ଅସୁମାରି ସ୍ବପ୍ନ

ଘାସିରାମ ପଣ୍ଡା

ମିଲି ଯେତେବେଳେ ନବମ ଶ୍ରେଣୀରେ ପଢୁଥିଲେ ଘରଲୋକେ ତାଙ୍କ ବାହା ଠିକ କରି ଦେଇଥିଲେ। ମିଲିର ସ୍ବପ୍ନ କିନ୍ତୁ ଭିନ୍ନଥିଲା। ସେ ପାଖରେ ରହୁଥିବା ଜଣେ ଅଙ୍ଗନୱାଡି କର୍ମୀଙ୍କ ସହଯୋଗରେ ବାହାଘର ବନ୍ଦ ପାଇଁ ବାପା ମା’ଙ୍କୁ ବୁଝାଇବାରେ ସଫଳ ହେଲେ। ଏ ବର୍ଷ ସେ ଦଶମ ଶ୍ରେଣୀର ଛାତ୍ରୀ। ପାଠପଢି ଆଗକୁ ନର୍ସ ହେବାକୁ ଇଚ୍ଛା। ହେଲେ ଘରର ଆର୍ଥିକ ଅବସ୍ଥା ଏଥିରେ ବାଧକ ସାଜୁଛି। ବାପା ସମୁଦ୍ରକୁ ମାଛ ମାରିବାକୁ ଯାଆନ୍ତିି। ଯେତିକି ରୋଜଗାର ହୁଏ ସେଥିରେ ତାଙ୍କୁ ମିଶାଇ ପାଞ୍ଚ ଜଣଙ୍କ ଚଳିବା କଷ୍ଟକର ହୋଇପଡେ। ସେ ଘରର ବଡ। ତାଙ୍କ ତଳେ ଆହୁରି ତିନି ଭଉଣୀ ଓ ଭାଇଟିଏ। ବଡ ଝିଅକୁ ଜଲ୍‌ଦି ବାହା ନ କଲେ ତା’ ପଛକୁ ଥିବା ଝିଅମାନେ ବାହା ହେବାକୁ ଡେରି ହେବ। ବୟସ ବଢିଲେ ଅଧିକ ଯୌତୁକ ଦେବାକୁ ପଡିବ। ମିଲିକୁ ବାଟ ଦେଖେଇବାକୁ ବି କେହି ନାହାନ୍ତି। ନର୍ସ ହେବାକୁ ହେଲେ କ’ଣ ପଢିବାକୁ ହୁଏ, କେତେ ଖର୍ଚ୍ଚ ହୁଏ ଏ ସବୁ ଜାଣିବାକୁ ତାଙ୍କର ଖୁବ୍‌ ଆଗ୍ରହ। ଦୃଢ ଇଚ୍ଛାଶକ୍ତି ସତ୍ତ୍ୱେ ଆର୍ଥିକ ସ୍ଥିତି ଓ ସାମାଜିକ ଚଳଣି ମିଲି ମନକୁ ସନ୍ଦିହାନ କରିଦେଉଛି।
ମିଲି ଭଳି ଅନେକ କିଶୋରୀଙ୍କ ଏମିତି କିଛି ନା କିଛି ଅଭିଳାଷ ଥାଏ। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଓ ପାରଦର୍ଶିତା କିଶୋରୀମାନଙ୍କ ଏଭଳି ଅଭିଳାଷକୁ ବଳ ଦେଉଛି। କିଶୋରୀ ମନ ଚାହେଁ ପାଠ ପଢିବ, ରୋଜଗାର କରିବ, ଦୁନିଆ ଦେଖିବ। ନିଜକୁ ଏମିତି ଯୋଗ୍ୟ କରିବ ଯେମିତି କେବେ, କେଉଁଠି, କାହାକୁ ଜୀବନ ସାଥି କରିବ ସେ ନିଷ୍ପତ୍ତି ନିଜେ ନେଇପାରିବ। ହେଲେ ସମସ୍ତଙ୍କର ଏ ସୌଭାଗ୍ୟ ଜୁଟେ ନାହିଁ। ସୁଯୋଗ ଓ ପ୍ରୋତ୍ସାହନର ଅଭାବରେ ମିଲି ଭଳି ଅନେକଙ୍କ ମନରେ ଥିବା ଅସୁମାରି ସ୍ବପ୍ନ ଅଧାରେ ରହିଯାଉଛି। ସମାଜରେ ପ୍ରଚଳିତ ଝିଅ ଜନମ ଚୁଲିମୁଣ୍ଡକୁ ଭଳି ପ୍ରବାଦ ନୂଆ ହୋଇ ଗଜା ମେଲୁଥିବା କିଶୋରୀ ମନର ସ୍ବପ୍ନକୁ ପଲ୍ଲବିତ ହେବା ପୂର୍ବରୁ ପତ୍ରଖିଆ କୀଟ ଭଳି ଚରିଯାଉଛି। ଆମ ରାଜ୍ୟରେ ଏବେ ବି ପ୍ରତି ଶହେରେ ୨୧ ଜଣ ଝିଅ ୧୮ ବର୍ଷ ପୂର୍ବରୁ ବାହା ହୁଅନ୍ତି। ଏହାରି ଭିତରୁ ଅଧିକାଂଶ ବିବାହ ପ୍ରାୟତଃ ୧୪ରୁ ୧୮ ବର୍ଷ ଭିତରେ ହୁଏ। ନିଜର ଶୈଶବ ଯାଇ ନ ଥିବା ପୂର୍ବରୁ ଝିଅଟି ଆଉ ଗୋଟିଏ ଛୁଆର ମା’ ହୁଏ। ବାଲ୍ୟ ବିବାହର ଶିକାର ହେଉଥିବା ଏହି ସବୁ କିଶୋରୀମାନେ ସମସ୍ତ ପ୍ରକାରର ଶିଶୁ ଅଧିକାରରୁ ବଞ୍ଚିତ ହୁଅନ୍ତିି। ପାଠପଢାରେ ଡୋରି ଲାଗେ। ଏମାନଙ୍କ ଭିତରୁ ଅନେକେ ଘରୋଇ ହିଂସାର ସମ୍ମୁଖୀନ ହୁଅନ୍ତିି। ରକ୍ତହୀନତା ଓ ଅପପୁଷ୍ଟିର କବଳରେ ପଡି ଏମାନଙ୍କ ମଧ୍ୟରୁ ଅନେକଙ୍କ ପ୍ରସବ ସମୟରେ ମୃତ୍ୟୁ ହୁଏ। କିଶୋରୀ ମନର ସ୍ବପ୍ନରେ ଡେଣା ଲାଗିବା ପୂର୍ବରୁ ଜୀବନର ଯବନିକା ପଡିଯାଏ।
ନିକଟରେ ଭାରତ ସରକାର ଝିଅଙ୍କ ବିବାହ ବୟସକୁ ୧୮ରୁ ୨୧ କରିବା ପାଇଁ ଏକ କମିଟି ଗଠନ କରିଛନ୍ତିି। ଏହି କମିଟି ଏ ସମ୍ପର୍କରେ ନିଜର ମତ ନୀତି ଆୟୋଗରେ ଦାଖଲ କରିବେ। ଏହି ଅବସରରେ କମିଟିକୁ ଅଭିମତ ପଠେଇବା ପାଇଁ କିଛି କିଶୋର, କିଶୋରୀଙ୍କ ସହ ଆଲୋଚନାର ଅବକାଶ ସୃଷ୍ଟି ହୋଇଥିଲା। ଆଶ୍ଚର୍ଯ୍ୟ ହେଲେ ବି ସମସ୍ତଙ୍କର ମତ ଥିଲା ପ୍ରାୟ ଏକା ପରି। ପ୍ରଥମତଃ ଏକଥା ଉଠିଥିଲା କି ବାହା ହେବାକୁ ନେଇ ଏତେ ଗୁରୁତ୍ୱ କାହିଁକି ଦିଆଯାଉଛି? ବିବାହ ପାଇଁ ଚିନ୍ତିିତ ହେବା ଅପେକ୍ଷା ପିଲାଙ୍କ ସୁରକ୍ଷା, ଶିକ୍ଷା, ତାଲିମ, ନିଯୁକ୍ତି ଓ ରୋଜଗାରକୁ ନେଇ ଚିନ୍ତା କରାଯାଉ ନାହିଁ କାହିଁକି? କେବଳ ଆଇନଗତ ଭାବେ ବିବାହ ବୟସକୁ ୧୮ରୁ ୨୧ କରି ଦିଆଗଲେ ଝିଅଙ୍କ ସ୍ବାର୍ଥର କୌଣସି ସୁରକ୍ଷା ହୋଇପାରିବ ନାହିଁ। ବରଂ ଝିଅମାନଙ୍କୁ ନିଜ ଗୋଡରେ ଠିଆ ହେବା ଭଳି ବାତାବରଣ ତିଆରି ପାଇଁ ଗୁରୁତ୍ୱ ଦେବାକୁ ଅନେକେ ମତ ରଖିଥିଲେ। ଝିଅଙ୍କୁ ନିଜ ଶରୀର ବିଷୟରେ ବୁଝିବା ପାଇଁ ଅବକାଶ ମିଳୁନାହିଁ। କୈଶୋର ଅବସ୍ଥାରେ ଦେହ ଓ ମନର ପରିବର୍ତ୍ତନ ଉପରେ ଚର୍ଚ୍ଚା, ଆଲୋଚନା କରିବାର ସୁଯୋଗ ସୃଷ୍ଟିହେଲେ ସାଥି ବାଛିବାର ବୟସ ଓ ଆବଶ୍ୟକତା ସମ୍ପର୍କିତ ନିଷ୍ପତ୍ତି ନେବା ସହଜ ହୋଇପାରିବ। ଉଚ୍ଚ ଶିକ୍ଷା ପାଇଁ ପ୍ରୋତ୍ସାହନ, ବୃତ୍ତି ଚୟନରେ ସହାୟତା, ବାଲ୍ୟ ବିବାହ ପ୍ରବଣତା ଥିବା ପରିବାରକୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇପାରିଲେ ଝିଅ ପିଲାମାନେ ଅଧିକ ପଢିବାର ଅବକାଶ ପାଇବେ ଓ ବିବାହ ବୟସ ଆପେ ବଢିଯିବ।
ସ୍ବପ୍ନ ସାକାର ହେବାର ଅବକାଶକୁ ଅନୁଭବ କରିପାରିଲେ ସ୍ବପ୍ନ ଦେଖିବାର ସାହସ ସୃଷ୍ଟି ହେବ। ଏହା ସେମାନଙ୍କୁ ନୂଆ କିଛି କରି ଦେଖେଇବାର ଖୋରାକ ଯୋଗାଇବ। ସ୍ବପ୍ନକୁ ଡେଣା ମିଳିଲେ ନିଜ ସାମର୍ଥ୍ୟରେ ସେ ଅନେକ ଦୂରକୁ କ୍ଷେପିଯିବେ। ଏପରି ଏକ ସ୍ଥିତିରେ ବିବାହ ସେମାନଙ୍କ ପାଇଁ ବାଧ୍ୟବାଧକତା ନ ହୋଇ ଆଗ୍ରହର ବିଷୟ ହେବା ଉଚିତ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪
ghasirampanda@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri