥାର୍ଥ କହି କେମିତି ଘର ଭାଙ୍ଗିଦେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଏହାକୁ ନେଇ ପ୍ରଶାସନ ଠାରେ ଘୋର ବିରୋଧ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅତିରିକ୍ତ ତହସିଲଦାର ଲିଲି କୁମାରୀ, ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ, ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ଏଡିସନାଲ ଆଇଆଇସି ଶୁଭଲକ୍ଷ୍ମୀ କଅଁର, ଏସ ଆଇ ଅନିରୁଦ୍ଧ ସ୍ୱାଇଁ, ଏଏସଆଇ ସୁଦୀପ୍ତ କୁମାର ସାହୁ, ମହିଳା ଏଏସଆଇ ସୁପ୍ରଭା ସାହୁ ପ୍ରମୁଖ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ l
ଦୀର୍ଘ ସମୟ ଧରି ଦେବୋତ୍ତର ବିଭାଗ କର୍ମଚାରୀ, ତହସିଲ ଓ ପୋଲିସ ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ପରେ ଖବର ପାଇ ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଘଟଣାସ୍ଥଳରେ ପହଞ୍ଚି ହାଇକୋର୍ଟଙ୍କ ନୋଟିସ ଓ ପୂଜକଙ୍କ ଗ୍ରାମ କଣ୍ଟକ ଘର ପଟ୍ଟା ଦେଖିଥିଲେ । ତଥାପି କୌଣସି ନିଷ୍କର୍ସ ନ ବାହାରିବା ଯୋଗୁଁ ପୂଜକଙ୍କ ଘର ନଭାଙ୍ଗି ଫେରି ଯାଇଥିଲେ । ପ୍ରକାଶଯୋଗ୍ୟ ପୂଜକଙ୍କ ଘର ଠାରୁ କିଛି ଦୂରରେ ଥିବା ଜଗନ୍ନାଥ ମନ୍ଦିର ମାଲିକ ବାରମ୍ବାର ଘର ଭାଙ୍ଗିବାକୁ ପ୍ରୟାସ କରୁଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ପୂଜକଙ୍କ ଓକିଲଙ୍କ ଯୁକ୍ତିକୁ ସାମ୍ନା କରି ନପାରି ନିରାଶ ହୋଇଛନ୍ତି । ସୂଚନା ଯୋଗ୍ୟ ପୂଜକ ଶତପଥୀ ଜଣେ ସରଳ ନିସ୍ଵାର୍ଥପର ବ୍ରlହ୍ମଣ । ଘର ଖଣ୍ଡିଏକୁ ଛାଡିଦେଲେ ଜମିଜମା କିଛି ନାହିଁ । ମନ୍ଦିରରୁ ଯାହା ମିଳେ ସେଥିରେ ତାଙ୍କର ପରିବାର ପ୍ରତି ପୋଷଣ କରନ୍ତି ।