Categories: ଖେଳ

ଅଲିମ୍ପିକ୍ସରେ ଆଥ୍‌ଲେଟ ନିଜେ ପିନ୍ଧିବେ ମେଡାଲ

ଟୋକିଓ, ୧୫।୭- କୋଭିଡ୍‌-୧୯ ପାଇଁ ଏଥର ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପରମ୍ପରା ଭାଙ୍ଗିବାକୁ ଯାଉଛି। ବିଭିନ୍ନ ଇଭେଣ୍ଟରେ କୃତିତ୍ୱ ହାସଲ କରିଥିବା ଆଥ୍‌ଲେଟମାନଙ୍କୁ ଅଲିମ୍ପିକ ମେଡାଲ ସେରିମନିରେ ଜଣେ ମାନ୍ୟଗଣ୍ୟ ବ୍ୟକ୍ତି ପଦକ ପିନ୍ଧାଇବାର ପରମ୍ପରା ରହିଆସିଛି। ଏହା ମଧ୍ୟ ପ୍ରତ୍ୟେକ ଆଥ୍‌ଲେଟଙ୍କ ପାଇଁ ଏକ ବଡ଼ ସ୍ବପ୍ନ ବୋଲି ବିବେଚନା କରାଯାଇଥାଏ। କିନ୍ତୁ ଏଥର କଥା ଅଲଗା ହେବ। ଆଥ୍‌ଲେଟମାନେ ନିଜର ଗଳାରେ ନିଜେ ମେଡାଲ ପିନ୍ଧିବେ। କରୋନା ସଂକ୍ରମଣକୁ ରୋକିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ପାରମ୍ପରିକ ମେଡାଲ ସେରିମନିରେ ଏଥର ପରିବର୍ତ୍ତନ କରାଯାଇଛି। ୩୩୯ଟି ଇଭେଣ୍ଟରେ ଆଥ୍‌ଲେଟମାନେ ନିଜ ଗଳାରେ ନିଜେ ପଦକ ପିନ୍ଧାଇବେ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଅଧ୍ୟକ୍ଷ ଥୋମାସ ବାକ୍‌ କହିଛନ୍ତି। ଏଥିସହ ମେଡାଲ ସେରିମନିରେ ହାତ ମିଳାଇବା ଓ ଆଲିଙ୍ଗନ କରିବାକୁ ମଧ୍ୟ ବାରଣ କରାଯାଇଛି। ଏଥର ଆଥ୍‌ଲେଟମାନଙ୍କୁ କେହି ପଦକ ପିନ୍ଧାଇବେ ନାହିଁ ବୋଲି ବାକ ଖବରଦାତା ସମ୍ମିଳନୀରେ କହିଛନ୍ତି।
ଆଥଲେଟମାନଙ୍କୁ ଏକ ଟ୍ରେ’ରେ ପଦକ ପ୍ରଦାନ କରାଯିବ। ଆଥଲେଟମାନେ ନିଜେ ଟ୍ରେ’ରୁ ପଦକ ଉଠାଇ ନିଜେ ପିନ୍ଧିବେ। ଟ୍ରେ’ରେ ପଦକ ପ୍ରଦାନ କରିବାକୁ ଥିବ ବ୍ୟକ୍ତି ମଧ୍ୟ ଡିସ୍‌ଇନ୍‌ଫେକ୍‌ଟେଡ ଗ୍ଲୋଭ୍ସ ପିନ୍ଧିବେ। ଯାହାଫଳରେ ତାଙ୍କୁ କେହି ଛୁଇଁ ନ ଥିବା ନେଇ ଆଥଲେଟମାନେ ନିଶ୍ଚିତ ହେବେ ବୋଲି ବାକ୍‌ କହିଛନ୍ତି।
ସଦ୍ୟ ସମାପ୍ତ ୟୁରୋକପ୍‌ରେ କିନ୍ତୁ ଅଲଗା ଦୃଶ୍ୟ ଦେଖିବାକୁ ମିଳିଥିଲା। ୟୁଇଏଫ୍‌ଏ ଅଧ୍ୟକ୍ଷ ଆଲେକଜାଣ୍ଡର ସେଫେରିନ ଫାଇନାଲରେ ଖେଳାଳିମାନଙ୍କୁ ପଦକ ପିନ୍ଧାଇବାର ଦେଖାଯାଇଥିଲା। ଲଣ୍ଡନରେ ଗତ ରବିବାର ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସେଫେରିନ୍‌ ଇଟାଲୀ ଗୋଲକିପର ଜିଆନଲୁଇଗି ଡୋନାରୁମାଙ୍କ ସହ ହାତ ମିଳାଇଥିଲେ। ଜିଆନଲୁଇଗି ଏକ ପେନାଲ୍ଟି ଶୁଟ୍‌ ଆଉଟ୍‌ ସେଭ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ଇଟାଲୀକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଅଲିମ୍ପିକ୍ସରେ ଏଥର ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବାକୁ ବାରଣ କରାଯାଇଛି ବୋଲି ବାକ୍‌ ସ୍ପଷ୍ଟ କରିଛନ୍ତି। ସାଧାରଣତଃ ଜଣେ ଆଇଓସି ସଦସ୍ୟ କିମ୍ବା ବରିଷ୍ଠ ଅଧିକାରୀ ଅଲିମ୍ପିକ୍ସରେ ଆଥ୍‌ଲେଟମାନଙ୍କୁ ପଦକ ପିନ୍ଧାଇବାର ପରମ୍ପରା ରହିଥାଏ। ପୂର୍ବରୁ ମେଡାଲିଷ୍ଟ ଓ ମେଡାଲ ସେରିମନିରେ ଅଂଶଗ୍ରହଣ କରିବାକୁ ଥିବା ଅଫିସିଆଲମାନେ ମାସ୍କ ପିନ୍ଧିବେ ବୋଲି ଆଇଓସି କହିଥିଲା।

Share