Categories: ଖେଳ

ଏଟିପି ଫାଇନାଲ୍ସ: ନାଡାଲ, ଜୋକୋଭିଚ୍‌ ସେମିରେ

ଲଣ୍ଡନ,୨୧।୧୧(ଏପି): ଏଠାରେ ଚାଲିଥିବା ବର୍ଷ ଶେଷର ହାଇପ୍ରୋଫାଇଲ ଟେନିସ ଟୁର୍ନାମେଣ୍ଟ ଏଟିପି ଫାଇନାଲ୍ସରେ ସ୍ପେନ୍‌ ଟେନିସ ତାରକା ରାଫାଲ ନାଡାଲ ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଥାନୀୟ ଓ୨ ଏରିନାରେ ଅନୁଷ୍ଠିତ ନିର୍ଣ୍ଣାୟକ ମ୍ୟାଚ୍‌ରେ ଦ୍ୱିତୀୟ ସିଡ୍‌ ନାଡାଲ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ୬-୪, ୪-୬, ୬-୨ ସେଟ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଗ୍ରୀସ୍‌ର ଷଷ୍ଠ ସିଡ୍‌ ଖେଳାଳି ଷ୍ଟିଫାନୋ ସିତ୍‌ସିପାସଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି। ୧୦ଥର ଏହି ଟୁର୍ନାମଣ୍ଟରେ ଅଂଶଗ୍ରହଣ କରି ନାଡାଲ ଷଷ୍ଠଥର ପାଇଁ ସେମିକୁ ଉଠିଛନ୍ତି। ଅବଶ୍ୟ ସେ ଏପର୍ଯ୍ୟନ୍ତ ଏଟିପି ଫାଇାଲ୍ସରେ ଚାମ୍ପିୟନ ହୋଇପାରି ନାହାନ୍ତି। ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ଜର୍ମାନୀର ଆଲେକଜାଣ୍ଡର ଜେଭରେଭଙ୍କୁ ୬-୩, ୭-୬(୪) ସେଟ୍‌ରେ ପରାସ୍ତ କରିଛନ୍ତି।
ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ି ସାରିଥିବା ସପ୍ତମ ସିଡ୍‌ ରୁଷିଆର ଆନ୍ଦ୍ରେ ରୁବ୍ଲେଭ ୟୁଏସ୍‌ ଚାମ୍ପିୟନ ତୃତୀୟ ସିଡ୍‌ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ଙ୍କୁ ୬-୨, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ପୂର୍ବରୁ ସିତ୍‌ସିପାସ ଓ ନାଡାଲଙ୍କୁ ହରାଇ ଥିମ୍‌ ଗ୍ରୁପ୍‌ ଚାମ୍ପିୟନ ହେବା ସମ୍ଭାବନା ଦୃଢ କରିଥିଲେ। ନିଜ ପ୍ରଦର୍ଶନ ନାଡାଲ ଖୁସି ଜାହିର କରିଛନ୍ତି। ସେମିଫାଇନାଲରେ ନାଡ଼ାଲ ଏବେ ଶନିବାର ଡାନିଲ ମେଡ୍‌ଭେଡେଭ୍‌ଙ୍କୁ ଭେଟିବେ।

Share