Categories: ଖେଳ

ନାମକରଣ ଜରିଆରେ ସମ୍ମାନିତ ହେବେ କ୍ରୀଡ଼ାବିତ୍‌

ନୂଆଦିଲ୍ଲୀ, ୧୮ା୧ (ପି.ଟି.)-ଦେଶ ପାଇଁ ଗୌରବ ଆଣିଥିବା କ୍ରୀଡ଼ାବିତଙ୍କୁ ଭିନ୍ନ ଏକ ଉପାୟରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ। ସ୍ପୋଟର୍‌ସ ଅଥରିିଟି ଅଫ୍‌ ଇଣ୍ଡିଆ (ସାଇ)ରେ ଯେଉଁ ସୁବିଧାସୁଯୋଗ ରହିଛି, ଭବିଷ୍ୟତରେ ସେଗୁଡ଼ିକର ଆଧୁନିକୀକରଣ ସହ ଖ୍ୟାତିସମ୍ପନ୍ନ ଆଥଲେଟ୍‌ମାନଙ୍କ ନାମରେ ନାମକରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ନୌସ୍ଥିତ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସ (ଏନ୍‌ସିଓଇ) ପରିସରରେ ରହିଥିବା ନବ ନିର୍ମିତ ଏୟାର କଣ୍ଡିଶନ ବ୍ୟବସ୍ଥା ଥିବା ରେସ୍‌ଲିଂ ହଲ୍‌ ଓ ସୁଇମିଂପୁଲ୍‌, ଭୋପାଳସ୍ଥିତ ନ୍ୟାଶନାଲ ସେଣ୍ଟର ଅଫ୍‌ ଏକ୍ସଲେନ୍ସଠାରେ ୧୦୦ ଶଯ୍ୟାବିଶିଷ୍ଟ ହଷ୍ଟେଲ, ସୋନେପତ୍‌ସ୍ଥିତ ମଲ୍ଟିପର୍‌ପୋଜ ହଲ୍‌ ଏବଂ ଗଲର୍‌ସ ହଷ୍ଟେଲ ବ୍ୟତୀତ ଗୁଆହାଟୀସ୍ଥିତ ନୂଆ ସାଇ ଟ୍ରେନିଂ ସେଣ୍ଟରଠାରେ ରହିଥିବା ଏକ ହଷ୍ଟେଲ, ମଲ୍ଟିପରପୋଜ୍‌ ହଲ୍‌ ଏବଂ ଷ୍ଟାଫ୍‌ କ୍ୱାର୍ଟର୍ସ ସ୍ଥାନୀୟ ଷ୍ଟାର କ୍ରୀଡ଼ାବିତ୍‌ଙ୍କ ନାମରେ ନାମିତ କରାଯିବ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଦେଶରେ ଏକ କ୍ରୀଡ଼ା ସଂସ୍କୃତି ଗଠନ କରିବାକୁ ହେଲେ ଆମର କ୍ରୀଡ଼ାବିତ୍‌ମାନେ ଯେପରି ଉପଯୁକ୍ତ ସମ୍ମାନ ପାଆନ୍ତି ସେଥିପ୍ରତି ଆମ୍ଭେମାନେ ଯନତ୍ବାନ ହେବା ଉଚିତ। ଏହାଦ୍ୱାରା ଯୁବପିଢି କ୍ରୀଡ଼ାକୁ ଏକ କ୍ୟାରିୟର କରିବା ଲାଗି ଉତ୍ସାହିତ ହେବେ।

Share