Categories: ଖେଳ

ଆଥ୍‌ଲେଟିକ ଫେଡେରେଶନ ଅଫ୍‌ ଇଣ୍ଡିଆ: ପି.ଟି. ଉଷା, ରାନ୍ଧଓ୍ବା ଚୟନ କମିଟି ମୁଖ୍ୟ

ନୂଆଦିଲ୍ଲୀ, ୨୫।୩(ପି.ଟି.)-  ସ୍ପ୍ରିଣ୍ଟ କୁଇନ୍‌ ପି.ଟି. ଉଷା ଏବଂ ହର୍ଡଲ୍ସ ଗ୍ରେଟ୍‌ ଗୁରବଚନ ସିଂ ରାନ୍ଧଓ୍ବା ଯଥାକ୍ରମେ ଜୁନିୟର ଏବଂ ସିନିୟର ଚୟନ କମିଟି ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ବୁଧବାର ଉଭୟ ଖେଳାଳିଙ୍କୁ ଏହି ନିଯୁକ୍ତି ଦେଇଛି। ୫୬ ବର୍ଷୀୟା ଉଷା ଏସିଆନ ଗେମ୍ସର ୧୦୦, ୨୦୦, ୪୦୦ ମିଟର ଏବଂ ୪x୪୦୦ ମିଟର ଆଦି ବିଭିନ୍ନ ଇଭେଣ୍ଟରେ ପଦକ ହାସଲ କରିଛନ୍ତି। ଏହା ବ୍ୟତୀତ ସେ ୧୯୮୪ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସରେ ୪ର୍ଥ ସ୍ଥାନ ଅଧିକାର କରିଥିଲେ। ଉଷାଙ୍କ ବ୍ୟତୀତ ଜୁନିୟର କମିଟିରେ ସ୍ଥାନ ପାଇଥିବା ଅନ୍ୟ ସଦସ୍ୟମାନେ ହେଲେ ସୋମା ବିଶ୍ୱାସ, ଆନନ୍ଦ ମେଞ୍ଜେସ, ସତବୀର ସିଂ, ସନ୍ଦୀପ ସାର୍କାରିଆ, ସୁନୀତା ରାଣୀ, ରାମ ଚନ୍ଦ୍ରନ, ଜୋଶେଫ ଆବ୍ରାହମ୍‌, ହରଓ୍ବନ୍ତ କୌର, ଏମ.୍‌ଡି. ଭାଲସାମା ଓ କମଲ ଅଲୀ ଖାଁ। ସେହିପରି ରାନ୍ଧଓ୍ବାଙ୍କ ନେତୃତ୍ୱାଧୀନ ସିନିୟର କମିଟିରେ ପୂର୍ବତନ ମୁଖ୍ୟ କୋଚ୍‌ ବାହାଦୁର ସିଂ, ବାହାଦୁର ସିଂ ସାଗୁ, କ୍ରିଷ୍ଣା ପୁନିଆ, ଜ୍ୟୋତିର୍ମୟୀ ସିକ୍‌ଦାର, ଉଦୟ ପ୍ରଭୁ, ପ୍ରବୀଣ ଜୋଲି ଓ ଗୋପାଳ ସଇନୀ ପ୍ରମୁଖ ସ୍ଥାନ ପାଇଛନ୍ତି। ୮୧ ବର୍ଷୀୟ ରାନ୍ଧଓ୍ବା ୧୯୮୨ ଏସିଆନ ଗେମ୍ସର ଡେକାଥଲନରେ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ୧୯୬୪ ଅଲିମ୍ପିକ୍ସର ୧୧୦ ମିଟର ହର୍ଡଲ୍ସରେ ୫ମ ସ୍ଥାନ ଅଧିକାର କରିଥିଲେ। ”କମିଟିରେ ସ୍ଥାନ ପାଇଥିବା ପ୍ରତି ସଦସ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅଭିଜ୍ଞତାରେ ଭରପୂର ଆଥଲେଟ୍‌ଙ୍କୁ ଚୟନ କମିଟିରେ ପ୍ରାଧାନ୍ୟ ଦିଆଯାଇଛି“ ବୋଲି ଏଏଫ୍‌ଆଇ ସଭାପତି ଆଡିଲ ସୁମାରିଓ୍ବାଲା ପ୍ରକାଶ କରିଛନ୍ତି। ଏଏଫ୍‌ଆଇ ସଭାପତି, ସମ୍ପାଦକ, ମୁଖ୍ୟ କୋଚ୍‌ ଏବଂ ଯୋଜନା କମିଟି ଅଧ୍ୟକ୍ଷ କମିଟିର ଅନ୍ୟ ସଦସ୍ୟଭାବେ କାର୍ଯ୍ୟ କରିବେ।

Share